ଓଡ଼ିଶା ବଜେଟ୍‌ : ୧ ଲକ୍ଷ ୫୦ ହଜାର କୋଟିର ବ୍ୟୟବରାଦ, ୨୫ ହଜାର ୭୦୦ କୋଟି ଋଣ କରିବେ ସରକାର

ଭୁବନେଶ୍ୱର : ଓଡ଼ିଶାର ଅର୍ଥମନ୍ତ୍ରୀ ଆଜି ବିଧାନସଭାରେ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୪ ହଜାର ୩୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୨୫ ହଜାର ୭୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ କରାଯିବ ।

ରାଜ୍ୟ ସରକାରଙ୍କ ଧାର୍ଯ୍ୟ ୧ ଲକ୍ଷ ୨୪ ହଜାର କୋଟି ରାଜସ୍ୱ ସଂଗ୍ରହ ମଧ୍ୟରୁ ୩୮,୩୫୦ କୋଟି ସରକାରଙ୍କ ନିଜସ୍ୱ ଟିକସ ସଂଗ୍ରହ, ୧୭,୬୫୦ କୋଟିର ଅଣ-ଟିକସ ରାଜସ୍ୱ ସଂଗ୍ରହ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ୩୬ ହଜାର କୋଟି ଟଙ୍କା ରହିବ । ସେହିପରି କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ରାଜ୍ୟସରକାର ୩୨ ହଜାର କୋଟି ପାଇବେ । ଏଥର ରାଜ୍ୟର ଆର୍ଥିକ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ଅଟକଳ କରାଯାଉଛି ।

୧ ଲକ୍ଷ ୫୦ କୋଟିର ବ୍ୟୟବରାଦ ମଧ୍ୟରୁ ପ୍ରଶାସନିକ ବ୍ୟୟ ପାଇଁ ୬୫,୬୫୫ କୋଟି, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭୪ ହଜାର କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୦୦ କୋଟି ବ୍ୟୟବରାଦ କରାଯାଇଛି । ପୌରସଂସ୍ଥାଗୁଡ଼ିକୁ ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କୁ ୭୧୪୫ କୋଟି ପ୍ରଦାନ କରାଯିବ ।

ରାଜ୍ୟ ସରକାର ଏଥର କୃଷି କ୍ଷେତ୍ର ପାଇଁ ୧୯୪୦୮ କୋଟି, ଶିକ୍ଷା କ୍ଷେତ୍ର ପାଇଁ ୨୨,୬୩୧ କୋଟି ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୭୭୦୦ କୋଟିର ବ୍ୟୟବରାଦ କରିଛନ୍ତି । ସେହିପରି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ ୩୨୫୦ କୋଟିର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଏହି ବଜେଟରେ ୩୯୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସମ୍ବନ୍ଧିତ ଖବର