କଥା ରଖିବାକୁ ଅଣ୍ଟା ଭିଡ଼ିଲେ 

କଳାହାଣ୍ଡିରେ ହେବ ସରକାରୀ ମେଡିକାଲ୍‌ କଲେଜ

୨୨୦ କୋଟି ଖର୍ଚ୍ଚ, ୨ ବର୍ଷରେ ସରିବ, କଟକ ଶିଶୁ ଭବନ ପାଇଁ ୧୧୭ କୋଟି

ନଦୀକୂଳ ସବୁଜ ବଳୟ ପାଇଁ ୪୪୮ କୋଟି, ମେକ୍‌-ଇନ୍‌-ଓଡ଼ିଶାରେ ଘୋଷଣା ହେବ ଆଉ ୫

Advertisment

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ସାମ୍ନାେର ରଖିଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡିଛନ୍ତି। ଆଜି ଏହି କ୍ରମରେ ରାଜ୍ୟ କ୍ୟାବିେନଟ୍ ବୈଠକରେ ଏଭଳି କିଛି ବଡ଼ ନିଷ୍ପତ୍ତି ନିଆଯାଇଛି।

କଳାହାଣ୍ଡିର ଭବାନୀପାଟଣାରେ ସରକାରୀ ଭାବେ ୧୦୦ ସ୍ଥାନ ବିଶିଷ୍ଟ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ନିର୍ମାଣ ହେବ। ଏହାର କୋଠାବାଡ଼ି ନିର୍ମାଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ୨୨୦.୭୪ କୋଟିର ଟେଣ୍ଡରକୁ ବି ‌ମଞ୍ଜୁରି ଦିଆଯାଇଛି। ଏହି ନିର୍ମାଣ କାର୍ଯ୍ୟ ଆଗାମୀ ଦୁଇବର୍ଷ ମଧ୍ୟରେ ସରିବ।

େକବଳ େସତିକି ନୁେହଁ, କଟକର ଶିଶୁ ଭବନ‌େର ପୁରୁଣା ହୋଇପଡ଼ିଥିବା ଭିତ୍ତିଭୂମିର ବିକାଶ ପାଇଁ ନୂଆ କୋଠାବାଡ଼ି ଓ ହଷ୍ଟେଲ୍‌ ନିର୍ମାଣ କରାଯିବ। ଏହାର ନିର୍ମାଣ ବାବଦରେ ୧୧୬.୯୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଓ ଏହାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତିି। ଏହାର ନିର୍ମାଣ କାର୍ଯ୍ୟ ଆଗାମୀ ଦୁଇବର୍ଷରେ ଶେଷ ହେବ। ଏଥିସହିତ ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସମୁଦାୟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

କ୍ୟାବିେନଟ୍ ନିଷ୍ପତ୍ତି ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିେଲ, ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ ଅବସରରେ ସରକାର ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଘୋଷଣା କରିବେ। ଏସବୁ ପ୍ରସ୍ତାବକୁ ଆଜି ଅନୁମୋଦନ ମିଳିଛି।

ଅବଶିଷ୍ଟ ୫ଟି ପ୍ରସ୍ତାବ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେଉଛି କଳାହାଣ୍ଡି ସରକାରୀ କଲେଜ ଓ ହସ୍‌ପିଟାଲ୍‌ର ନିର୍ମାଣ। ପୂର୍ତ ବିଭାଗର ଏହି ପ୍ରସ୍ତାବ ଅନୁଯାୟୀ ଏହି ନିର୍ମାଣ କାର୍ଯ୍ୟ ପାଇଁ ୪ଜଣ ଠିକାଦାର ଆବେଦନ କରିଥିଲେ। ସେଥିମଧ୍ୟରୁ ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌ର ଟେଣ୍ଡର ସର୍ବନିମ୍ନ ୨୨୦.୭୪ କୋଟି ହୋଇଥିବାରୁ ଏହାକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଥିଲେ। ଟର୍ଣ୍ଣ କି ଭିତ୍ତିରେ ମୂଲ୍ୟ ବୃଦ୍ଧି ବିନା ଦୁଇବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସାରିବ ଟାଟା ପ୍ରୋଜେକ୍ଟସ୍‌। ପ୍ରସ୍ତାବିତ କୋଠାବାଡ଼ିରେ ଭୂତଳଠାରୁ ଆରମ୍ଭ କରି ପରିସର ପାଚେରି କାନ୍ଥ, ଆନୁଷଙ୍ଗିକ ରାସ୍ତା ଓ ନାଳ, ସ୍ଥାପତ୍ୟ, ଜଳଯୋଗାଣ, ଯାନ୍ତ୍ରିକ ଓ ବୈଦ୍ୟୁତିକ ଆଦି ସମସ୍ତ ବ୍ୟବସ୍ଥା ରହିବ।

