ଆନ୍ଧ୍ରର ପାତପାଟଣମ୍ ଗାଁରେ ୩ କରୋନା ଆକ୍ରାନ୍ତ: ଓଡ଼ିଶା ସୀମା ସିଲ୍ କଲା ପ୍ରଶାସନ

ସୀମାନ୍ତ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ, କେବଳ ମାଲବାହୀ ଗାଡ଼ି ଛାଡ଼ିବାକୁ ନିର୍ଦେଶ, ୨ ପ୍ଲାଟୁନ୍ ଫୋର୍ସ ସହ ୮ ଅଫିସର ମୁତୟନ

ରାୟଗଡ଼ା: ଓଡ଼ିଶା ସୀମାନ୍ତକୁ ଲାଗିଥିବା ଆନ୍ଧ୍ରର ପାତପାଟଣମ୍ ଗାଁରେ ୩ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତତ୍ପର ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ରାୟଗଡ଼ାରୁ ଆନ୍ଧ୍ରକୁ ସଂଯୋଗ ହୋଇଥିବା ଗୁଣପୁର, ରାମନାଗୁଡ଼ା ବ୍ଲକ୍ ଅଞ୍ଚଳର ୫ଟି ରାସ୍ତାକୁ ସିଲ୍ କରି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୁଲିସ୍। ୨୪ ଘଣ୍ଟିଆ ଡ୍ୟୁଟି ପାଇଁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୮ ଜଣ ଅଫିସରକୁ ମୁତୟନ କରାଯାଇଛି। ଗୁଣପୁରରୁ କାଶୀନଗରକୁ ସଂଯୋଗ ହୋଇଥିବା ଗଜପତି ଜିଲ୍ଲା ସୀମାନ୍ତକୁ ମଧ୍ୟ ପ୍ରଶାସନ ସିଲ୍ କରିଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସମସ୍ତ ସୀମାନ୍ତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

କରୋନା ଆକ୍ରାନ୍ତ ବ୍ୟକ୍ତି ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳର କିଛି ଗାଁକୁ ଆସିଥିବା ସୂଚନା ପରେ ସୀମାନ୍ତବର୍ତ୍ତୀ ଗାଁରୁ କୌଣସି ବ୍ୟକ୍ତି ରାୟଗଡ଼ା ଜିଲ୍ଲାକୁ ଯେମିତି ନ ପଶି ଆସନ୍ତି ସେ ଦିଗରେ ପଦକ୍ଷେପ ନେଇଛି ପ୍ରଶାସନ। ଆନ୍ଧ୍ର ସୀମାନ୍ତରେ ଥିବା କାଟିକି, ସୁଲୁଡ଼ି, ଗୋଠଲପଦର, ଜଗନ୍ନାଥପୁର, କାଶୀନଗର ସୀମାରେ ନାକାବନ୍ଦୀ ଲଗାଯାଇଛି। ପୂର୍ବରୁ ଏହି ସବୁ ଗଳାବାଟ ଦେଇ ଯାନବାହନ ସମେତ ଲୋକମା‌ନେ ବିଭିନ୍ନ କାମରେ ଯାତାୟାତ କରୁଥିଲେ। ଆନ୍ଧ୍ରରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବାରୁ ତ୍ବରିତ୍ ପଦକ୍ଷେପ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଗୁଣପୁର ଉପଜିଲ୍ଲାପାଳ ଡ. ବଳିରାମ ସିଦ୍ଧେଶ୍ବର ବନ୍ଦର, ଏସଡିପିଓ ରାଜ କିଶୋର ଦାଶ, ତହସିଲଦାର ଲକ୍ଷ୍ମୀନାରାୟଣ ସାବତ, ଗୁଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।

