୧୧ଟି ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର : କ୍ୟାବିନେଟ୍‌ ଅନୁମୋଦନ କରିବ ବୋଲି ଆଶା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଦେଇଥିଲେ। ଆଜି ରାଜ୍ୟ କ୍ୟାବିନେଟ୍‌ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ସଂକ୍ରାନ୍ତ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବ ଉପରେ ବିଧିବଦ୍ଧ ଭାବେ ମୋହର ଲଗାଇଛନ୍ତି। ଏଥିସହିତ ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।

ଏସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ଅଗଷ୍ଟ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ବିଜୁ କୃଷକ କଲ୍ୟାଣ ଯୋଜନାର ପ୍ରାୟ ୫୭ ଲକ୍ଷ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ଅଧିକ ପ୍ରାୟ ୧୨ ଲକ୍ଷ ଏହିପରି ମୋଟ ପ୍ରାୟ ୬୯ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିପାଇଁ ବିଜୁ କୃଷକ କଲ୍ୟାଣ ଯୋଜନାକୁ ୨୦୧୯ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ଟଙ୍କାର ବୀମା ଏବଂ ୪ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ସୁବିଧା ରାଜ୍ୟ ଚିକିତ୍ସା ପାଣ୍ଠିରୁ ଯୋଗାଇ ଦିଆଯିବ। ଯୋଜନା ବାବଦ ମୋଟ ୫ ଲକ୍ଷ ଟଙ୍କାର ବୀମା ଓ ଚିକିତ୍ସା ସୁବିଧା ଖର୍ଚ ରାଜ୍ୟ ସରକାର ବହନ କରିବେ। ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ବାବଦ ପ୍ରିିମିୟମ୍‌ ମଧ୍ୟ ରାଜ୍ୟ ସରକାର ପ୍ରଦାନ କରିବେ। ଏ ବାବଦରେ ୧୪ କୋଟିର ବୋଝ ସରକାର ବହନ କରିବେ।

ସେହିପରି ରାଜ୍ୟ ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିର ଆକାର ବଢାଇଛନ୍ତି।

ଏହି ପାଣ୍ଠି ୧୪୦୦ କୋଟିକୁ ବୃଦ୍ଧି କରିବାକୁ ଅଧ୍ୟାଦେଶ ଜାରି କରାଯାଇଛି। ଏହି ପାଣ୍ଠି ୧୫୦ କୋଟିରୁ ୪୦୦ କୋଟିକୁ ବୃଦ୍ଧି କରାଯାଇଥିଲା। ତେବେ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ଅନ୍ତର୍ଗତ ସ୍ୱଚ୍ଛ ଭାରତ ମିସନ-ଗ୍ରାମୀଣ କ୍ଷେତ୍ରରୁ କେନ୍ଦ୍ରୀୟ ଅଂଶ (୬୦ ପ୍ରତିଶତ) ବାବଦ ରାଜ୍ୟକୁ ୧୦୫୨.୨୬ କୋଟି ମିଳିଛି। ଏହି ଯୋଜନାର ନିୟମ ମୁତାବକ ରାଜ୍ୟ ତା’ର ୪୦ ପ୍ରତିଶତ ଅଂଶ ବାବଦରେ କେନ୍ଦ୍ରୀୟ ଭାଗ ମିଳିବାର ୧୫ ଦିନ ଭିତରେ ପ୍ରଦାନ କରିବା କଥା। କିନ୍ତୁ ଚଳିତ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ବଜେଟ୍‌ରେ ୧୦୦୦ କୋଟିର ବ୍ୟୟବରାଦ କରିଛନ୍ତି। ଯୋଜନା କାର୍ଯ୍ୟକାରୀ ପାଇଁ ଏହି ପରିମାଣ ପର୍ଯ୍ୟାପ୍ତ ହେଉନଥିବାରୁ କଣ୍ଟିଜେନ୍‌ସି ପାଣ୍ଠି ୪୦୦ କୋଟିରୁ ୧୪୦୦ କୋଟିକୁ ବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଧାନସଭା ଅଧିବେଶନ ନଥିବାରୁ ଏ ନେଇ ଅଧ୍ୟାଦେଶ ଜାରି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଥିବା ମୁଖ୍ୟ ସଚିବ କହିଥିଲେ।

ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ୫ଟି ବ୍ଲକ ଅଧୀନ ୩୦୫ ଗ୍ରାମରେ ବାସ କରୁଥିବା ୨.୯୦ ଲକ୍ଷ ଲୋକଙ୍କୁ ପିଇବାପାଣି ଯୋଗାଇ ଦିଆଯିବ। ଏଥିପାଇଁ ୩୮୭.୫୯ କୋଟିର ଗୋଟିଏ ପ୍ରକଳ୍ପ କରାଯାଇଛି। ହାଇଦ୍ରାବାଦ୍‌ର ମେସର୍ସ ଜିଭିପିଆର ଇଞ୍ଜିନିୟର୍ସ ଲିମିଟେଡ୍‌କୁ ହସ୍ତାନ୍ତର ହୋଇଛି ଏହି ପ୍ରକଳ୍ପ। ଦୁଇବର୍ଷ ଭିତରେ ପ୍ରକଳ୍ପ କାର୍ଯ୍ୟ ସରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ୧୨୬ଟି ଗ୍ରାମ, ବ୍ରହ୍ମଗିରି ବ୍ଲକର ୧୮ଟି ଗ୍ରାମ, ସତ୍ୟବାଦୀ ବ୍ଲକର ୧୪ଟି ଗ୍ରାମ ଓ କୃଷ୍ଣପ୍ରସାଦ ବ୍ଲକର ୯୨ଟି ଗ୍ରାମ ଏବଂ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମର ଲୋକମାନଙ୍କୁ ପିଇବାପାଣି ମିଳିବ।

ଆଇଟି, ଆଇଟି ଏନାବଲ୍‌ଡ ସର୍ଭିସେସ୍‌ ଓ ଇଏସ୍‌ଡିଏମ୍‌ ଉଦ୍ୟୋଗୀ ଓ କମ୍ପାନିମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ଭଡ଼ା ବାବଦରେ ସରକାର ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତିି। ପ୍ରଥମ ପର୍ଯ୍ୟାୟରେ ୬ଟି ସରକାରୀ ଟାଓ୍ଵାର ଯଥା: ଓକାକ୍‌, ଇଡ୍‌କୋ, ଫରଚୁନ୍‌, ୨୦୦୦ ଓ ୨୦୧୦ ମଞ୍ଚେଶ୍ୱର ଓ ଗୋଠପାଟଣା ଏସ୍‌ଟିପିଆଇ ଟାଓ୍ଵାରଗୁଡ଼ିକରେ ଇନ୍‌କ୍ୟୁବେସନ୍‌ ଓ କୋର ସ୍ପେସ୍‌ ଗୁଡ଼ିକରୁ ଭଡ଼ା ପ୍ରତି ବର୍ଗଫୁଟ୍‌ ପାଇଁ ୫୫ ଟଙ୍କାରୁ ୨୦ ଟଙ୍କାକୁ ହ୍ରାସ କରାଯାଇଛି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରର ସାମଗ୍ରିକ ବିକାଶ ଓ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ସଚିବ କହିଥିଲେ।

