୧୨ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର : ‘କାଳିଆ’ ପାଇଁ ବାଟ ଫିଟିଲା

‘ଓଡ଼ିଶା ଆକସ୍ମିକ ପାଣ୍ଠି’ରୁ ଭରଣା ହେବ ଅର୍ଥ
ଅଧ୍ୟାଦେଶ ଜରିଆରେ ପାଣ୍ଠି ୧୬୦୦ କୋଟିକୁ ବୃଦ୍ଧି
କ୍ଷୁଦ୍ର ଚାଷୀଙ୍କ ପାଇଁ ୧୦୦ କୋଟିର କର୍ପସ୍ ପାଣ୍ଠି
୫୨୦୩ ଶିକ୍ଷକଙ୍କୁ ନୂଆ ୟୁଜିସି ବେତନ, ୧୩୬ କୋଟିର ବୋଝ

ଭୁବନେଶ୍ବର : ଗତ ସପ୍ତାହରେ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିଲେ ନୂଆ ଯୋଜନା ‘କାଳିଆ’। ଏଇ ବର୍ଷ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦରକାର ଅଛି ୧୭୩୩ କୋଟି ଟଙ୍କା। ବଜେଟ୍‌ରେ ଏଥି ପାଇଁ ଟଙ୍କା ନାହିଁ କି ନୂଆ ବଜେଟ୍‌କୁ ଅପେକ୍ଷା କରି ହେବନି। ସେଥି ନିମନ୍ତେ ଏହି ଟଙ୍କା ‘ଓଡ଼ିଶା ଆକସ୍ମିକ ପାଣ୍ଠି’ରୁ ଭରଣା ହେବ। ୪୦୦ କୋଟିର ଏହି ପାଣ୍ଠିର ପରିମାଣ ୧୬୦୦ ‌େକାଟିକୁ ବୃଦ୍ଧି କରିବାକୁ ସରକାର ଅଧ୍ୟାଦେଶ ଆଣିବେ। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ଫଳରେ ତୁରନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ବାଟ ଫିଟିଛି।

ଏହି ପ୍ରସ୍ତାବ ସହ ମୋଟ୍ ୧୨ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ସରକାର ମୁଖ୍ୟତଃ ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିବା ଦେଖାଯାଇଛି। ଏହା ସହ ଆଗକୁ ନିର୍ବାଚନ ଥିବାରୁ ଅଧ୍ୟାପକମାନଙ୍କୁ ବି ସନ୍ତୁଷ୍ଟ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ପୁଣି ଘରୋଇ ଡିଲର୍‌ଙ୍କ ଲାଇସେନ୍ସ୍ ଅବଧି ଆଉ ଏକ ବର୍ଷ ବୃଦ୍ଧି କରି ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି।

କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ‘କାଳିଆ’ ଯୋଜନାରେ ୩ ବର୍ଷ ପାଇଁ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବାକୁ ଥିବା ୧୭୩୩ କୋଟି ଟଙ୍କାର ତୁରନ୍ତ ଆବଶ୍ୟକତା ରହିଛି। ୨୦୧୮-୧୯ ବଜେଟ୍‌ ଆକଳନରେ ‘କୃଷକ କଲ୍ୟାଣ’ ଯୋଜନା ଅଧୀନରେ ୨୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ବାଦ୍ ଚାଷ ସଂକ୍ରାନ୍ତୀୟ ଯୋଜନାଗୁଡ଼ିକ ଅଧୀନରେ ଚିହ୍ନିତ ସଞ୍ଚୟ ଅର୍ଥ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ଏହି ଖର୍ଚ୍ଚ ଭରଣା ନିମନ୍ତେ ‘ଓଡ଼ିଶା ଆକସ୍ମିକ ପାଣ୍ଠି’ରୁ ସରକାର ଏକ ହଜାର କୋଟି ଟଙ୍କା ମଞ୍ଜୁରି କରିବେ। ଏଣୁ ଏହି ଆବଶ୍ୟକତାକୁ ଭରଣା କରିବା ପାଇଁ ସାମୟିକ ଭାବେ ‘ଓଡ଼ିଶା ଆକସ୍ମିକ ପାଣ୍ଠି’ର ପରିମାଣ ୪୦୦ କୋଟିରୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ବିଧାନସଭା ଚାଲୁ ନ ଥିବାରୁ ଅଧ୍ୟାଦେଶ ବଳରେ ଏହି ପାଣ୍ଠି ବୃଦ୍ଧି କରାଯିବ।

