ନିର୍ବାଚନ ପ୍ରସ୍ତୁତି: କର୍ମଚାରୀଙ୍କୁ ଖୁସି କରିଦେଲେ, ୨୮ ପ୍ରସ୍ତାବକୁ ମଞ୍ଜୁରି

୬ଟି କ୍ୟାଡରଭୁକ୍ତ ୮୧୦୦ ଚୁକ୍ତିଭିତ୍ତିକ କର୍ମଚାରୀ ସ୍ଥାୟୀ ହେବେ
ମୁଖ୍ୟ ବିଭାଗୀୟ କର୍ମଚାରୀଙ୍କ ସହିତ ଜିଲ୍ଲା କ୍ୟାଡର ପୁନର୍ବିନ୍ୟାସ
ନିୟମିତ ହେବେ ଚୁକ୍ତିଭିତ୍ତିକ ନର୍ସ, ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ
ହୋମିଓପ୍ୟାଥିକ ଡାକ୍ତରଙ୍କ ନିଯୁକ୍ତି ବୟସ ସୀମା ୪୦ ବର୍ଷକୁ ବୃଦ୍ଧି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଜି ନିଜ କର୍ମଚାରୀଙ୍କୁ ଖୁସି କରିବାକୁ କୌଣସି ସୁେଯାଗ ହାତଛଡା କରିନାହାନ୍ତି। ବର୍ଷ ବର୍ଷର ସେମାନଙ୍କ ଦାବିକୁ ପୂରଣ କରିଦିଆଯାଇଛି। ରାଜକୋଷ େଖାଲି ଦେଇଛନ୍ତି, ମନଇଚ୍ଛା ପଦବି ସୃଷ୍ଟି କରାଯାଇଛି, ଚାକିରି ସର୍ତାବଳୀଠାରୁ ଆରମ୍ଭକରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା ପର୍ଯ୍ୟନ୍ତ ସେମାନଙ୍କ ଦୀର୍ଘ ଦିନର ଆଶାକୁ ନିର୍ବାଚନ ପୂର୍ବରୁ ପୂରଣ କରିବା ଲାଗି ଆପ୍ରାଣ େଚଷ୍ଟା କରାଯାଇଛି। କେବଳ ସେତିକି ନୁେହଁ, ନୂଆ ପଦବି ସୃଷ୍ଟି କରି ଯୁବକଙ୍କ ମଧ୍ୟରେ ନିଯୁକ୍ତି ଆଶା ଦେଖାଇଛନ୍ତି ସରକାର। ୯୮୩ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ ଅନୁେମାଦନ ଦିଆଯାଇଛି ଓ ୧୬୮୦ କୋଟିରେ ୯ଟି ଜିଲ୍ଲା ପାଇଁ ବୃହତ ଉଠାଜଳସେଚନ ପ୍ରକଳ୍ପକୁ ବି। ଏହାବ୍ୟତୀତ କାଳିଆ ଛାତ୍ର ବୃତ୍ତି, ଖୁସି ଭଳି େଯାଜନାରେ ବିଧିବଦ୍ଧ ସରକାରୀ େମାହର ଲାଗିଛି।

ଏମିତି ୨୮ଟି ପ୍ରସ୍ତାବ ଉପରେ ଆଜି ରାଜ୍ୟ କ୍ୟାବିେନଟ୍ େମାହର ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପ୍ରାୟ ୫୦ ମିନିଟ୍ ଧରି ଚାଲିଥିଲା। େଯଉଁ ବିଭାଗ େଯଉଁ ପ୍ରସ୍ତାବ ଆଣିଥିଲେ, େସସବୁକୁ କ୍ୟାବିେନଟ୍ ବିନା ଦ୍ବିଧାରେ ଅନୁେମାଦନ କରିଥିଲେ। ଏ ଭିତରେ ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ( ନଅତାଲା) କର୍ମଚାରୀମାନଙ୍କ ଦୀର୍ଘଦିନର କ୍ୟାଡର ପୁନର୍ବିନ୍ୟାସ ଦାବି ବି ରହିଛି।

ଆଜି କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ମୁଖ୍ୟ ବିଭାଗୀୟ ଦପ୍ତର ଅଧୀନରେ କୃଷି, ମୃର୍ତ୍ତିକା, ବନ୍ୟପ୍ରାଣୀ ଆଦି ଅନେକ ବିଭାଗ ରହିଛି। ସେହି ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରେ କ୍ୟାଡର ପରିବର୍ତନ ହେଉନଥିବାରୁ ଅସନ୍ତୋଷ ରହିଥିଲା। ଏପରି କି ଜଣେ ଜଣେ କର୍ମଚାରୀ ତାଙ୍କ କାର୍ଯ୍ୟକାଳରେ ମାତ୍ର ଗୋଟିଏ ପଦୋନ୍ନତି ପାଇବା ପରେ ଅବସର ନେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସେହି କର୍ମଚାରୀଙ୍କ କ୍ୟାଡର ସେବାସର୍ତ ନିୟମାବଳୀକୁ ୨ଟି ସ୍ତରରେ ପରିବର୍ତନ କରାଯାଇଛି। କନିଷ୍ଠ ସ୍ତରରେ ପଦବିଗୁଡ଼ିକର ନାମ ପରିବର୍ତନ କରି କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଓ ଉପ ବିଭାଗ ଅଧିକାରୀ କରାଯାଇଥିବା ବେଳେ ବରିଷ୍ଠ ସ୍ତରରେ ପ୍ରତିଷ୍ଠାନ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦବି ହୋଇଛି। କନିଷ୍ଠ ସ୍ତରରେ କର୍ମଚାରୀମାନେ ନିୟମାବଳୀ ଅନୁଯାୟୀ ପଦୋନ୍ନତି ସୁବିଧା ପାଇପାରିବେ। ଏଥିମଧ୍ୟରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦବିକୁ କମନ୍‌ କ୍ୟାଡରଭୁକ୍ତ କରାଯାଇଛି।

ଅନୁରୂପ ଭାବେ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ଓ ତହସିଲ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ୟାଡର ପୁନର୍ବିନ୍ୟାସ କରାଯାଇଥିବା ମୁଖ୍ୟ ସଚିବ କହିଥିଲେ। ପ୍ରଚଳିତ କର୍ମଚାରୀଙ୍କ ପଦବି ଯଥା: କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ ଓ ମୁଖ୍ୟ କିରାଣୀ ନାମରେ ନାମିତ। ସେହି ପଦବିଗୁଡ଼ିକର ନାମ କନିଷ୍ଠ ସହାୟକ, ବରିଷ୍ଠ ସହାୟକ ଓ ଉପ ବିଭାଗ ଅଧିକାରୀ ପରିବର୍ତନ କରାଯିବା ସହିତ ସେମାନଙ୍କର ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଉପର ସ୍ତରରେ ୨ଟି ପଦବି ଯଥା: ପ୍ରତିଷ୍ଠାନ ଅଧିକାରୀ ଓ କ୍ୟାଡର ପୁନର୍ବିନ୍ୟାସ କରାଯାଇଥିବା ମୁଖ୍ୟ ସଚିବ କହିଥିଲେ। ଏଥିପାଇଁ ୭୮ଟି ପ୍ରତିଷ୍ଠାନ ଅଧିକାରୀ ପଦବି ସୃଷ୍ଟି କରାଯାଇଥିବା ଶ୍ରୀ ପାଢ଼ୀ କହିଥିଲେ। ସୂଚନାଯୋଗ୍ୟ, ଗତ ୪ ମାସ ପୂର୍ବେ ବିଭାଗୀୟ ମୁଖ୍ୟ ଦପ୍ତରର କର୍ମଚାରୀମାନେ କ୍ୟାଡର ପୁନର୍ବିନ୍ୟାସ ଦାବିରେ ପ୍ରାୟ ୪୫ ଦିନ ଧରି କାର୍ଯ୍ୟାଳୟ (ନଅତାଲା)ଗୁଡ଼ିକରେ ତାଲା ପକାଇ ଧର୍ମଘଟ କରିଥିଲେ।

ରାଜ୍ୟରେ କାର୍ଯ୍ୟରତ ୩୯୯୮ଜଣ ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସଙ୍କୁ ନିୟମିତ ଓ ସମସ୍ତ ଷ୍ଟାଫ ନର୍ସଙ୍କ ନିଯୁକ୍ତି ଓ ପଦୋନ୍ନତି ପରିଚାଳନା ପାଇଁ ଓଡ଼ିଶା ଷ୍ଟାଫ ନର୍ସ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତାବଳୀ) ଆଇନ, ୨୦୧୯ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ୩୯୯୮ଜଣ ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସମାନଙ୍କୁ ନିୟମିତ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି କ୍ୟାବିନେଟ୍‌। ଫଳରେ ବର୍ଷକୁ ୮୦ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି। ଜଣେ ଷ୍ଟାଫ ନର୍ସ ୧୦ ବର୍ଷ କାର୍ଯ୍ୟ କରିବା ପରେ ବରିଷ୍ଠ ଷ୍ଟାଫ ନର୍ସ ହୋଇପାରିବେ। ସେହିପରି ୨୭୩୦ଜଣ ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ(ମହିଳା)ଙ୍କୁ ସ୍ଥାୟୀ ଓ ନିୟମିତ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ଲାଗିଛି। ଏଥିପାଇଁ ବର୍ଷକୁ ପ୍ରାୟ ୬୦.୬୬ କୋଟି ଖର୍ଚ ହେବ। ଅନୁରୂପ ଭାବେ ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ୫୮୮ଜଣ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ(ପୁରୁଷ)ଙ୍କୁ ନିୟମିତ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିପାଇଁ ବର୍ଷକୁ ଖର୍ଚ ହେବ ପ୍ରାୟ ୧୫.୩୧ କୋଟି। ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ୭୯୯ଜଣ ଲାବୋରେଟୋରି ଟେକ୍‌ନିସିଆନ୍‌ଙ୍କୁ ସ୍ଥାୟୀ ଓ ନିୟମିତ କରାଯିବ। ଏଥିପାଇଁ ବାର୍ଷିକ ଖର୍ଚ ହେବ ପ୍ରାୟ ୧୩.୪୬ କୋଟି। କ୍ୟାବିନେଟ୍‌ ୬୮ଜଣ ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କ ସ୍ଥାୟୀକରଣ ପାଇଁ ମଞ୍ଜୁରି ଦେଇଛି। ଏ ବାବଦରେ ବର୍ଷକୁ ପ୍ରାୟ ୧.୭୦ କୋଟି ଖର୍ଚ ହେବ ବୋଲି ଆକଳନ କରିଛି ସ୍ବାସ୍ଥ୍ୟ ବିଭାଗ। ରାଜ୍ୟର ୧୨ଜଣ ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ରେଡିଓଗ୍ରାଫରଙ୍କୁ ସ୍ଥାୟୀକରଣ ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍‌ ମୋହର।

ରାଜ୍ୟରେ ୧୪୫ଟି ଅତିରିକ୍ତ ବିଡିଓ ପଦବି ଖାଲି ପଡ଼ିଛି। ୧୦ ବର୍ଷର ଅଭିଜ୍ଞତା ସଂପନ୍ନ ଯୋଗ୍ୟ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଓ ପ୍ରଗତି ସହାୟକମା‌େନ ଏହି ପଦବିକୁ ପଦୋନ୍ନତି ପାଇ ଆସିଥାନ୍ତିି। କିନ୍ତୁ ୧୦ ବର୍ଷ ପୂରଣ କରିବା କାଠିକର ପାଠ ହେଉଥିବାରୁ ଏହି ପଦବିକୁ ପଦୋନ୍ନତି ପାଇଁ ୧୦ ବର୍ଷର ସମୟସୀମାକୁ ୫ ବର୍ଷକୁ ହ୍ରାସ କରାଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଓଡ଼ିଶା ଯୋଜନା ସେବା ଅଧୀନରେ ୨ଟି ଅତିରିକ୍ତ ନିର୍ଦେଶକ ପଦବି ସୃଷ୍ଟି ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି। ଓଡ଼ିଶା ପ୍ରାଣୀଧନ ନୀରିକ୍ଷକଙ୍କ ଚୟନ ଓ ନିଯୁକ୍ତି ନିୟମାବଳୀ ସଂଶୋଧନ କରାଯାଇଛି। ଫଳରେ ଏହି ପଦବି ନିମନ୍ତେ ୬୦ ପ୍ରତିଶତ ସିଧାସଳଖ ନିଯୁକ୍ତି ବ୍ୟବସ୍ଥା କରାଯାଇଥିବା ବେଳେ ୪୦ ପ୍ରତିଶତ ନିଯୁକ୍ତି ଗୋମିତ୍ରମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଓଡ଼ିଶା ହୋମିଓପ୍ୟାଥିକ ଭେଷଜ ଶିକ୍ଷା ସେବା ସର୍ତାବଳୀରେ ପରିବର୍ତନ ପ୍ରସ୍ତାବକୁ ମଞ୍ଜୁରି ଦେଇଛି କ୍ୟାବିନେଟ୍‌। ଏହା ଦ୍ବାରା ହୋମିଓପ୍ୟାଥିକ ଡାକ୍ତରଙ୍କ ନିଯୁକ୍ତି ବୟସ ସୀମା ୪୦ ବର୍ଷକୁ ବୃଦ୍ଧି ହୋଇଛି। ପୂର୍ବରୁ ଇସ୍ପାତ ଓ ଖଣି ଓ ଜଳସଂପଦ ବିଭାଗ ଜରିଆରେ ଭୂତାତ୍ବିକ ସେବା ନିୟମାବଳୀରେ ପରିବର୍ତନ କରାଯାଇଥିଲା। ଏଥର ପଞ୍ଚାୟତିରାଜ ବିଭାଗ ଜରିଆରେ ଭୂ-ବୈଜ୍ଞାନିକ ପଦବି ‌ସର୍ତାବଳୀରେ ପରିବର୍ତନ ଅଣାଯାଇଛି। ଫଳରେ ସେମାନଙ୍କ ପାଇଁ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଥିଲେ।

ସମ୍ବନ୍ଧିତ ଖବର