ଯୋଜନା ଓ ବ୍ୟୟ ମଧ୍ୟରେ ଆସିବ ସମନ୍ୱୟ
ଖର୍ଚ୍ଚର ଗୁଣବତ୍ତା ବଢ଼ିବ, ବିଶେଷଜ୍ଞ ଆଶ୍ୱସ୍ତ

Advertisment

ଭୁବନେଶ୍ୱର : ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ଯେକୌଣସି ‌ଯୋଜନା/ସ୍କିମ୍ ଆଉ ଲୋକଙ୍କ ଉପରେ ମନଇଚ୍ଛା ଲଦିପାରିବେ ନାହିଁ। ଯୋଜନା ଘୋଷଣା ପୂର୍ବରୁ ବିଶେଷଜ୍ଞମାନଙ୍କର ମତାମତ ନିଆଯିବ। ଏହା କେତେଦୂର ଫଳପ୍ରଦ ହେବ, ସେସଂପର୍କରେ ବିଶେଷ ଅନୁଧ୍ୟାନ ସହିତ ଠୋସ୍ ଖସଡ଼ା ପ୍ରସ୍ତୁତ କରାଯିବ। ରାଜ୍ୟ ଯୋଜନା ଅର୍ଥ ଶତ ପ୍ରତିଶତ ଫଳପ୍ରଦ ବିନିଯୋଗ ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଏଥିପାଇଁ ଆସନ୍ତା ମାର୍ଚ୍ଚ ବେଳକୁ ଆଗତ ହେବାକୁ ଥିବା ବଜେଟ୍ ନୂଆ ରୂପ ନେବାକୁ ଯାଉଛି। ବଜେଟରେ ବିଭିନ୍ନ ବିଭାଗମାନେ ସ୍ବତନ୍ତ୍ର ଭାବେ ଗବେଷଣା ଓ ବିକାଶ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ) ପାଇଁ ଅର୍ଥ ବରାଦ କରିବେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅର୍ଥ ବିଭାଗ ଏ ସଂପର୍କରେ ବିଭିନ୍ନ ବିଭାଗର ମୁଖିଆଙ୍କୁ ଜଣାଇ ସାରିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅର୍ଥନୈତିକ ବିଶେଷଜ୍ଞଙ୍କୁ ଆଶ୍ୱସ୍ତ କରିଛି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗବେଷଣା ଓ ବିକାଶ ବା ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍‌ ଉପରେ ସବୁ ‌ବିକଶିତ ଦେଶ ଗୁରୁତ୍ୱ ଦେଇଥାନ୍ତି। ଜିଡିପି ତୁଳନାରେ ଗବେଷଣା ଓ ବିକାଶ ଖର୍ଚ୍ଚର ଅନୁପାତ ଯେତେ ଅଧିକ ରହେ ସେ ଦେଶର ବିକାଶ ସେତେ ଆଗକୁ ବଢ଼ିଥାଏ। ଏହାଦ୍ବାରା ବିଭାଗ ଗୁଡ଼ିକର ଖର୍ଚ୍ଚ ଆବଶ୍ୟକତା କେତେ ତାହା ସାମ୍ନାକୁ ଆସିଥାଏ। ବଜେଟ୍ ଅର୍ଥ ଅପବ୍ୟୟ ହେବାର ଆଶଙ୍କା କମିଥାଏ। କେବଳ ସେତିକି ନୁହେଁ, ବ୍ୟୟ ବରାଦର ସର୍ବାଧିକ ଲାଭ ବିଭାଗଗୁଡ଼ିକୁ ମିଳିଥାଏ। ଏସବୁ ବିଷୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମ ଥର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଚାଲିଥିବା ବଜେଟ ପ୍ରସ୍ତୁତିରେ ଏହା ଉପରେ ଗୁରୁତ୍ବ ଦେଉଛନ୍ତି। ପ୍ରତ୍ୟେକ ବିଭାଗ ଲାଗି ଗବେଷଣା ଓ ବିକାଶ ଖର୍ଚ୍ଚ କେତେ ରହିବ, ତାହାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ।

publive-image who.int

‘ସମ୍ବାଦ’ର ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ରାଜ୍ୟ ସରକାରଙ୍କ ସବୁ ବିଭାଗର ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ଏହି ମର୍ମରେ ଏକ ଚିଠି ଇତିମଧ୍ୟରେ ଲେଖିସାରିଛନ୍ତି। ଉକ୍ତ ଚିଠିକୁ ଅଗ୍ରାଧିକାର ଦେବା ପାଇଁ ଶ୍ରୀ ଦେବ କହିଛନ୍ତି ଓ କେଉଁ ବିଭାଗ କେତେ ଅର୍ଥ ଏଥିଲାଗି ବ୍ୟୟବରାଦ କରିଛନ୍ତି ତାହା ଜଣାଇବା ପାଇଁ କହିଛନ୍ତି।