ରାଜ୍ୟରେ ନିର୍ମାଣ ଶ୍ରମିକ ଭଳି ଶ୍ରମିକ କଲ୍ୟାଣମୂଳକ କାର୍ଯ୍ୟକ୍ରମମାନ ଚାଲିଥିବାରୁ ଶ୍ରମ ବିଭାଗର କାର୍ଯ୍ୟଭାର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏଣିକି ପ୍ରତି ଜିଲ୍ଲାରେ ଜଣେ ଜିଲ୍ଲା ଶ୍ରମ ଅଧିକାରୀ ପରିବର୍ତେ ୨ଜଣ ଲେଖାଏଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଜଣେ କଲ୍ୟାଣକର କାର୍ଯ୍ୟ ଏବଂ ଅନ୍ୟଜଣେ ବିଭାଗୀୟ ଏନ୍‌ଫୋର୍ସମେଣ୍ଟ ଦାୟିତ୍ୱ ତୁଲାଇବେ। ବିଭାଗୀୟ କ୍ୟାଡର ପୁନର୍ଗଠନ ପରେ ପ୍ରତି ବ୍ଲକ ଓ ପୌରାଞ୍ଚଳରେ ନିଯୁକ୍ତି ପାଇବେ ସହକାରୀ ଶ୍ରମ ଅଧିକାରୀ। ସେହିପରି ସହକାରୀ ଶ୍ରମ କମିସନର ଓ ଉପ ଶ୍ରମ କମିସନର ପଦବିକୁ ଏକାଠି କରି ଡିଭିଜନାଲ୍‌ ଶ୍ରମ କମିସନର ଭାବେ ନାମିତ କରାଯାଇଛି। ଏହି ପଦବିରେ ମୋଟ ୪୫ଜଣ ରହିବେ। ଏହାଛଡ଼ା ୮ଟି ନୂଆ ଯୁଗ୍ମ ଶ୍ରମ କମିସନର ଓ ୨ଟି ଅତିରିକ୍ତ ଶ୍ରମ କମିସନର ପଦବି ସୃଷ୍ଟି ହୋଇଛି। ଫଳରେ ମୋଟ ପଦବି ସଂଖ୍ୟା ୪୧୯କୁ ବୃଦ୍ଧି ପାଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ।

ଇତିମଧ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦୁଇଭାଗ ହୋଇ ମୂଳ ବିଭାଗରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସୃଷ୍ଟି ହୋଇଛି। ଏହି ବିଭାଗରେ କାର୍ଯ୍ୟରତ ଜିଲ୍ଲା ମଙ୍ଗଳ ଅଧିକାରୀ ବର୍ଗ ‘ଖ’ (କନିଷ୍ଠ ଶାଖା) ପଦବି ପରିସଂଖ୍ୟାନ ସହାୟକମାନଙ୍କ ମଧ୍ୟରୁ ପୂରଣ କରାଯିବ ବୋଲି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଓଡ଼ିଶା ସମାଜ ମଙ୍ଗଳ ସେବା ବର୍ଗ ‘ଖ’ (କନିଷ୍ଠ ଶାଖା) ସଂଶୋଧନ ନିୟମ ୨୦୧୭ କାର୍ଯ୍ୟକାରୀ କରାଯିବ। ସବୁଠାରୁ ବଡ଼ କଥା ହେଉଛି ଯେ ଓଡ଼ିଶା ଅମଲା ସେବା(ଓଡ଼ିଶା ବିଭାଗୀୟ ମୁଖ୍ୟ କନିଷ୍ଠ ସହାୟକ ଓ ଉପ ବିଭାଗ ଅଧିକାରୀ) ପଦବିର ପ୍ରବେଶ ନିମନ୍ତେ ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା/ବାଣିଜ୍ୟ/ବିଜ୍ଞାନ ପାସ୍‌ ଥିଲା। କ୍ୟାବିନେଟ୍‌ ଏହି ଯୋଗ୍ୟତାକୁ ଯୁକ୍ତ ତିନି କଳା/ବାଣିଜ୍ୟ/ବିଜ୍ଞାନ ପାସ୍‌କୁ ବୃଦ୍ଧି କରିଛନ୍ତି।

ଦାମୀ ଗାଡ଼ି ମାଲିକଙ୍କୁ ବେଶିି ଲାଭ

ଭୁବନେଶ୍ୱର : ବିଳାସପୂର୍ଣ୍ଣ ଦାମୀ କାର୍‌ଗୁଡ଼ିକଠାରୁ ଅଧିକ ଟିକସ ଆଦାୟ କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯେଉଁମାନେ ଏଭଳି ଦାମୀ କାର୍‌ କିଣିବା ପାଇଁ ଚିନ୍ତା କରୁଥିଲେ, ଓଡ଼ିଶା ବଜାରରୁ ସେମାନେ ମୁହଁ ଫେରାଇ ନେଉଥିଲେ। ଫଳରେ ରାଜସ୍ୱ ଆଦାୟ କମୁଥିଲା। ଏହାକୁ ଉପଲବ୍ଧି କରି ରାଜ୍ୟ ସରକାର ମୋଟରଯାନ ଟିକସ ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆସିଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ମିଳିଛି। ଏହା ସତ୍ତ୍ୱେ ପୂର୍ବରୁ ଯେଉଁ ଟିକସ ହାରରେ ଯେଉଁମାନେ ଅପେକ୍ଷାକୃତ ସ୍ୱଳ୍ପମୂଲ୍ୟର କାର୍‌ କିଣୁଥିଲେ, ସେମାନଙ୍କ ପାଇଁ ନୂତନ ଭାବେ ଘୋଷିତ ଟିକସ ହାର ଅଧିକ ରହିଛି। ତେବେ ବଡ଼ବଡ଼ିଆଙ୍କ ଦାମୀ, ବିଳାସପୂର୍ଣ୍ଣ କାର ପାଇଁ ଟିକସ ହାର ପୂର୍ବ ତୁଳନାରେ କମ୍‌ ଧାର୍ଯ୍ୟ ହୋଇଛି।

ଆଜି କ୍ୟାବିନେଟ୍‌ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ଓଡ଼ିଶା ମୋଟରଯାନ ଟିକସ ଆଇନ, ୧୯୭୫ରେ ସଂଶୋଧନ ହେବା ପରେ ୨୦୧୭ ନଭେମ୍ବର ୨୧ ତାରିଖଠାରୁ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଉଛି। ସଂଶୋଧନ ପୂର୍ବରୁ ବ୍ୟକ୍ତିଗତ ଯାନର ଏକକାଳୀନ ଟିକସ ଗାଡ଼ି ମୂଲ୍ୟର ୫ ପ୍ରତିଶତ ହିସାବରେ ଆଦାୟ କରାଯାଉଥିଲା। ସଂଶୋଧନ ପରେ ଏହି ଟିକସ ହାର ୫ଟି ବର୍ଗ ଯଥା: ୬, ୮, ୧୦, ୧୨ ଓ ୨୦ ପ୍ରତିଶତ ହିସାବରେ ଆଦାୟ ହେଉଛି। ମୁଖ୍ୟ ସଚିବଙ୍କ କହିବାନୁସାରେ ଏହି ସଂଶୋଧନ ପରେ ରାଜ୍ୟରେ ଉଚ୍ଚମୂଲ୍ୟ ଗାଡ଼ିର ବିକ୍ରୟ ପ୍ରାୟ ୭୫ ପ୍ରତିଶତ କମିଛି। ଲୋକେ ଅନ୍ୟ ରାଜ୍ୟରୁ ଗାଡ଼ି କିଣି ସେଠାରେ ପଞ୍ଜୀକରଣ ବି କରୁଛନ୍ତି। ଫଳରେ ରାଜ୍ୟ ସରକାରଙ୍କର ଟିକସ ଅଭିବୃଦ୍ଧି ଲକ୍ଷ୍ୟ ବାଧାପ୍ରାପ୍ତ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଏହି ଟିକସ ବର୍ଗର ସଂଶୋଧନ କରି ୬, ୮ ଓ ୧୦ ପ୍ରତିଶତରେ ରଖିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତିି। ଫଳରେ ୫ ଲକ୍ଷରୁ କମ୍‌ ମୂଲ୍ୟର ଗାଡ଼ି ଉପରୁ ୬ ପ୍ରତିଶତ, ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗାଡ଼ିକୁ ୮ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ମୂଲ୍ୟର ଗାଡ଼ି ଉପରୁ ୧୦ ପ୍ରତିଶତ ହାରରେ ଟିକସ ଆଦାୟ କରାଯିବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଏହା ଫଳରେ ବାହାର ରାଜ୍ୟରେ ଗାଡ଼ି କିଣା ଓ ପଞ୍ଜୀକରଣ ଉପରେ ନିୟନ୍ତ୍ରଣ କରିହେବ ବୋଲି ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଆଶାପ୍ରକାଶ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ୫ ଲକ୍ଷରୁ କମ୍‌ ମୂଲ୍ୟର ଗାଡ଼ି ଉପରୁ ପୂର୍ବରୁ ୫ ପ୍ରତିଶତ ଟିକସ ଆଦାୟ ହେଉଥିବା ବେଳେ ବର୍ତମାନ ଏହି ଗାଡ଼ି ପାଇଁ ୬ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ସେହିପରି ବଡ଼ ଗାଡ଼ି ଉପରେ ପୂର୍ବରୁ ୨୦ ପ୍ରତିଶତ ଟିକସ ପଡ଼ୁଥିଲା। ବର୍ତମାନ ସେମାନଙ୍କଠାରୁ ଆଦାୟ ହେବ ୧୦ ପ୍ରତିଶତର ଟିକସ।

ଏସି ଡିଲକ୍ସ ସ୍ଲିପର ଓ ଏସି ସ୍ଲିପର ବସ୍‌ ଉପରୁ ବର୍ଧିତ ଟିକସ କେତେକାଂଶରେ ହ୍ରାସ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟ ସଚିବ କହିଥିଲେ। ପୂର୍ବରୁ ଏସବୁ ବସ୍‌ ଉପରୁ କୌଣସି ଟିକସ ଆଦାୟ ହେଉନଥିଲା। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ବସ୍‌ରେ ଛିଡ଼ା ହୋଇ ଯାଉଥିବା ଯାତ୍ରୀମାନଙ୍କ ବାବଦରେ ଆଦାୟ ହେଉଥିବା ଟିକସ ହାର ହ୍ରାସ କରାଯାଇଛି। ବସ୍‌ରେ ଛିଡ଼ା ହୋଇଯାଉଥିବା ପ୍ରତ୍ୟେକ ଯାତ୍ରୀଙ୍କଠାରୁ ରାଜ୍ୟ ସରକାର ବାର୍ଷିକ ୧୫୨ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏମାନଙ୍କ ସଂଖ୍ୟା ବସ୍‌ରେ ବସିଥିବା ଯାତ୍ରୀଙ୍କର ପ୍ରାୟ ୫୦ ପ୍ରତିଶତ ବୋଲି ଧାର୍ଯ୍ୟ ହୋଇଛି। ଏହି ୫୦ରୁ ୨୫ ପ୍ରତିଶତକୁ ହ୍ରାସ ହାର ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି।

ଏହାବ୍ୟତୀତ, ଓଡ଼ିଶା ଲୋକସେବା କମିସନଙ୍କର ତିନିବର୍ଷ ୨୦୧୩-୧୪, ୨୦୧୪-୧୫ ଓ ୨୦୧୫-୧୬ ବର୍ଷର କାର୍ଯ୍ୟାବଳୀ ସମ୍ବନ୍ଧୀୟ ବାର୍ଷିକ ବିବରଣୀକୁ କ୍ୟାବିନେଟ୍‌ ବିନା ଆପତ୍ତିରେ ଅନୁମୋଦନ ଦେଇଛନ୍ତିି। ଏସବୁ ବିବରଣୀ ବିଧାନସଭାରେ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର