୧୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର : ଚାଷୀ ଚିହ୍ନଟ ପାଇଁ କଠୋର ବ୍ୟବସ୍ଥା

୨୦୧୯-୨୦ ଖାଦ୍ୟ ସଂଗ୍ରହଣ ନୀତିକୁ ମଞ୍ଜୁରି
୬୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ
ଏଥର ୪୮ ଘଣ୍ଟାରେ ଚାଷୀଙ୍କୁ ପ୍ରାପ୍ୟ ମିଳିବ
ଚାଉଳ ଫେରାଇ ନଥିଲେ ମିଲରଙ୍କୁ ଧାନ କିଣା ମନା
ଖରିଫ ଧାନ ସଂଗ୍ରହ ଅବଧି ୫ ମାସକୁ ହ୍ରାସ
ଧାନ କିଣା ପ୍ରକ୍ରିୟାରେ ମହିଳା ଏସଏଚଜି ସାମିଲ

ଭୁବନେଶ୍ବର : ଚଳିତ ଖରିଫ ଓ ରବି ଋତୁରେ ସରକାର ଚାଷୀଙ୍କଠୁ ୬୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାସହିତ ୨୦୧୯-୨୦ ବର୍ଷ ପାଇଁ ନୂଆ ଖାଦ୍ୟ ସଂଗ୍ରହ ନୀତିକୁ ମଞ୍ଜୁରି ମିଳିଛି। ସରକାର ଘୋଷଣା କରିଛନ୍ତି ଯେ ଏଣିକି ୭୨ ଘଣ୍ଟା ପରିବର୍ତ୍ତେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ଅର୍ଥ ମିଳିବ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନି ସରକାର ଖରିଫ ଧାନ ସଂଗ୍ରହ ଅବଧି ୬ ମାସରୁ ୫ ମାସକୁ ହ୍ରାସ କରିଛନ୍ତି। ନୀତିରେ ସ୍ପଷ୍ଟ କରିଦିଆଯାଇଛି, ଯେଉଁ ମିଲରମାନେ ପୂର୍ବ ବର୍ଷର ବକେୟା ଚାଉଳ ଶତପ୍ରତିଶତ ଫେରସ୍ତ କରିଥିବେ ସେମାନଙ୍କୁ ହିଁ କେବଳ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦିଆଯିବ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ଆସନ୍ତା ଅକ୍ଟୋବର ପହିଲାରୁ ଧାନ କିଣା ବର୍ଷ ଆରମ୍ଭ ହେବ। ଖରିଫ ଋତୁରେ ୫୦ ଲକ୍ଷ ମେଟ୍ରିକ୍ ଟନ୍ ଓ ରବି ଋତୁ ପାଇଁ ୧୦ ଲକ୍ଷ ମେଟ୍ରିକ୍ ଧାନ କଣାଯିବ। ଚାଉଳ ହିସାବରେ ଖରିଫ ଓ ରବି ଋତୁ ମିଶି ମୋଟ ୪୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ହେବ। ଏହାଠାରୁ ଅଧିକ ଧାନ ପଞ୍ଜୀକୃତ ଚାଷୀ ମଣ୍ଡିକୁ ଆଣିଲେ ସେସବୁକୁ ମଧ୍ୟ ରାଜ୍ୟ ସରକାର ସଂଗ୍ରହ କରିବେ। ତେବେ କେତେ ଅଧିକ ଧାନ କିଣାଯିବ, ସେଥିପାଇଁ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ନେଇ ନିଷ୍ପତ୍ତି ନେବାକୁ କ୍ୟାବିନେଟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଗତବର୍ଷ ଖରିଫ ବିପଣନ ବର୍ଷରେ ଉଭୟ ଖରିଫ ଓ ରବି ଋତୁ ମିଶି ମୋଟ ୧୨ ଲକ୍ଷ ୫୯ ହଜାର ୮୨୯ ଜଣ ପଞ୍ଜୀକୃତ ଚାଷୀଙ୍କଠାରୁ ୬୫ ଲକ୍ଷ ୪୯ ହଜାର ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା। ରାଜ୍ୟ ସରକାର ୫୫ଲକ୍ଷ ଟନ୍ ଧାନ କିଣିବାକୁ ଗତବର୍ଷ ଲକ୍ଷ୍ୟ ରଖିଥିଲେ।

