ଭୁବନେଶ୍ବର/ଭଦ୍ରକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବଜେଟ୍‌ରେ ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ତେବେ ଭଦ୍ରକବାସୀଙ୍କର ଦୀର୍ଘ ଦିନର ସ୍ବପ୍ନ ପୂରା ହେବାକୁ ଯାଉଛି। ରାଜ୍ୟ ସରକାର ଭଦ୍ରକ ସମେତ ୪ଟି ନୂଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଆଗାମୀ ଆର୍ଥିକ ବଜେଟ୍‌ରେ ୪ଟି ବିଶ୍ବବିଦ୍ୟାଳୟ ଖୋଲିବାକୁ ପ୍ରସ୍ତାବ ରଖିଛନ୍ତି। ଏଗୁଡ଼ିକ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତିଷ୍ଠା କରାଯିବ। ସେହିପରି ରାଜ୍ୟ ସରକାର ୫ଟି ନୂଆ ମେଡିକାଲ କଲେଜ ଖୋଲିବାକୁ ଯାଉଛନ୍ତି। ଗଜପତି, ରାୟଗଡ଼ା ଏବଂ ମାଲକାନଗିରିରେ ଆୟୁର୍ବେଦିକ ମହାବିଦ୍ୟାଳୟ ଖୋଲିବ। ସେହିପରି ନୟାଗଡ଼ ଓ ନୂଆପଡ଼ାରେ ହୋମିଓପ୍ୟାଥି କଲେଜ ପ୍ରତିଷ୍ଠା କରାଯିବ। ସରକାର ନୟାଗଡ଼ରେ ଫାର୍ମା ପାର୍କ ପ୍ରତିଷ୍ଠା କରିବାକୁ ବଜେଟ୍‌ରେ ପ୍ରସ୍ତାବ ରଖିଛନ୍ତି।

ଭଦ୍ରକ ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଉଛି। ଆଜକୁ ୨୫ ବର୍ଷରୁ ଅଧିକ ସମୟ ଧରି ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବିକରି ଆସୁଥିଲେ। ବିଜେଡି  ୨୪ ବର୍ଷ ସରକାରରେ ରହିଲା। କିନ୍ତୁ ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିପାରିଲେ ନାହିଁ। ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଉଥିଲା। ସରକାରକୁ ଆସିଲେ ମେଡିକାଲ କଲେଜ୍  ଆଉ ବିଶ୍ଵବିଦ୍ୟାଳୟ ଭଦ୍ରକରେ ପ୍ରତିଷ୍ଠା କରିବେ। ଗତ ୪ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଗସ୍ତରେ ଆସୁଥିବା ବେକେ ଏକ ସମାବେଶରେ ଭଦ୍ରକରେ ମେଡ଼ିକାଲ କଲେଜ୍ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ  ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିବା ସହ  ରାଜ୍ୟ ବଜେଟରେ  ଏଥି ପାଇଁ  ଅର୍ଥ  ଅନୁମୋଦନ କରୁଛନ୍ତି। ମୁଖ୍ୟମନ୍ତ୍ରୀ  ଆଜି ବିଧାନ ସଭାରେ ଏଇ ଘୋଷଣା କରିବା ପରେ ଭଦ୍ରକ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଭଦ୍ରକବାସୀଙ୍କର ବହୁ ଦିନର ସ୍ବପ୍ନ ସାକାର ହୋଇଛି।

ଆହୁରି ପଢ଼ନ୍ତୁ: Odisha Budget: ନବୀନ କହିଲେ 'ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ': ଜୋମାଟୋ କଥା କହି ଜବାବ ଦେଲା ବିଜେପି 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରତିଟି ପରିବାରକୁ ଗୁଣାତ୍ମକ ଏବଂ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ବଜେଟ୍ ୨୦୨୬-୨୭ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଇଛି। ସାଧାରଣ ଜନତାଙ୍କୁ ଦୁର୍ମୂଲ୍ୟ ଚିକିତ୍ସା ଖର୍ଚ୍ଚରୁ ମୁକ୍ତି ଦେବା ସହ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିପୁଳ ପାଣ୍ଠିର ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ସରକାରୀ ଚିକିତ୍ସାଳୟରେ ଆଧୁନିକ ଚିକିତ୍ସା ଉପକରଣ, ମାଗଣା ଔଷଧ ଏବଂ ରୋଗ ନିରୂପଣ ସୁବିଧାକୁ ସୁନିଶ୍ଚିତ କରାଯାଇଛି। ଏକ ସୁସ୍ଥ ଓ ନିରୋଗ ଓଡ଼ିଶା ଗଠନ କରିବା ଲକ୍ଷ୍ୟରେ ନୂତନ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରୂପାନ୍ତରଣ ଉପରେ ଏହି ବଜେଟ୍ ସ୍ୱତନ୍ତ୍ର ଦୃଷ୍ଟି ନିବଦ୍ଧ କରିଛି।