କଟକ ଶିଶୁ ଭବନ (ସର୍ଦାର ବଲ୍ଲଭ ଭାଇ ପଟେଲ୍‌ ସ୍ନାତକୋତ୍ତର ଶିଶୁ ସଂସ୍ଥାନ)ରେ ବହୁମୁଖୀ ବ୍ୟାବହାରିକ କମ୍ପ୍ଲେକ୍ସ ଓ ସ୍ନାତକୋତ୍ତର ହଷ୍ଟେଲ୍‌ ନିର୍ମାଣ କାର୍ଯ୍ୟ ନିମନ୍ତେ ବ୍ରିଜ୍‌ ଆଣ୍ଡ ରୁଫ୍‌ (କୋ) ଇଣ୍ଡିଆ ଲିମିଟେଡ୍‌ର ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତି। ପ୍ରସ୍ତାବିତ ପ୍ରକଳ୍ପରେ ଟର୍ଣ୍ଣ କି ଚୁକ୍ତିଭିତ୍ତିରେ ପୁରୁଣା ଭିତ୍ତିଭୂମି ବଦଳାଇ ନୂଆ କୋଠାବାଡ଼ି ସହିତ ଅନ୍ୟାନ୍ୟ ସମସ୍ତ ନିର୍ମାଣ କରାଯିବ। ଏହି ନିର୍ମାଣ କାର୍ଯ୍ୟ ଜଣେ ଠିକାଦାର କରିବେ। ନିର୍ମାଣ କାର୍ଯ୍ୟ ମୂଲ୍ୟ ବୃଦ୍ଧି ବିନା ଦୁଇବର୍ଷ ଭିତରେ ସରିବ ବୋଲି ମୁଖ୍ୟ ସଚିବ କହିଥିଲେ।

େସହିପରି ୨୦୧୮-୧୯ରେ ମହାନଦୀ ସବୁଜ ମିସନରେ ମହାନଦୀର ଉପନଦୀ ତେଲ୍‌ ଓ ଇବ୍‌ ନଦୀର ଉଭୟ ପାର୍ଶ୍ବରେ ଏକ କି.ମି. ପ୍ରଶସ୍ତ ସବୁଜ ବଳୟ ସୃଷ୍ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାସହିତ ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟାନ୍ୟ ନଦୀ ଯଥା ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ସେଗୁଡ଼ିକର ଶାଖା ଓ ଉପନଦୀମାନଙ୍କର ଉଭୟ ପାର୍ଶ୍ବରେ ସବୁଜ ବଳୟ ସୃଷ୍ଟି କରାଯିବ। ଏଥିପାଇଁ ବ୍ୟାପକ ରୂପେ ବନୀକରଣ ଯୋଜନା ହାତକୁ ନିଆଯିବ। ୨୦୧୮-୧୯ରୁ ୨୦୨୨-୨୩ ଏହିପରି ୫ ବର୍ଷରେ ମହାନଦୀ ସହିତ ଅନ୍ୟାନ୍ୟ ନଦୀମାନଙ୍କର ଉଭୟ ପାର୍ଶ୍ବରେ ବନୀକରଣ ଯୋଜନାରେ ୪୧ହଜାର ୩୦୦ ହେକ୍ଟର ଓ ୧୦୪୧ କି.ମି. ପଥପାର୍ଶ୍ବ ବନୀକରଣ କରାଯିବ। ଏଥିମଧ୍ୟରେ ରହିବ କୃତ୍ରିମ ବୃକ୍ଷ, ପ୍ରାକୃତିକ ବୃକ୍ଷ ଓ ବାଉଁଶ ‌ବୃକ୍ଷ। ଏ ବାବଦରେ ୪୪୮ କୋଟିର ବ୍ୟୟବରାଦ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ନଦୀ କୂଳରେ ବ୍ୟାପକ ବନୀକରଣ ହେବା ଫଳରେ ଜଳ ସଂରକ୍ଷଣ, ଭୂତଳ ଜଳ ସ୍ତର ବୃଦ୍ଧି ପାଇପାରିବ ବୋଲି ଶ୍ରୀ ପାଢ଼ୀ କହିଥିଲେ।

ବନୀକରଣ ଯୋଜନାରେ ରକ୍ଷଣାବେକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥିବା ଉଲ୍ଲେଖ କରି ଏହାର ତଦାରଖ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଂପୃକ୍ତ ବିଭାଗର ସଚିବମାନଙ୍କୁ ନେଇ ୧୨ଜଣିଆ ରାଜ୍ୟସ୍ତରୀୟ ସବୁଜ ମିସନ କମିଟି ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ବା ଜିଲ୍ଲାସ୍ତରୀୟ ସବୁଜ ମିସନ ଗଠନ କରାଯିବ ବୋଲି ସେ କହିଥିଲେ। ନିୟମିତ ରୂପେ ସବୁଜ ମିସନ ଯୋଜନାର ଅଗ୍ରଗତି ନେଇ ତଦାରଖ କରାଯିବ।