ରାଜ୍ୟ ବଜେଟ୍‌ ୨୦୧୮-୧୯ : କୃଷି, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍‌ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ବିରୋଧୀଙ୍କ ହଟଗୋଳ ଯୋଗୁଁ ଗୃହ ଦୁଇ ଦୁଇ ଥର ମୁଲତବୀ ହେବା ପରେ ଅପରାହ୍ନ ୩ଟା ବେଳେ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିଛନ୍ତି।

ଅର୍ଥମନ୍ତ୍ରୀ ପୂର୍ବ ବର୍ଷ ଭଳି ଏ ବର୍ଷ ଦୁଇ ଭାଗରେ ବଜେଟ୍‌କୁ ଉପସ୍ଥାପନ କରିଛନ୍ତି। ସେ ପ୍ରଥମେ କୃଷି ବଜେଟ୍‌ ଉପସ୍ଥାପନ କରିଛନ୍ତି। ରାଜ୍ୟରେ ୫୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି। ଚଳିତ ବର୍ଷ ବଜେଟ୍‌ର ପରିମାଣ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ରହିଛି ଯାହାକି ଗତ ଗତ ବର୍ଷ ତୁଳନାରେ ୧୧.୩ ପ୍ରତିଶତ ଅଧିକ । ବଜେଟରେ କୃଷି, ଜଳସେଚନ, ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷା , ଦକ୍ଷତା ବିକାଶ ଓ କ୍ରୀଡା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ରାଷ୍ଟ୍ରୀୟ ହାରଠାରୁ ଅଧିକ ରହିବା ଅନୁମାନ କରାଯାଉଛି । ଜାତୀୟ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ଅନୁମାନ କରାଯାଉଥିବାବେଳେ ରାଜ୍ୟର ଅଭିବୃଦ୍ଧି ହାର ୭.୧୪ ରହିବା ଅନୁମାନ କରାଯାଉଛି । ତେବେ ଏବର୍ଷ ରାଜ୍ୟ ସରକାର ୧୯୬୭୮ କୋଟି ଟଙ୍କାର ଋଣ କରିବେ । ପ୍ରଥମ ପର୍ଯ୍ୟାୟରେ ଉପସ୍ଥାପିତ କୃଷି ବଜେଟ୍‌ର ପରିମାଣ ରହିଛି ୧୬ ହଜାର ୩ ଶହ ୬୫ କୋଟି ଟଙ୍କା। କୃଷକଙ୍କଠାରୁ ଧାନସଂଗ୍ରହ ବାବଦରେ ଉଚିତ ମୂଲ୍ୟ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ବଜେଟରେ ସର୍ବାଧିକ ୧୯,୬୩୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟିର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟସେବା ଉପରେ ପ୍ରାଥମିକତାକୁ ବଜାୟ ରଖି ନିରାମୟ ଯୋଜନା ପାଇଁ ୩୦୪ କୋଟି ଓ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ଯୋଜନା ପାଇଁ ୭୦୦ କୋଟି ର ବ୍ୟୟବରାଦ କରାଯାଇଛି ।

ବଜେଟର ମୁଖ୍ୟାଂଶ ପ୍ରଦାନ କରାଗଲା…
• ଗ୍ରାମାଞ୍ଚଳ ଜଳଯୋଗାଣ ଲାଗି ୧୦୦୦ କୋଟି।
• ଦକ୍ଷତା ବିକାଶ ଓ ଶିକ୍ଷା ଲାଗି ସର୍ବାଧିକ ୧୯,୬୩୮ କୋଟି ଟଙ୍କାର ଆବଣ୍ଟନ
• ସହରାଞ୍ଚଳରେ ଜଳଯୋଗାଣ ଲାଗି ୩୫୦ କୋଟି ଟଙ୍କା
• ମୋ ସ୍କୁଲ୍‌ ଅଭିଯାନ ଲାଗି ୫୦ କୋଟି ଆବଣ୍ଟନ।
• ୨୬୧୯ କୋଟର ଆବଣ୍ଟନ ୮ଟି ଜଳସେଚନ ପ୍ରକଳ୍ପ ଲାଗି।
• ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଲାଗି ୧୨୪୭ କୋଟି।
• ନବକୃଷ୍ଣ ଚୌଧୁରୀ ଜଳସେଚନ ପ୍ରକଳ୍ପ ୬୩୫ କୋଟି।
• ଫସଲ ବୀମା ପ୍ରିମିୟମ୍‌ ଲାଗି ୪୦୦ କୋଟି ଟଙ୍କା।
•ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଲାଗି୭୫୦ କୋଟି
• ରାଜ୍ୟର ୨୫ ଲକ୍ଷ ଚାଷୀ ଫସଲ ବୀମାଭୁକ୍ତ।
• ମତ୍ସ୍ୟଜୀବୀଙ୍କୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ପରାମର୍ଶ।
• ସର୍ବ ଶିକ୍ଷା ଅଭିଯାନ ୧୮୦୦ କୋଟି।
• ଆଦର୍ଶ ବିଦ୍ୟାଳୟ ନିର୍ମାଣ ଲାଗି ୨୫୦ କୋଟି।
• ନିରାମୟ ଯୋଜନା ୩୦୪ କୋଟି।
•୮୦୮ କୋଟି ମଧ୍ୟାହ୍ନ ଭୋଜନ।
• ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ଯୋଜନା ଲାଗି ୭୦୦ କୋଟି।
• ରାଷ୍ଟ୍ରୀୟ ମାଧ୍ୟମ ଶିକ୍ଷା ଅଭିଯାନ ୫୦୦ କୋଟି।
• ବିଜୁ କୃଷକ ଯୋଜନାଲାଗି ୯୦ କୋଟି।
• ଗୋପବନ୍ଧୁ ଗ୍ରାମୀଣ ଯୋଜନା ଲାଗି ୫୦୦ କୋଟି।
• ସ୍ମାର୍ଟ ସିଟି ପାଇଁ ୪୦୦ କୋଟି
• ପୁରୁଷ ବିଶ୍ୱ କପ୍‌ ହକି ପାଇଁ ୧୨୫ କୋଟି।
• ଓଡ଼ିଆ ଭାଷେ କମିସନ ଗଠନ ହେବ।
• ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ୧ କୋଟି।

ସମ୍ବନ୍ଧିତ ଖବର