ଭୁବନେଶ୍ବର: ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଲଗାତାର ପଞ୍ଚମ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ ଶ୍ରୀ ପୂଜାରୀ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେବେଠାରୁ ସେ ଏହି ଦାୟିତ୍ବରେ ଅଛନ୍ତି। ଆଜି ଅପରାହ୍ନ ୪ଟାରେ ବଜେଟ୍ ଉପସ୍ଥାପନ ଆରମ୍ଭ ହୋଇଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀ ପୂଜାରୀ ବଜେଟ୍ ଭାଷଣ ପଢ଼ିଥିଲେ। ଅର୍ଥ ମନ୍ତ୍ରୀଙ୍କ ସମେତ ସବୁ ବିଧାୟକଙ୍କ ଟେବୁଲ୍ରେ ବଜେଟ୍ ପୁସ୍ତିକା ଦିଆଯାଇଥିଲା। ତେବେ ଅର୍ଥ ମନ୍ତ୍ରୀ ଟାବ୍ଲେଟ୍ ଦେଖି ବଜେଟ୍ ଭାଷଣ ପଢ଼ିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମୟରେ ଗୃହରେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ନୂଆ ଓ ବଡ଼ ଯୋଜନା ସମ୍ପର୍କରେ ଅର୍ଥ ମନ୍ତ୍ରୀ ଘୋଷଣା କରୁଥିଲା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଟେବୁଲ୍ ବାଡ଼ଉଥିଲେ। ଶାସକ ଦଳର ଅନ୍ୟ ସଭ୍ୟମାନେ ମଧ୍ୟ ତାଙ୍କ ସହ ଟେବୁଲ୍ ବାଡ଼େଇଥିଲେ। ବଜେଟ୍ ଉପସ୍ଥାପନ ସମୟରେ କେବଳ ମହମ୍ମଦ ମୋକିମ୍ଙ୍କ ବାଦ୍ କଂଗ୍ରେସର ଅନ୍ୟ ବିଧାୟକମାନେ ଅନୁପସ୍ଥିତ ଥିଲେ। ରାୟପୁରରେ ଚାଲିଥିବା ଏଆଇସିସି ଅଧିବେଶନରେ ଯୋଗ ଦେବାକୁ କଂଗ୍ରେସର ସବୁ ବିଧାୟକ ସେଠାକୁ ଯାଇଛନ୍ତି।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୩୨୫ କୋଟି
୨୦୨୩-୨୪ ବଜେଟ୍ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୩୨୫ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଆଜି ଅର୍ଥ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଯୋଜନା ଓ ସଂଯୋଜନ ବିଭାଗ ପାଇଁ ୧୩,୧୦୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେବିକେ ଜିଲ୍ଲାଗୁଡ଼ିକରେ ଭିତ୍ତିଭୂମି ବିକାଶ ପାଣ୍ଠି ଯୋଜନା ଅଧୀନରେ ୧୩୦ କୋଟି, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି, ସ୍ପେସାଲ୍ ପ୍ରୋବ୍ଲେମ୍ ଫଣ୍ଡ୍ ପାଇଁ ୨୦୦ କୋଟି ଓ ସେତୁ ଯୋଜନା ଅଧୀନରେ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲା ସ୍ତରରେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ପାଇଁ କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡ୍ ନିମନ୍ତେ ୪୨ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: କାହା ପାଇଁ କେମିତି
ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା, ରୂପାନ୍ତରିତ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟର ଉତ୍କର୍ଷକୁ ସ୍ବୀକୃତି ଦେବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରାଯାଇଛି। ଏହି ଯୋଜନାରେ ୩୪ ହଜାର ୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍ ପୁରସ୍କାର, ୧୭ ହଜାର ୧୧୮ ଛାତ୍ରଛାତ୍ରୀଙ୍କୁ ନେତୃତ୍ବ ପୁରସ୍କାର, ଦଶମ ବୋର୍ଡ ରେଜଲ୍ଟ ଓ ଆର୍ଥିକ ମାନଦଣ୍ଡ ଆଧାରରେ ୨ ହଜାର ମେଧାବୀଙ୍କୁ ବୃତ୍ତି ପ୍ରଦାନ କରାଯିବ। ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ୭୦୦ ଶିକ୍ଷକ, ୪୧୯ ପ୍ରଧାନ ଶିକ୍ଷକ, ୫୮ଜଣ ସିଆରସିସି, ୧୦ଜଣ ବିଇଓ, ୩ଜଣ ଡିଇଓଙ୍କୁ ପୁରସ୍କୃତ କରାଯିବ। ପ୍ରାଥମିକ ବିଦ୍ୟାଳୟ ବର୍ଗରେ ୩୫୦ଜଣ ପ୍ରଧାନ ଶିକ୍ଷକଙ୍କ ସହ ୩୧୯ଜଣ ଶିକ୍ଷକ ସମ୍ବର୍ଦ୍ଧିତ ହେବେ। ପ୍ରାଥମିକ ଶିକ୍ଷା ସ୍ତରରେ ୧୩୦୭ ବିଦ୍ୟାଳୟ ଓ ୩ଟି ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପୁରସ୍କାର ପ୍ରଦାନ କରାଯିବ। ମାଧ୍ୟମିକ ସ୍ତରରେ ୩ଟି ଜିଲ୍ଲା, ୧୦ଟି ବ୍ଲକ, ୧୦୫୭ ବିଦ୍ୟାଳୟ, ୪୧୪ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ୪୧୯ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି, ୪୧୯ ଶ୍ରେଷ୍ଠ ପୂର୍ବତନ ଛାତ୍ରଛାତ୍ରୀଙ୍କ କମିଟିକୁ ପୁରସ୍କୃତ କରାଯିବ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।