ଗଜପତି ଜିଲ୍ଲା ସୀମାନ୍ତ କତାଗୁଡା ଘାଟିରେ ଜିଲ୍ଲାପାଳ ପହଞ୍ଚି ସିଲ୍ କରାଯାଇଥିବା ରାସ୍ତାକୁ ଦେଖିବା ସହ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଛନ୍ତି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ମାଲଗାଡି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ଚଳ ପ୍ରଚଳକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି। ମାଲବାହୀ ଗାଡ଼ି ଗୁଡ଼ିକରେ ୨ ଜଣ ଡ୍ରାଇଭର, ଜଣେ ହେଲପର ବ୍ୟତୀତ ଆଉ କେହି ଯେମିତି ନ ଆସନ୍ତି ସେ ଦିଗରେ ଦୃଷ୍ଟି ଦେବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦେଶ ହୋଇଛି। ମେଡ଼ିକାଲ୍ କାମରେ ଯାତାୟାତ କରୁଥିବା ଗାଡ଼ି ଗୁଡ଼ିକ ମଧ୍ୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଅନୁମତିରେ ହିଁ ଚଳାଚଳ କରିବାକୁ ନିର୍ଦେଶ ହୋଇଛି।

ଗୁଣପୁର ବ୍ଲକର ଗାଦିଆଖଳା ପଞ୍ଚlୟତ ଦେଇ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା, ଜଗନ୍ନାଥପୁର-ଗୋଠଲପଦର ଦେଇ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ସିଲ କରାଯାଇଛି। ଗୁଣପୁର ପରେ ଆନ୍ଧ୍ରକୁ ଲାଗିଥିବା ରାମନାଗୁଡ଼ା ବ୍ଲକ୍ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। କାଟିକି, ସୁଲୁଡ଼ି ଗାଁକୁ ଯାଇ ଜିଲ୍ଲାପାଳ ସୀମା ଯାଞ୍ଚ କରିବା ପରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଗୋଗୁପାଡୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବଂଶୀଧର ସେଠୀ, ଗୋଗୁପାଡୁ ସରପଞ୍ଚ ବିଜୟ କୁମାର ମାଣ୍ଡାଙ୍ଗି, ପୂର୍ବତନ ସମିତି ସଭ୍ୟ କମଳ ମୁଟିକା, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ସହ ଆଲୋଚନା କରିଥିଲେ। ଏହି  ରାସ୍ତା ଦେଇ ଆନ୍ଧ୍ରର ଶ୍ରୀକାକାଲୁମ ଜିଲ୍ଲାରୁ ବାଇକରେ ଅନେକ ଲୋକ ଯାତାୟତ କରୁଥିବାରୁ କଡା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସୀମା ପରିଦର୍ଶନ କରିବା ପରେ ଜିଲ୍ଲାପାଳ ଶ୍ରୀ ବେହେରା, ଉପଜିଲ୍ଲାପାଳ ଶ୍ରୀ ବନ୍ଦର ରାମନାଗୁଡା ବ୍ଲକକୁ ଯାଇ ବିଡିଓ, ତହସିଲଦାରଙ୍କ ସହ ଆଲୋଚନା କରିଥିଲେ। ଲକଡାଉନ ପରେ ଗାଁ ମୁହାଁ ହେବାକୁ ଥିବା ଶ୍ରମିକଙ୍କ ପଞ୍ଜିକରଣ ସହ କ୍ବାରାଣ୍ଟିନରେ କିପରି ରଖାଯିବ, ସ୍ବାସ୍ଥ୍ୟଗତ ଯତ୍ନ ସଂପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ।

ଲକଡାଉନ୍ ପରେ ଜିଲ୍ଲା ପୁଲିସ୍, ପ୍ରଶାସନ ପକ୍ଷରୁ ରାୟଗଡ଼ାରୁ ଆନ୍ଧ୍ରକୁ ସଂଯୋଗ ହୋଇଥିବା ଜାତୀୟ ରାଜପଥକୁ କେରେଡ଼ା ନିକଟରେ ସିଲ୍ କରାଯାଇଥିଲା। ଜିଲ୍ଲା ସୀମାନ୍ତରେ ନାକାବନ୍ଦୀ ଲଗାଯାଇ ଯାଞ୍ଚ ଚାଲିଥିଲା। ୯ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୧୦ଟି ଟିମ୍ ଯାଞ୍ଚ ବ୍ୟବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର