ଓଡ଼ିଶା ଅଫିସରଙ୍କ ଦେଖାନାହିଁ
ନବୀନ ଯୋଜନା ପହଞ୍ଚୁନି, ସବୁଠି ଜଗନମୋହନ
ଘରେ ପ୍ରତି ମାସ ୧ ତାରିଖ ଦିନ ରୋଷେଇ ସାମଗ୍ରୀ ଆସି ପହଞ୍ଚିଯାଉଛି। ୧ଟଙ୍କା ହିସାବରେ ମୁଣ୍ଡ ପିଛା ୫ କେଜି ଚାଉଳ, ୪୦ ଟଙ୍କା ହିସାବରେ ଡାଲି ଓ କେଜି ୧୩ଟଙ୍କାରେ ଚିନି ଏମିତି। ଝରଣାରୁ ପାଇପ୍ ଯୋଗେ ପାଣି ବି। ପ୍ରତି ଘରକୁ ବିଜୁଳି ସଂଯୋଗ ଦିଆଯାଇଛି। ହେଲେ ବିଦ୍ୟୁତ ବିଲ୍ କିନ୍ତୁ ଆଦାୟ ହେଉନି, ୧୬ବର୍ଷ ହେଲାଣି। ଲୋକଙ୍କ ଭଲ ମନ୍ଦ ବୁଝିବା ପାଇଁ ପ୍ରତି ୫୦ ଘର ପିଛା ଜଣେ ଲେଖାଏଁ ସ୍ବେଚ୍ଛାସେବୀ ଅଛନ୍ତି, ଯିଏ ମାସିକ ୫ହଜାର ଟଙ୍କା ପାଆନ୍ତି। ଭୋଟର୍ କାର୍ଡ, ଆଧାର କାର୍ଡ ସବୁ ତାଙ୍କ ରାଜ୍ୟରେ କଲେ ଯାଇ ଏସବୁ ସୁବିଧା ମିଳିବ।
ବିନା ନାମଫଳକ, ବିନା ସାଇନବୋର୍ଡରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଅନ୍ତର୍ଗତ ବିବାଦୀୟ ୨୧ଟି ଗାଁରେ ଏଭଳି ଢଙ୍ଗରେ ପଶିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ଲୋକମାନଙ୍କୁ ଏମିତି ପ୍ରଭାବିତ କଲେଣି ଯେ ସେମାନେ ଜଗନମୋହନ ଭଲ ବୋଲି କହିବାକୁ ପଛାଉନାହାନ୍ତି।
କୋଟିଆ କାହାର? ସେ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଏଭଳି ଭୀଷଣ ଚିତ୍ର ପାହାଡ଼ ପର୍ବତ ଘେରା ଏହି ଗାଁମାନଙ୍କରୁ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଲା, କୋରାପୁଟ ଜିଲ୍ଲା ପ୍ରଶାସନ ନାକ ତଳେ ଆନ୍ଧ୍ରପ୍ରଦେଶ ପ୍ରତିଦିନ ଜଣେ ପରେ ଜଣେ ଓଡ଼ିଶାର ଲୋକଙ୍କୁ ତା ଆଡକୁ ଟାଣିବାକୁ ଚେଷ୍ଟା ଚଳାଇଛି। ଅଥଚ କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ଥିବା ଜିଲ୍ଲାପାଳ, କେବିକେ ପ୍ରଶାସକ, ରାଜସ୍ବ ଆୟୁକ୍ତଙ୍କ ଭଳି ଅଫିସରମାନେ ଯେଉଁମାନଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଛନ୍ତି, ସେମାନେ ନିରବ ରହି ଏହି ଭୟଙ୍କର ଷଡଯନ୍ତ୍ରକୁ ନିରବ ସମର୍ଥନ ଦେବା ଭଳି ମନେ ହେଉଛି। ଓଡ଼ିଶାର ଭିତ୍ତିଭୂମି ବ୍ୟବହାର କରି ଆନ୍ଧ୍ରପ୍ରଦେଶ ସରକାର ଯେତେସବୁ କାର୍ଯ୍ୟ କରୁଛି, ତାର ପ୍ରତିବାଦ କେହି କରୁନାହାନ୍ତି। ସମ୍ଭବତଃ ଜଗନମୋହନ ସରକାର ସେଇଥିପାଇଁ ଫୋର୍ସ ଲଗାଇ ଗତ ସପ୍ତାହରେ ସେଠାରେ ପଞ୍ଚାୟତ ନିର୍ବାଚନ କରିବାକୁ ସାହସ କଲେ।
ଏସବୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସରକାରଙ୍କ ନଜରକୁ ଆଣୁଛି କି ନା ତାହା ଜଣାନାହିଁ। କିନ୍ତୁ ଏକଥା ସତ ଯେ ନବୀନ ପଟ୍ଟନାୟକଙ୍କର ଲୋକସେବା ଭବନରେ ଘୋଷଣା ହୋଇଥିବା ଫ୍ଲାଗସିପ୍ କାର୍ଯ୍ୟକ୍ରମ ମଧ୍ୟରୁ ଦୁଇ ଚାରିଟିକୁ ବାଦଦେଲେ ଅନ୍ୟ ସଂପର୍କରେ ସେମାନେ କିଛି ବି ଜାଣନ୍ତି ନାହିଁ। ମମତା ଯୋଜନାରେ ନା ତାଙ୍କୁ ଟଙ୍କା ମିଳୁଛି ନା ମୋ ସ୍କୁଲ ସଂପର୍କରେ କେହି କିଛି ଜାଣିଛନ୍ତି। ପିଲାଙ୍କୁ ମାଗଣାରେ ଜୋତା, ସାଇକେଲ୍ ସଂପର୍କରେ ବି ସେମାନେ କିଛି କହିପାରିଲେ ନାହିଁ।
ଆମେ ଗୋଟିଏ ପରେ ଗୋଟିଏ ଗାଁ ବୁଲୁଥିବା ବେଳେ ଏକାଧିକ ଆନ୍ଧ୍ର ଅଧିକାରୀଙ୍କୁ ଦେଖିଲୁ। କିଏ ଚାଉଳ ବାଣ୍ଟୁଛନ୍ତି ତ ଆଉ କିଏ ପାଠ ପଢାଉଛନ୍ତି। ପାଟୁସିନେରି ଗାଁରେ ଗଣେଶ ନାମକ ଜଣେ ସ୍ଥାୟୀ ଶିକ୍ଷକ, ଯିଏ ମାସିକ ୪୦ ହଜାର ଟଙ୍କା ଦରମା ପାଇ ସେଠାରେ ନିଯୁକ୍ତି ପାଇଛନ୍ତି, ସେ ଝୁମ୍ପୁଡି ଘରେ ପାଠ ପଢାଉଥିଲେ। ତା ସାମ୍ନାରେ ଥିବା ଓଡ଼ିଶା ସରକାରଙ୍କ ସ୍କୁଲ କୋଭିଡ୍ କାରଣରୁ ଖୋଲିନି। ଏଠାର ସଭାପତି ପାନ୍ଦିଲା ହିମିରିକା ସ୍ବୀକାର କରିଥିଲେ ଯେ ଉଭୟ ସ୍କୁଲର ପିଲା ସମାନ। ସେ ତାଙ୍କ ନିଜ ତିନି ପିଲାଙ୍କୁ ଆନ୍ଧ୍ର ସ୍କୁଲରେ ପଢାଉଛନ୍ତି। କାରଣ ବହି, ଖାତା, ପୋଷାକ୍ ବାଦ ବର୍ଷକୁ ୧୫ହଜାର ଟଙ୍କା ଲେଖାଏଁ ମିଳୁଛି। ଏଣୁ ଓଡ଼ିଶା ସ୍କୁଲରେ କେବଳ ନାମ ରଖିଛନ୍ତି।
ପ୍ରଶାସନିକ ଅବହେଳାର ଆଉ ଏକ ସାଂଘାତିକ ଚିତ୍ର ହେଲା, ଉପକୂଳ ଓଡ଼ିଶାରେ ଗୋଟିଏ ଗୋଟିଏ ପରିବାର ହାତରେ ଏକାଧିକ ଆବାସ ଘର। ହେଲେ ଏ ଅଞ୍ଚଳର ଲୋକ ଚାହିଁ ବି ତାଙ୍କୁ ମିଳୁନାହିଁ। ସେମାନେ ମୋଦୀ-ଜଗନ ଘର ଯୋଜନା ପାଇଁ କାଗଜ ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟରେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ ମିଟର ଦୂରରେ ୨୦୧୮-୧୯ରୁ ଆବାସ ଘର ପାଇଛନ୍ତି ଦାନୁ ତାଡିଙ୍ଗି। ଘର ସାରିଲେଣି। ଅଧା ପଇସା ମିଳିନି ବୋଲି ସେ ବାରଦୁଆର ହେଉଛନ୍ତି।
ପାହାଡ଼ ପର୍ବତ ଘେରା ଏହି ଅଞ୍ଚଳକୁ ଏବେ ରାସ୍ତା ଫିଟିଛି। ହେଲେ ସେ ରାସ୍ତାକୁ ଆନ୍ଧ୍ର ବାବୁମାନେ ଅଧିକ ବ୍ୟବହାର କରୁଛନ୍ତି। ସେମାନେ ଗାଡି ଧରି ଆସି ଗାଁମୁଣ୍ଡରେ ହାଜର। ଆମେ ବୁଲିବା ବେଳେ ଆନ୍ଧ୍ରର ଡେପୁଟି ତହସିଲଦାର ଜି ଚନ୍ଦ୍ରଶେଖରଙ୍କୁ ଭେଟିଲୁ। ପାର୍ବତୀପୁରମର ପିଡି ବି ଆସିଥିଲେ। ହେଲେ ରାଜ୍ୟ ସରକାରଙ୍କର ଜଣେ ବି ଅଧିକାରୀଙ୍କୁ ଦେଖିବାକୁ ମିଳିଲାନି। ସ୍ଥିତି ଏମିତି ଯେ ନବୀନ ପଟ୍ଟନାୟକ କୋଟିଆ ଯିବେ ବୋଲି ଘୋଷଣା କରିଛନ୍ତି, ଏକଥା ସେମାନଙ୍କୁ କେହି କହିନାହାନ୍ତି। ସରକାର ନିକଟରେ ଏତେ ପ୍ରକଳ୍ପ ଉଦଘାଟନ କଲେ, ଏକଥା ସମସ୍ତଙ୍କୁ ମାଲୁମ୍ ନାହିଁ। କୋଟିଆରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଛି, ଏକଥା ବି ସେମାନେ ଜାଣିନାହାନ୍ତି।
ଏବେ ପ୍ରଶ୍ନ ଉଠୁଛି, ଏମାନଙ୍କୁ କିଏ ଏକଥା ଜଣାଇବ? କୋରାପୁଟ ଜିଲ୍ଲାର ଗୋଟିଏ ଭୂଖଣ୍ଡ ହାତରୁ ଖସିଗଲେଣି, ତଥାପି କେହି ଚେତିବେନି? ଏଭଳି ବିଫଳତା ପାଇଁ କାହା ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ ହେବନି? କେବିକେ ପ୍ରଶାସକ, ରାଜସ୍ବ ଆୟୁକ୍ତ ଆଦି ଉଚ୍ଚ ପଦାଧିକାରୀ କାହା ସ୍ବାର୍ଥରେ କାମ କରୁଥିଲେ? ଯଦି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆସି ତନାଘନା କରୁଛନ୍ତି, ତେବ ଓଡ଼ିଶାର ମନ୍ତ୍ରୀ, ମୁଖ୍ୟସଚିବ, ବିଭିନ୍ନ ବିଭାଗର ସଚିବମାନେ ଏଠାକୁ ଆସିବାକୁ କିଏ ମନା କରିଛି?
ସ୍ଥାନୀୟ ଅଞ୍ଚଳର ଗଙ୍ଗା ବାଗ୍ ୧୯୮୬ ମସିହାରୁ କୋଟିଆ ଅଞ୍ଚଳରେ ରହୁଛନ୍ତି। ସେବେ ଯୁଗଳ ପଟ୍ଟନାୟକ ସେ ଅଞ୍ଚଳରେ ରାତିରେ ରହିଥିଲେ। ପରେ ସେମାନେ ମନେ ରଖିଛନ୍ତି ଯେ ପ୍ରଫୁଲ୍ଲ ଘଡାଇ ଓ ପ୍ରମିଳା ମଲ୍ଲିକ ଯାଇଥିଲେ। ନିକଟରେ ଧର୍ମେନ୍ଦ୍ର ପ୍ରଧାନ ସେ ଅ଼ଞ୍ଚଳକୁ ଗସ୍ତ କରିଥିଲେ। ସ୍ଥାନୀୟ ନେତାମାନେ ସେଠାକୁ କାହିଁକି ଯିବେନି? ଏହି ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିବା ନେତା ବି ତାଙ୍କ ଅଞ୍ଚଳ ଜଗିବେନି? ସରକାରୀ ବାବୁଙ୍କ ଭିତରେ ସେମାନେ କେବଳ ସଂଜୀବ ହୋତା, ଅଶୋକ ତ୍ରିପାଠୀ, ଅରବିନ୍ଦ ପାଢୀ, ଉଷା ପାଢୀ, ଗଦାଧର ପରିଡାଙ୍କୁ ମନେ ରଖିଛନ୍ତି।
ବଡ କଥା ହେଲା ଖୋଦ୍ ଗଜପତି ମହାରାଜାଙ୍କ ଉପସ୍ଥିତିରେ ସେଠାରେ ଶ୍ରୀଜଗନ୍ନାଥ ପ୍ରତିଷ୍ଠା ହୋଇ ପୂଜା ପାଉଛନ୍ତି। ରଥ ଗଡୁଛି, ପୁରୀ ରଥଯାତ୍ରା ପରଦିନ। ସେ ଅଞ୍ଚଳକୁ ଆଦିମ ଶ୍ରୀକ୍ଷେତ୍ର କୁହାଯାଉଛି। ମହାପ୍ରଭୁଙ୍କ ଭୂମିରେ ଓଡ଼ିଶାକୁ ଆନ୍ଧ୍ର ନିଜର ବୋଲି ଦାବି କରିବ, ତାକୁ ସରକାର ସହୁଛନ୍ତି କେମିତି?
ଏତେ ସବୁ ପରେ ବି କୋଟିଆ ଅଞ୍ଚଳର ଗେମନ ସିଙ୍ଗାରି କହିଛନ୍ତି, ସେ ଓଡ଼ିଶା ଛାଡି ଯିବାକୁ ଚାହାନ୍ତି ନାହିଁ। ଏବେ ସେମାନେ ଚାଷ କରି ଚଳୁଥିବା ଜମି ଉପରେ ସରକାର ଘର ଆଦି କରୁଛି। କିନ୍ତୁ ସେମାନଙ୍କୁ କିଛି ବି ମିଳୁନି। ନବୀନ ପଟ୍ଟନାୟକ ଏତେ କାମ କରୁଛନ୍ତି ଯଦି, ସେ କେମିତି ଓଡ଼ିଶାରେ ରହିବେ, ସେ ବ୍ୟବସ୍ଥା ବି କରନ୍ତୁ। ଗେମନ କହିବା ବେଳେ ଅନ୍ୟମାନେ ବି ସ୍ବର ମିଳାଇଛନ୍ତି।
ସେହିଭଳି ଫଗୁଣସିନେରି ଅଞ୍ଚଳର ହାରେକା ତିଲସୁ କହିଛନ୍ତି ଯେ ୧୬କିଲୋମିଟର ଘାଟି ରାସ୍ତା ଦେଇ କିଏ କୋଟିଆ ଯାଇ ନ୍ୟାୟ ପାଇବ। ୨୦୦ ଟଙ୍କା ଭଡା ଦେଲେ ଟଙ୍କିକିଆ ଚାଉଳ ଆଣିବୁ। ସରକାରଙ୍କୁ ବାରମ୍ବାର କହିସାରିଲୁଣି, କୋଟିଆ ପଞ୍ଚାୟତ ଅନ୍ତର୍ଗତ ଏହି ବିବାଦୀୟ ୨୧ ଗାଁକୁ ତିନି ଭାଗରେ ବିଭକ୍ତ କରି ତିନିଟି ପଞ୍ଚାୟତ କରନ୍ତୁ। ତେବେ ଯାଇ ନ୍ୟାୟ ପାଇବେ। ଓଡ଼ିଶା ସରକାର କଲେନି, କିନ୍ତୁ ଆନ୍ଧ୍ର ସରକାର ଏହି ୨୧ଟି ଗାଁକୁ ପାଟୁ ସିନେରି, ଫଗୁଣ ସିନେରି ଓ ତଳ ଗଞ୍ଜେଇପଦର ତିନିଟି ପଞ୍ଚାୟତ କରି ନିର୍ବାଚନ କଲେ। ଦୁଇଟି ପଞ୍ଚାୟତରେ ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ହୋଇ ଜିତିଛନ୍ତି। ନିକଟରେ ପାଟୁସିନେରି ଗ୍ରାମରେ ହୋଇଥିବା ନିର୍ବାଚନରେ ଜାଣିଶୁଣି ଆନ୍ଧ୍ର ସରକାର ଓଡ଼ିଶାର ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ କରିଥିଲେ। କତୁରୀ ଚିହ୍ନରେ ଲଢୁଥିବା କାମି ହିମିରିକା ଏବେ ସେଠାରେ ସରପଞ୍ଚ।
ଆନ୍ଧ୍ରର ବିସ୍ତାରବାଦୀ ନୀତି, ସ୍ଥାନୀୟ ଲୋକେ ସ୍ବାଭିମାନ ପରିବର୍ତ୍ତେ ସୁବିଧାବାଦକୁ ଆଶ୍ରୟ ଦେବା, ସର୍ବୋପରି ପ୍ରଶାସନିକ ନିଷ୍କ୍ରିୟତା ବା ଉଦାସୀନତା ଆଉ କଣ ଫଳ ଦିଅନ୍ତା?
(ଓଡ଼ିଶା ସୀମାନ୍ତ ଫାଟୁସେନେରିରୁ ଭବାନୀ ଶଙ୍କର ତ୍ରିପାଠୀଙ୍କ ରିପୋର୍ଟ)