ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାର ୯୬ଟି ସୀମାବର୍ତ୍ତୀ ଗାଁକୁ ନେଇ ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାର ବିବାଦ ଲାଗିଛି। ଏହି ରାଜ୍ୟଗୁଡ଼ିକ ହେଲେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ। ସୀମା ବିବାଦର ସମାଧାନ ପାଇଁ ବିଭିନ୍ନ ସମୟରେ ଓଡ଼ିଶା ସରକାର ବୈଠକ କରୁଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାନସଭାରେ କଂଗ୍ରେସ ସଭ୍ୟ ନବକିଶୋର ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ସୂଚନା ଦେଇଛନ୍ତି। ବିବାଦ ସମାଧାନ ନ ହେବା ନେଇ ମନ୍ତ୍ରୀଙ୍କ ଉତ୍ତର ହେଲା, ଯୁଗ୍ମ ସର୍ଭେକ୍ଷଣ ରିପୋର୍ଟ ଓ ମାନଚିତ୍ର ଆଦିରେ ସରକାରୀ ଅଧିକାରୀମାନଙ୍କ ଦସ୍ତଖତ ହୋଇପାରୁ ନ ଥିବାରୁ ସୀମା ବିବାଦ ତଥାପି ରହିଛି। ସୀମା ବିବାଦ ସଂକ୍ରାନ୍ତୀୟ କିଛି ମାମଲା କୋର୍ଟରେ ମଧ୍ୟ ଗଡ଼ୁଛି।
ଆନ୍ଧ୍ରପ୍ରଦେଶ ସହ କୋରାପୁଟ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ଗାଁକୁ ନେଇ ବିବାଦ ଚାଲିଥିଲା ବେଳେ ପଶ୍ଚିମବଙ୍ଗ ସହ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଗାଁ, ଝାଡ଼ଖଣ୍ଡ ସହ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ଗାଁ ଏବଂ ଛତିଶଗଡ଼ ସହ ନବରଙ୍ଗପୁର ଓ ଝାରସୁଗୁଡ଼ାର କିଛି ଗାଁ ନେଇ ବିବାଦ ରହିଛି।
କୋଟିଆ ବିବାଦ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ୫୦ ବର୍ଷ ପୂର୍ବେ ଅର୍ଥାତ ୧୯୬୮ ମସିହାରେ କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜ ଏବଂ ପୋରାମୁଥା ଗ୍ରାମ ଓ ଏହାର ୧୨ଟି ପଡ଼ା ଗ୍ରାମକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ମାମଲାର ରାୟ ସରକାରଙ୍କ ସପକ୍ଷରେ ଯାଇ ନାହିଁ। କିନ୍ତୁ ସୁପ୍ରିମକୋର୍ଟ ୨.୧୧.୧୯୬୮ରେ ଅନ୍ତରୀଣ ଆଦେଶ ବଳରେ ଦୁଇ ପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ ବିଧାନସଭାରେ ଜଣାଇଛନ୍ତି, ପଡ଼ୋଶୀ ରାଜ୍ୟ ସହ ଥିବା ସୀମା ବିବାଦର ସମୀକ୍ଷା ନିମନ୍ତେ ଏକ ବୈଠକ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ଜାନୁଆରି ୩୧ ତାରିଖରେ ବସିଥିଲା। କିନ୍ତୁ ଏହି ବୈଠକରେ ସାମ୍ପ୍ରତ୍ତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେବଳ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶ ସରକାରୀ କଳର ଅନୁପ୍ରବେଶ ଏବଂ ଅବୈଧ ରାସ୍ତା ନିର୍ମାଣ ବିଷୟରେ ଆଲୋଚନା କରାଯାଇଥିଲା। କୋଟିଆ ଗ୍ରାମପୁଞ୍ଜରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କ୍ରିୟାନ୍ଵୟନ ନେଇ ପଦକ୍ଷେପ ନିଆଯାଉଛି।