ଭୁବନେଶ୍ବର : ଜାପାନରୁ ଆସିଲା ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରାଜ୍ୟର ଲଜିଷ୍ଟିକ୍ସ, ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ଗ୍ରିନ୍ ଏନର୍ଜି ଉପକରଣ ଉତ୍ପାଦନ, ଆଇଟି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜାପାନର ନିବେଶକମାନେ ଆଗ୍ରହ ଦେଖାଇଛନ୍ତି। ବୁଧବାର ଦିନ ଜାପାନ ରାଜଧାନୀ ଟୋକିଓରେ ଓଡ଼ିଶା ବିଜ୍ନେସ୍ ମିଟ୍ ଅବସରରେ ନିହୋନ୍-ଉତ୍କଳ ଓ ଆଇଆଇଆଇଟି ଭୁବନେଶ୍ବର ମଧ୍ୟରେ ଦକ୍ଷତା ବିକାଶକୁ ନେଇ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଜାଇକାର ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ପ୍ରତିନିଧି ଦଳ ମଧ୍ୟ ଆଲୋଚନା କରିଛନ୍ତି।
ଭାରତୀୟ ଦୂତାବାସ, ଜାପାନ ବୈଦେଶିକ ବାଣିଜ୍ୟ ସଂଗଠନ ଓ ଫିକି ସହଯୋଗରେ ରାଜ୍ୟ ସରକାର ଆୟୋଜନ କରିଥିବା ଏହି ବିଜ୍ନେସ୍ ମିଟ୍ରେ ୨୦୦ରୁ ଅଧିକ ନିବେଶକ ଓ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଜାପାନର ସଭାପତି ଜଗମୋହନ ଏସ୍ ଚନ୍ଦ୍ରାନି, ପିଡବ୍ଲୁସି ଏସିଆ ପାସିଫିକ୍ର ଉପାଧ୍ୟକ୍ଷ କୋଇଚିରୋ କିମୁରା, ଟିୱାଇକେ କର୍ପୋରେସନର ସଭାପତି ନୁବୋଟାକା ଉଷିଗୋମ, କ୍ରୋସାକି ହାରିମା କର୍ପୋରେସନର ଏମ୍ଡି ମାସାଫୁମି ଟାକେସିତା, ଆଇଏଚ୍ଆଇ କର୍ପୋରେସନର ସିଇଓ ହିରୋକି କୋବାୟାସି, ମାରୁବେନି ଇଟୋଚୁ ଷ୍ଟିଲ୍ର ସିଇଓ ଇସିତାନି, ଥାଇସେନ୍କ୍ରୁପ୍ର ନିର୍ଦେଶକ ଆକିତା ସିଗେତା, ଟୋୟୋ ଇଞ୍ଜିନିୟରିଂର ଗ୍ରୁପ୍ ହେଡ୍ ପୋନୋମାରେନ୍ ଡିମିତ୍ରି, ଜେ ଗ୍ରିନ୍ ପାୱାର୍ର ସିଏମ୍ଡି ହିରୋନୋମୋ ମିୟାତା, ଜେଏଫ୍ଇ ଷ୍ଟିଲ୍ କର୍ପୋରେସନର ନିର୍ଦେଶକ ହିରୋୟୁକି ଓଗାୱା, ଫୁଜିସପ୍ଟର ସିଓଓ ରେନ୍ହଙ୍ଗ ସନ୍ ଓ ନିସିନ୍ ଫୁଡ୍ସର ସିଇଓ ମାଚିକୋୟ କାକୁଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।
ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ହେଉଛି ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଏବଂ ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଏହାର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିଛି। ଏହା ଏକ ଶିଳ୍ପୋନ୍ନତ ରାଜ୍ୟ ଭାବେ ଦ୍ରୁତ ଗତିରେ ଉଭା ହେଉଛି। ରାଜ୍ୟରେ ବିପୁଳ ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଓ ଫଳାଫଳ ପ୍ରଦାନକାରୀ ସରକାର ରହିଥିବା ସେ କହିଛନ୍ତି। ନିବେଶ ଆକୃଷ୍ଟ କରିବାରେ ଏହା ଦେଶର ଅନ୍ୟତମ ପ୍ରମୁଖ ରାଜ୍ୟ ବୋଲି ସେ କହିଛନ୍ତି। ଭାରତରେ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶ ବାହାରେ ଆସିଆନ୍ ରାଷ୍ଟ୍ର ଓ ମଧ୍ୟ ପ୍ରାଚ୍ୟ ଅଞ୍ଚଳ ଉପରେ ନଜର ରଖିଥିବା ନିବେଶକମାନଙ୍କ ଲାଗି ଓଡ଼ିଶା ନିବେଶର ଏକ ପ୍ରମୁଖ କ୍ଷେତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶିଳ୍ପାୟନ ପାଇଁ ନିବେଶକମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ସର୍ବଦା ପ୍ରସ୍ତୁତ ରହିଛନ୍ତି ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସାଂସ୍କୃତିକ ଇତିହାସର ସୁରକ୍ଷା ଲାଗି ମଧ୍ୟ ଆମେ ବେଶ ଯତ୍ନବାନ। ବୌଦ୍ଧ ପୀଠଗୁଡ଼ିକର ପୁନରୁଦ୍ଧାର କରାଯାଉଛି। ଧଉଳି, ଉଦୟଗିରି, ରତ୍ନଗିରି ଓ ଲଳିତଗିରିର ରୂପାନ୍ତରଣକୁ ନେଇ ମୁଁ ବେଶ ଖୁସି ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଜାପାନବାସୀଙ୍କୁ ଓଡ଼ିଶା ବୁଲିବାକୁ ଆସିବାକୁ ଆମନ୍ତ୍ରଣ କରିଛନ୍ତି।
ଆଜିର ବିଜନେସ୍ ମିଟ୍ରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପି କେ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ଜେଇଟିଆର୍ଓର କାର୍ଯ୍ୟନିର୍ବାହୀ ଉପସଭାପତି କାଜୁୟା ନାକାଜୋ, ଭାରତୀୟ ଦୂତାବାସର ଡେପୁଟି ହେଡ୍ ଅଫ୍ ମିସନ ମୟଙ୍କ ଯୋଶୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିପନ ଷ୍ଟିଲ୍ର ଅଧ୍ୟକ୍ଷ ଇଜି ହାସିମୋଟୋଙ୍କ ସହ ଆଲୋଚନା କରିଥିଲେ। ଆର୍ସେଲର ମିତ୍ତଲ ସହ ମିଶି ଓଡ଼ିଶାରେ ୩୦ ଏମ୍ଟିପିଏର ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରାଯିବ ବୋଲି ଶ୍ରୀ ହାସିମୋଟୋ ପ୍ରତିଶ୍ରୁତି ଦେଇଛନ୍ତି।