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଉତ୍ପାଦକ ଗୋଷ୍ଠୀ ଗଠନ କରି କୃଷି କ୍ଷେତ୍ରରେ ଥିବା ଅନେକ ସମସ୍ୟାର ସମାଧାନ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ ବିଭାଗରେ ଥିବା କୃଷକ ଗୋଷ୍ଠୀମାନଙ୍କୁ ପଞ୍ଜୀକୃତ କରି ଏହାର ସଦସ୍ୟମାନଙ୍କୁ ଚାଷ ସମ୍ବନ୍ଧୀୟ କାର୍ଯ୍ୟରେ ସହାୟତା ପ୍ରଦାନ କରିବ। ଏଥିପାଇଁ ଆବଶ୍ୟକ ଅର୍ଥ ବିଭାଗଗୁଡ଼ିକର ପ୍ରଚଳିତ ଯୋଜନାଗୁଡ଼ିକରୁ ବ୍ୟବହାର କରାଯିବ। ଏହା ବାଦ୍ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ଏକ କର୍ପସ୍ ପାଣ୍ଠି କରାଯିବ। ଏହି ପାଣ୍ଠିରୁ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଉନ୍ନୟନ ଅନୁଷ୍ଠାନ ଓ ଯୋଜନା ପରିଚାଳନା ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଅ‌ାଯିବ। ଆଜି ଏହି କର୍ପସ୍ ପାଣ୍ଠିକୁ କ୍ୟାବିନେଟ୍ ସ୍ବୀକୃତି ମିଳିଛି।

ଆଜିର କ୍ୟାବିନେଟ୍‌ରେ ଅଧ୍ୟାପକମାନଙ୍କୁ ସନ୍ତୁଷ୍ଟ କରିବାକୁ ବି ସରକାର ଉଦ୍ୟମ କରିଛନ୍ତି। ରାଜ୍ୟ ବିଶ୍ବବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ୟୁଜିସି ହାରରେ ବେତନ ପାଉଥିବା ଶିକ୍ଷକମାନଙ୍କ ବେତନ ସଂଶୋଧନ ପାଇଁ ବେତନ ନିର୍ଦ୍ଧାରଣ କମିଟି ରିପୋର୍ଟ ପ୍ରଦାନ କରିଥିଲା। ଏହି ରିପୋର୍ଟକୁ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ମିଳିଛି। ଏହା ଦ୍ବାରା ପ୍ରାୟ ୫୨୦୩ ଅଧ୍ୟାପକ ଉପକୃତ ହେବେ। ସଂଶୋଧିତ ୟୁଜିସି ବେତନ ପାଇଁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୧୩୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବେ।

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ୍ ଅନ୍ତର୍ଗତ ଟାଙ୍ଗୀ ମୌଜାରେ ଭୁବନେଶ୍ବର ଏମ୍‌ସ୍‌କୁ ୨.୦୪୫ ଏକର ସରକାରୀ ଜମି ୧ ଟଙ୍କା ଟୋକନ୍ ପ୍ରିମିୟମ୍ ବିନିମୟରେ ପ୍ରଦାନ କରିବେ। ଏଠାରେ ଏମ୍‌ସ୍ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ତାଲିମ ଓ ଆବାସିକ ସୁବିଧା ଦିଆଯିବ। ଏହି ଜମିର ମୂଲ୍ୟ, ଆନୁଷଙ୍ଗିକ ଖର୍ଚ୍ଚ ଓ ପଞ୍ଜୀକୃତ ମୂଲ୍ୟ ବାବଦକୁ ମୋଟ୍ ୧,୨୭,୯୬,୮୬୫ ଟଙ୍କା ଛାଡ଼ କରାଯିବ। ସେହିପରି ପୁରୀ ଜିଲ୍ଲାର ପୁରୀ ତହସିଲ୍‌ର ବାଙ୍କିମୁହାଣ ମୌଜାରେ ‘ବାଲୁକା କଳା ପାର୍କ’ ପାଇଁ ୦.୬୦୦ ଡିସିମିଲ୍‌ ଜମି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ୩୦ ବର୍ଷ ପାଇଁ ସବ୍‌-ଲିଜ୍ ପ୍ରଦାନ କରାଯିବ। ଏହି ଦୁଇଟି ପ୍ରସ୍ତାବକୁ କ୍ୟାବିନେଟ୍ ସ୍ବୀକୃତି ଦେଇଛି।

ଓଡ଼ିଶା ସିଭିଲ୍‌ ସପ୍ଲାୟଜ୍ ରୁଲ୍‌ସ୍, ୨୦୧୬ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ଯୋଗାଣ ନିରୀକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ ଏହି ନିୟମ ଦ୍ବାରା ନିୟନ୍ତ୍ରିତ ହୁଏ। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପ୍ରୋବେସନ୍‌ରେ ଥିବା ଯୋଗାଣ ନିରୀକ୍ଷକମାନେ ଆକାଉଣ୍ଟ୍‌ସ୍ ଓ ବିଧି ଉପରେ ପର୍ଯ୍ୟବେସିତ ବିଭାଗୀୟ ପରୀକ୍ଷାରେ ଉତ୍ତୀଣ୍ଣ ହେବା ପରେ ସେମାନଙ୍କ ଦୃଢ଼ୀକରଣ କଥା ବିଚାର କରାଯିବ। ଏହା ସହ ପ୍ରତ୍ୟେକ ଯୋଗାଣ ନିରୀକ୍ଷକ ଉପରୋକ୍ତ ବିଭାଗୀୟ ପରୀକ୍ଷାରେ ଉତ୍ତୀଣ୍ଣ ନ ହେଲେ ତାଙ୍କର ବାର୍ଷିକ ବେତନ ବୃଦ୍ଧି ମଞ୍ଜୁର ହେବ ନାହିଁ। ଏହି ସଂ‌େଶାଧନ ଦ୍ବାରା ଯୋଗାଣ ନିରୀକ୍ଷକ କ୍ୟାଡର୍‌ ଠିକ୍ ଭାବେ ପରିଚାଳିତ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ନେଇ ଥିବା ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ସ୍ବୀକୃତି ମିଳିଛି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି)ଙ୍କ ଦ୍ବାରା ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡ ନିଯୁକ୍ତି କରାଯାଏ। ଏଣିକି ଆୟୋଗଙ୍କ ଅନୁମୋଦନରେ ଶାରୀରିକ ଦକ୍ଷତା ଟେଷ୍ଟ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧୀନରେ ଏକ ବୋର୍ଡ ଗଠନ କରାଯିବ। ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିିବେ ଓ ସଂପୃକ୍ତ ଡିଭିଜନ୍‌ର ଡିଏଫ୍ଓ, ଜିଲ୍ଲାର ଡିବ୍ଲ୍ୟୁଓ ଓ ମେଡିକାଲ ଅଫିସର୍ ସଦସ୍ୟ ରହିବେ। ମୁଖ୍ୟାଳୟ ଏସିଏଫ୍ ସଦସ୍ୟ ସଚିବ ରହିବେ। ପୁଲିସ କନ୍‌ଷ୍ଟେବଳଙ୍କ ପାଇଁ ଆବଶ୍ୟକ ଦକ୍ଷତା ଓ ଶାରୀରିକ ସୁସ୍ଥ ଅନୁରୂପ ପ୍ରାର୍ଥୀଙ୍କୁ ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦେବାକୁ ଏହି ବ୍ୟବସ୍ଥା କରାଯାଇଛି।

ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ୍‌ର ସଦସ୍ୟ ଭାବେ ପୂଣ୍ଣଚନ୍ଦ୍ର ପାଠୀ ଓ ପ୍ରଫେସର ନମିତା ମହାନ୍ତିଙ୍କ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଗତ ୩ ତାରିଖରେ ଉଭୟଙ୍କୁ ସରକାର ନିଯୁକ୍ତି ଦେଇଥିଲେ। ପଞ୍ଚଦଶ ଅର୍ଥ କମିସନ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ସ୍ମାରକପତ୍ରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଅର୍ଥ କମିସନ୍‌ଙ୍କୁ ଏହା ପ୍ରଦାନ କରାଯିବ। କିନ୍ତୁ ବଜେଟ୍ ପରି ଏହାର ସାରାଂଶ ଗୋପନ ରଖାଯିବ ବୋଲି କୁହାଯାଇଛି। ବିଧାନସଭାର ମୌସୁମୀ ଅଧିବେଶନର ସତ୍ରାବସନକୁ କ୍ୟାବିନେଟ୍‌ରେ ମଞ୍ଜୁରି ଦିଆଯାଇଛି।

ସମ୍ବନ୍ଧିତ ଖବର