ଚଳିତ ଶିକ୍ଷାବର୍ଷରେ ପରୀକ୍ଷାରେ ଫେଲ୍‌ ହେବେନି +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ : ଗଣଶିକ୍ଷା ମନ୍ତ୍ରୀ

ଆସନ୍ତାବର୍ଷରୁ କଡ଼ାକଡ଼ି ହେବ ନିୟମ

ଭୁବନେଶ୍ବର:  ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍-ଫେଲ ନେଇ ନିଜ ନିଷ୍ପତ୍ତିରୁ ଓହରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏହାଦ୍ବାରା ଚଳିତବର୍ଷ +୨ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେବେନି ଛାତ୍ରଛାତ୍ରୀ। ଏହି ନିୟମଟି ଚଳିତବର୍ଷ ଲାଗୁ ନ କରାଯାଇ ଆସନ୍ତାବର୍ଷ ଶିକ୍ଷାବର୍ଷଠାରୁ ଲାଗୁ କରାଯିବ। ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଥମ ବର୍ଷ ପରୀକ୍ଷାରେ ୩୩ପ୍ରତିଶତ ମାର୍କ ନ ରଖିଲେ ଫେଲ୍ ହେବେ ଛାତ୍ରଛାତ୍ରୀ। ଆଜି ଏହା ସ୍ପଷ୍ଟ କରିଛନ୍ତି  ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।  କିଛି ଦିନ ତଳେ ଏ ନେଇ ବିଭାଗ ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା। ପରେ ଏହାକୁ ନେଇ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଏହାକୁ ଆଖି ରଖି ନିଜର ନିଷ୍ପତ୍ତି ବଦଳାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି କି, ପିଲାମାନେ ପ୍ରସ୍ତୁତ ନ ଥିବାରୁ ଚଳିତ ବର୍ଷ ଏହାକୁ କୋହଳ କରାଯାଇଛି, ହେଲେ ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।

ଉଲ୍ଲେଖ ଥାଉ କି, ଚଳିତ ବର୍ଷଠାରୁ +୨ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ପ୍ରତିଶତ ମାର୍କ ନ ରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ। ଏଥିପାଇଁ ପିଲାମାନଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେବାକୁ ମଧ୍ୟ  କହିଥିଲେ ମନ୍ତ୍ରୀ, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏପରିକି ଉତ୍ତ୍ୟକ୍ତ  ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବାକୁ ଜିଦ୍‌ ଧରିଥିଲେ।

ସମ୍ବନ୍ଧିତ ଖବର