ଅର୍ଥ ବିଭାଗ ଏହି ଚିଠିରେ ଆହୁରି କହିଛି ଯେ କେଉଁ ମୂଳ ଯୋଜନା ଅଧୀନରେ ଯୋଜନା ବା ଉପଯୋଜନା ବା ଯୋଜନାର ଅଂଶ ପ୍ରସ୍ତୁତ କରାଯାଇଛି ତାହା ଏବେ ବିଭାଗମାନଙ୍କୁ ଲେଖିବାକୁ ହେବ। ଦ୍ବିତୀୟତଃ ଗବେଷଣା ଓ ବିକାଶ କାର୍ଯ୍ୟରେ ସାମିଲ ସୋସାଇଟି ଏବଂ ବୋର୍ଡ ଆଦି ସମେତ ସଂଯୁକ୍ତ/ ଅଧସ୍ତନ କାର୍ଯ୍ୟାଳୟ ଏବଂ ସ୍ବଂୟଶାସିତ ସଂସ୍ଥା ପାଇଁ ଅର୍ଥ ବରାଦ କରିବାକୁ ହେବ। ଅର୍ଥବିଭାଗ ଏ ସଂକ୍ରାନ୍ତରେ ଏକ ଫର୍ମାଟ୍ ପ୍ରସ୍ତୁତ କରି ବିଭିନ୍ନ ବିଭାଗକୁ ଦେଇଛି। ଏହି ଢାଞ୍ଚାରେ ବିଭାଗମାନେ ତଥ୍ୟ ଉଲ୍ଲେଖ କରିବେ। ଏଥିସହିତ ଅର୍ଥ ବିଭାଗ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଗତବର୍ଷ ଦିଆଯାଇଥିବା ଗବେଷଣା ଓ ବିକାଶ ବାବଦ ବ୍ୟୟ ରିପୋର୍ଟ‌କୁ ଏଥିରେ ସଂଲଗ୍ନ କରିଛି। ବିଭାଗ ଗୁଡ଼ିକ ତାହାର ସହାୟତା ନେଇପାରିବେ ବୋଲି ଅର୍ଥ ସଚିବ ଉଲ୍ଲେଖ କରିଛନ୍ତି।

publive-image The Economic Times

ରାଜ୍ୟ ବଜେଟ୍ ସହିତ ସଂଶ୍ଳିଷ୍ଟ ଥିବା ବିଶେଷଜ୍ଞମାନେ ମତ ରଖି କହିଛନ୍ତି ଯେ ପୂର୍ବରୁ ଜାତୀୟସ୍ତରରେ ପ୍ରତିରକ୍ଷା ବିଭାଗକୁ ଛାଡିଦେଲେ କେନ୍ଦ୍ର ସରକାରଙ୍କ ଅନ୍ୟ ବିଭାଗ ତାଙ୍କ ବଜେଟରେ ଗବେଷଣା ଓ ବିକାଶ ବାବଦରେ ଟଙ୍କାଟିଏ ବି ଅର୍ଥ ରଖୁନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଶିଷ୍ଟ ଅର୍ଥନୀତିଜ୍ଞମାନେ ମତ ରଖିଆସିଛନ୍ତି ଯେ କୌଣସି ଯୋଜନା ବା କାର୍ଯ୍ୟକ୍ରମ ହାତକୁ ନେବା ପୂର୍ବରୁ ତା ସଂପର୍କରେ ବିଶଦ ଅନୁଶୀଳନ କରାଯିବା ଯେଭଳି ଅପରିହାର୍ଯ୍ୟ ଠିକ୍ ସେହିଭଳି ସେଥିରେ ନୂତନ ଜ୍ଞାନକୌଶଳର ଉପଯୋଗ ଆଦି ଦିଗରେ ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ। କାରଣ ଏବେ ବିଭିନ୍ନ ବିଶ୍ବବିଦ୍ୟାଳୟ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ଷ୍ଟାଟ୍ଅପ୍ ଓ ସଂସ୍ଥା ଏ ଦିଗରେ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତବର୍ଷ ପରୀକ୍ଷାମୂଳକ ଭାବେ କେତୋଟି କ୍ଷେତ୍ରରେ ଏହାର ଉପଯୋଗ କରିଥିଲେ। ଓଡ଼ିଶା ସରକାର ବଜେଟରେ ଯଦି ଏମିତି କରୁଥାନ୍ତି, ତେବେ ସବୁ ଯୋଜନାର ସୁଫଳ ମିଳିବ। ଓଡ଼ିଶାରେ ମଧ୍ୟ ଅନେକ କ୍ଷେତ୍ରରେ ବିଶେଷଜ୍ଞ ସଂସ୍ଥା ଆସିଲେଣି। ଏଣୁ ଲୋକସେବା ଭବନରେ ବସିଥିବା ଅଫିସରମାନେ ଆଖିବୁଜା ଯୋଜନା ଲଦି ଦେବା ଫଳରେ କିଛି କ୍ଷେତ୍ରରେ ବିକାଶ ଯେଭଳି ବାଟବଣା ହେଉଛି, ତାହା ଏହି ନୂଆ ଢାଞ୍ଚାର ପ୍ରୟୋଗ ପରେ କମିବ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ତାହାର ବ୍ୟୟ ଭାର ଯେଭଳି ଆଖିବୁଜା ବୃଦ୍ଧି ଘଟୁଛି ତାହା ମଧ୍ୟ କମିପାରେ।

ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ବୈଜ୍ଞାନିକ ଉପଦେଷ୍ଟା ଗତବର୍ଷ ଅକ୍ଟୋବରରେ ଏକ ଚିଠି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିଲେ। ସେଥିରେ ରାଜ୍ୟ ସ୍ତରରେ ପୃଥକ ଭାବେ ଗବେଷଣା ଓ ବିକାଶ ବାବଦ ବଜେଟ୍ ପ୍ରସ୍ତୁତ କରିବା ଲାଗି କୁହାଯାଇଥିଲା। କେବଳ ପରିମାଣ ନୁହେଁ ଗବେଷଣା ଓ ବିକାଶ ବାବଦ ବ୍ୟୟର ଗୁଣବତ୍ତା ସଂପର୍କରେ ସୂଚନା ଦେବାଲାଗି ମଧ୍ୟ ଏଥିରେ ଦର୍ଶାଯାଇଥିଲା।