ସବୁଠାରୁ ବଡ଼ କଥା ହେଲା, ଚାଷୀ ପଞ୍ଜୀକରଣ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ପ୍ରକ୍ରିୟାକୁ କଡ଼ାକଡ଼ି କରିଦିଆଯାଇଛି। ଏଥର ଚାଷୀମାନଙ୍କ ଜମିଜମା ରେକର୍ଡ଼ ଯାଞ୍ଚ କରାଯିବ। ଚାଷୀଙ୍କ ଆଧାର ନମ୍ବର ମଧ୍ୟ ସଂଯୋଗ ହେବ। ଧାନ ବିକ୍ରି ବ୍ୟବସ୍ଥାକୁ ଆୟୁଧ କରି ସରକାର କିଏ କେଉଁ ବର୍ଗର ଚାଷୀ ସେ ନେଇ ଚିହ୍ନଟ କରିବେ। ନୂଆ କରି ଧାନ ସଂଗ୍ରହ ବ୍ୟବସ୍ଥାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ଏଣିକି ସେମାନଙ୍କୁ ଧାନ ସଂଗ୍ରହ କାର୍ଯ୍ୟରେ ଅଧିକରୁ ଅଧିକ ନିୟୋଜିତ କରିବାକୁ ଗୁରୁତ୍ବ ଦିଆଯିବ। ଚାଷୀ ପଞ୍ଜୀକରଣରେ ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଗତବର୍ଷ ଭଳି ଏଥର ବି ଖାଦ୍ୟ ଶସ୍ୟର ଆବଶ୍ୟକତା ପୂରଣ ପାଇଁ ଚାଷୀମାନେ ଉତ୍ପାଦିତ ଫସଲର କିଛି ଅଂଶ ରଖିବା ଉପରେ କୌଣସି ବାଧ୍ୟବାଧ୍ୟକତା ରହିବ ନାହିଁ। ଏହାଯୋଗୁଁ ଅଧିକ ସଂଖ୍ୟାରେ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ସଂଗ୍ରହ ବ୍ୟବସ୍ଥାରେ ଭାଗ ନେଇପାରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦର ଅନୁସାରେ, ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ( ଗ୍ରେଡ୍-ଏ ) ଧାନ କ୍ବିଣ୍ଟାଲ ପିଛା ୧୮୩୫ ଟଙ୍କାରେ କିଣିବେ। ଏଫଏକ୍ୟୁ ମାନର ଧାନର କ୍ବିଣ୍ଟାଲ ପିଛା ୧୮୧୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାର୍ଯ୍ୟ ହୋଇଥିବା ଏମଏସପି ଧାନ ବିକ୍ରି କରୁଥିବା ସବୁ ଚାଷୀଙ୍କୁ ଯେପରି ମିଳିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସଂଗ୍ରହକାରୀ ସଂସ୍ଥାଙ୍କୁ ଉତ୍ତରଦାୟୀ କରାଯାଇଛି। ଏଫଏକ୍ୟୁମାନର ମାନର ଧାନ ବଦଳରେ ମିଲରମାନେ ଏଫଏକ୍ୟୁ ମାନର ଧାନ ଫେରସ୍ତ କରିବେ। ଏମଏସପି ଠାରୁ କମ ମୂଲ୍ୟରେ ଧାନ ବିକ୍ରି ହେଲେ ସେଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ ଦଣ୍ଡ ବିଧାନ କରାଯିବ। ଚାଷୀମାନେ ଯେପରି ଏଫଏକ୍ୟୁମାନର ଧାନ ମଣ୍ଡିକୁ ଆଣିବେ, ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ।

ସରକାର ଆହୁରି କହିଛନ୍ତି, ରାଜ୍ୟର ୪ଟି ବ୍ଲକକୁ ଛାଡ଼ି ବାକି ସମସ୍ତ ୩୧୦ଟି ବ୍ଲକରେ ପି-ପାସ ମାଧ୍ୟମରେ ଧାନ ସଂଗ୍ରହ ପ୍ରକ୍ରିୟା ପରିଚାଳିତ ହେବ। ଏହାସହିତ ଧାନ ସଂଗ୍ରହ କରୁଥିବା ପାକ୍ସ, ଲାମ୍ପ୍ସ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ଗୁଡ଼ିକ ଅନଲାଇନରେ ରିୟଲ ଟାଇମ ଭିତ୍ତିରେ ଧାନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଇଣ୍ଟରନେଟ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ଅନଲାଇନ ବ୍ୟବସ୍ଥା ନଥିବା ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ଧାନ ସଂଗ୍ରହ କରିବାକୁ ଅନୁମତି ଦିଆଯିବନି।

ନୂତନ ଧାନ କିଣା ନୀତି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ପ୍ରତିବର୍ଷ ଧାନ କିଣା ଋତୁ ଅକ୍କୋବରରୁ ଆରମ୍ଭ ହେଉଥିଲେ ହେଁ ବାସ୍ତବରେ ଖରିଫ ଧାନ ସଂଗ୍ରହ ଅବଧି ନଭେମ୍ବର ପହିଲାରୁ ପରବର୍ଷ ଏପ୍ରିଲ ଶେଷ ତାରିଖ ପର୍ଯ୍ୟନ୍ତ ରହୁଛି। କେନ୍ଦ୍ର ସରକାର ଏହି ଅବଧିକୁ ଗୋଟିଏ ମାସ କମାଇବାକୁ ନିର୍ଦ୍ଦେଶ ଦେଇଥିବାରୁ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ୨୦୧୯ ନଭେମ୍ବର ପହିଲାରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କରାଯିବ। ରବି ଧାନ ସଂଗ୍ରହ ଅବଧି ପୂର୍ବ ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ମେ’ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ଏବେସୁଦ୍ଧା ୨ ହଜାର ୬୬୮ଟି ପ୍ରାଥମିକ ସମବାୟ ସମିତି ଦ୍ବାରା ୧୨ ଲକ୍ଷ ୩୫ ହଜାର ୯୧୪ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିତରଣ ପାଇଁ ୨୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆବଶ୍ୟକ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର