୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ଶିକ୍ଷକଙ୍କ ପାଇଁ ହାତ ଖୋଲିଦେଲେ, ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ, ଏଣିକି ପୂର୍ଣ୍ଣ ଅନୁଦାନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଶିକ୍ଷକମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ରାଜ୍ୟ ସରକାର ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପୂର୍ଣ୍ଣ ଅନୁଦାନ ଦାବିରେ ରାଜରାସ୍ତାକୁ ଓହ୍ଳାଇଥିବା ହଜାର ହଜାର ଶିକ୍ଷକ, ଅଧ୍ୟାପକମାନଙ୍କ ଦାବି ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବ୍ଲକ୍‌ ଗ୍ରାଣ୍ଟ୍‌ ବ୍ୟବସ୍ଥାକୁ ରାଜ୍ୟ ସରକାର ଆଜି ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ଏଥିସହିତ ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ବା ପୂର୍ଣ୍ଣ ଅନୁଦାନ ବ୍ୟବସ୍ଥା ଲାଗୁ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟ୍‌ରେ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକଙ୍କ ସମସ୍ୟା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍‌ ବୈଠକରେ ଶିକ୍ଷା ବିଭାଗର ପୂର୍ଣ୍ଣ ବା ଶତ ପ୍ରତିଶତ ଅନୁଦାନ ଏବଂ ବର୍ଧିତ ହାରରେ ଦରମା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

କ୍ୟାବିନେଟ୍‌ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ସରକାରଙ୍କ ଅନୁଦାନ ଆଦେଶନାମା, ୨୦୧୪ ଅନୁସାରେ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସବୁ ବିଦ୍ୟାଳୟ ୬୦ ପ୍ରତିଶତ, ୭୫ ପ୍ରତିଶତ ଓ ୧୦୦ ପ୍ରତିଶତ ଅନୁଦାନ ପାଉଥିଲେ, ସେମାନଙ୍କ ପାଇଁ ୨୦୧୮ ଅନୁଦାନ ଆଦେଶନାମା କାର୍ଯ୍ୟକାରୀ ହେବ। ଏହି ବ୍ୟବସ୍ଥା ଅନୁସାରେ, ଏସବୁ ଅନୁଷ୍ଠାନ ୨୦୧୮ ଜାନୁଆରି ପହିଲାରୁ ପିଛିଲା ଭାବେ ଉପକୃତ ହେବେ ଓ ସେମାନଙ୍କୁ ସମାନୁପାତିକ ଅନୁଦାନ ପ୍ରାପ୍ତି ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୩୦୨ଟି ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ପ୍ରାୟ ୫୯୩ ଜଣ କର୍ମଚାରୀ ଉପକୃତ ହେବେ।

ସେହିଭଳି ୪୦ ପ୍ରତିଶତ ବ୍ଲକ ଗ୍ରାଣ୍ଟପ୍ରାପ୍ତ ୪୩୮ଟି, ୬୦ ପ୍ରତିଶତ ପାଉଥିବା ୨୨୮ଟି ଓ ୭୫ ପ୍ରତିଶତ ପାଉଥିବା ୧୩୮ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀମାନେ ପୂର୍ଣ୍ଣ ଅନୁଦାନର ସମାନୁପାତିକ ହାରରେ ଦରମା ପାଇବେ। ପୌର ସଂସ୍ଥା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀମାନଙ୍କର ବିଗତ ବର୍ଷର ସେବା ସମୟ ୫୦ ପ୍ରତିଶତ ହାରରେ ବିଚାରକୁ ନିଆଯାଇଥିଲା। ଏଥିରେ କୋର୍ଟ ହସ୍ତକ୍ଷେପ କରିବା ସହିତ ପୌରାଞ୍ଚଳରେ କାର୍ଯ୍ୟ କରିଥିବା ସମ୍ପୂର୍ଣ୍ଣ ସମୟ ଅବଧିକୁ ବିଚାରକୁ ନେବା ଲାଗି ନିର୍ଦେଶ ଦେଇଥିଲେ। କ୍ୟାବିନେଟ୍‌ ଏହାକୁ ଗ୍ରହଣ କରିଛନ୍ତି।

କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ, ଅନୁଦାନପ୍ରାପ୍ତ ୩୭୦୧ଟି ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ, ସଂସ୍କୃତ ଟୋଲ୍‌, ମଦ୍ରାସାର ପ୍ରାୟ ୩୩ ହଜାର ୯୪୮ଜଣ ଶିକ୍ଷକ ଓ କର୍ମଚାରୀମାନେ ବର୍ଧିତ ହାରରେ ଦରମା ପାଇବେ। ଏଥିମଧ୍ୟରୁ ୧୦୦ ପ୍ରତିଶତ ବ୍ଲକ ଗ୍ରାଣ୍ଟ ପାଉଥିବା ୨୮୯୭ ବିଦ୍ୟାଳୟର ୮୩୪୪ ଶିକ୍ଷକ, କର୍ମଚାରୀ ସରକାର ବିଭିନ୍ନ ସମୟରେ ଘୋଷଣା କରିଥିବା ବର୍ଧିତ ହାରରେ ଦରମା ପାଇବେ।

ସେହିଭଳି ବେସରକାରୀ ମହାବିଦ୍ୟାଳୟମାନଙ୍କର ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ବର୍ଧିତ ହାରରେ ଦରମା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ୧୪୯୯ଟି ଅନୁଦାନପ୍ରାପ୍ତ ଡିଗ୍ରି ଓ ଯୁକ୍ତ ଦୁଇ କଲେଜର ୧୫୭୩୮ ଜଣ ଏହା ଦ୍ୱାରା ଉପକୃତ ହେବେ। ଏହି ତାଲିକାରେ ୬୬୨ ବର୍ଗ, ୪୮୮ ବର୍ଗ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ୫୯୨ଟି କଲେଜର ଯେଉଁ ଅଧ୍ୟାପକ ଓ କର୍ମଚାରୀମାନେ ପଛରେ ଯୋଗଦେଇଛନ୍ତି, ସେମାନଙ୍କୁ ୪୦%, ୬୦% ଓ ୭୫% ହାରରେ ବ୍ଲକ ଗ୍ରାଣ୍ଟ ମିଳୁଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ସେମାନଙ୍କୁ ପୂର୍ଣ୍ଣ ଅନୁଦାନର ସମାନୁପାତିକ ହାରରେ ବର୍ଧିତ ଦରମା ମିଳିବ। ଶିକ୍ଷକ, କର୍ମଚାରୀମାନଙ୍କ ଭଳି ଏମାନଙ୍କୁ ମଧ୍ୟ ଗତ ଜାନୁଆରି ପହିଲାରୁ ବର୍ଧିତ ହାରରେ ଦରମା ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି। ସେମାନେ ରାଜଧାନୀ ଭୁବନେଶ୍ୱରରେ ସେମାନଙ୍କର ଦାବି ପୂରଣ ପାଇଁ ଆନ୍ଦୋଳନ ଚଳାଇଥିଲେ। ଏହା ଫଳରେ ଗତବର୍ଷ ଛୁଟି ଦିନ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଧ୍ୟାଦେଶ ଜାରି କରିଥିଲେ। ସୁପ୍ରିମ କୋର୍ଟ ଶିକ୍ଷକମାନଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ସେହି ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସରକାର ଶତ ପ୍ରତିଶତ ଅନୁଦାନ ନିଷ୍ପତ୍ତି ନେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ। ଶିକ୍ଷକ, କର୍ମଚାରୀମାନଙ୍କ ବର୍ଧିତ ଦରମା ବାବଦରେ ରାଜ୍ୟ ସରକାର ଅତିରିକ୍ତ ୭୫୨ କୋଟିର ବୋଝ ବହନ କରିବେ। ସେହିପରି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ନିମନ୍ତେ ଅଧିକ ପ୍ରାୟ ୨୯୨ କୋଟିର ବୋଝ ପଡ଼ିବ ବୋଲି ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ କହିଥିଲେ।

ସମ୍ବନ୍ଧିତ ଖବର