କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ : ୨୭ରେ ବ୍ଲକ୍ ଓ ପୌରପାଳିକା ଘେରିବ ବିଜେପି

ଭୁବନେଶ୍ବର : ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କା ଘର ସବୁକୁ ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ‌‌ମୋଦୀ ସରକାର ଦେଶରେ ବିଭିନ୍ନ ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ବାହା ବାହା ନେବାକୁ ବସିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହା ବିରୋଧରେ ଦଳ ପକ୍ଷରୁ ଆସନ୍ତା ୨୭ ତାରିଖରେ ସମସ୍ତ ବ୍ଲକ୍ ଓ ପୌରପାଳିକା ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଏସ୍‌ଇସିସି ତାଲିକା ଭିତ୍ତିରେ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଗରିବ ହିତାଧିକାରୀ ସୂଚୀ ତଦାରଖ କରିବା କଥା। କିନ୍ତୁ ଏହି ସୂଚୀକୁ ଦଳୀୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି। ଗୋଟିଏ ପରିବାରରେ ୨/୩ ଜଣଙ୍କ ନାଁରେ ପକ୍କା ଘର ଦିଆଯାଉଛି। କାର୍ଯ୍ୟାଦେଶ ପାଇବା ପାଇଁ ବ୍ୟାପକ ଅର୍ଥ କାରବାର ହେବା ନଜରକୁ ଆସିଛି। ସେହିପରି ଏହି କାର୍ଯ୍ୟାଦେଶରେ ପ୍ରଧାନମନ୍ତ୍ରୀ ଆବାସ ବୋଲି ଉଲ୍ଲେଖ ହେବା ଆବଶ୍ୟକ। କାର୍ଯ୍ୟାଦେଶକୁ ପଞ୍ଚାୟତ/ବ୍ଲକ୍‌ରେ ଦିଆ ନ ଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଣ୍ଟାଯିବା ପାଇଁ ସ୍ଥଗିତ ରଖାଯାଉଛି। ଏହା ଫଳରେ ସମୟାନୁଯାୟୀ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂ ଫର୍ ଅଲ୍‌-୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି। ସେଥି ପାଇଁ ଓଡ଼ିଶାକୁ ଅଧିକ ଅର୍ଥ ଆସୁଛି। କିନ୍ତୁ ଏଠି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନାଁ ଧରୁ ନାହାନ୍ତି। ଚଳିତ ବଜେଟ୍‌ରେ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ଅର୍ଥ ବରାଦ ନାହିଁ। ରାଜ୍ୟର ଗରିବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି। ୨୦୧୮ ସେପ୍ଟେମ୍ବରରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର ଜଣାଇଥିଲେ ଯେ ରାଜ୍ୟର ମୋଟ୍‌ ୨୦ ଲକ୍ଷ ପକ୍କା ଘରରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଓ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି। ତେଣୁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ନ କରି ପ୍ରକୃତ ହିତାଧିକାରୀଙ୍କୁ ପକ୍କା ଘର ବାଣ୍ଟିବାକୁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର