ଓଡ଼ିଶା ଆଇଟି ନୀତି-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ମଙ୍ଗଳବାରଦିନ ରାଜ୍ୟ ଆଇଟି ପଲିସୀ ୨୦୨୨କୁ ଅନୁମୋଦନ କରିଛି । ସୂଚନା ପ୍ରଯୁକ୍ତି ଭିତ୍ତିକ ଶିଳ୍ପ ପାଇଁ ଓଡ଼ିଶାକୁ ଏକ ପସନ୍ଦଯୋଗ୍ୟ ରାଜ୍ୟରେ ପରିଣତ କରିବାକୁ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଏହି ନୀତିରେ ବ୍ୟବସ୍ଥା କରାଯାଇଛି ।

ଏହି ନୀତି ଅନୁସାରେ ଆଇଟି ପାର୍କ ଗୁଡ଼ିକ ପାଇଁ ସ୍ବତନ୍ତ୍ର ପ୍ରେତ୍ସାହନର ବ୍ୟବସ୍ଥା ରହିଛି । ସେହିପରି ପୁଞ୍ଜି ନିବେଶ ଓ ସୁଧ ରିହାତି ପ୍ରଦାନ କରାଯିବ । ଇନକୁବେସନ ସ୍ଥାନ ଓ ଲିଜ୍ ଜମି ଭଡ଼ାରେ ରିହାତି, ଜମି ସବସିଡି ପ୍ରଦାନ କରାଯିବ । ସେହିପରି ଆଇଟି କମ୍ପାନିମାନଙ୍କୁ ରାଜ୍ୟ-ଜିଏସଟି ଫେରସ୍ତ ବ୍ୟବସ୍ଥା ରହିଛି ।

ନୂଆ ଆଇଟି ନୀତିରେ ରାଜ୍ୟରେ ଏକ ବିଜୁ ଇନୋଭେସନ ହବ୍ ( ବିଜୁ ଉଦ୍ଭାବନ କେନ୍ଦ୍ର) ସ୍ଥାପନ ସଂପର୍କରେ ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ଆଇଟି ଭିତ୍ତିକ ସଂସ୍ଥାଗୁଡ଼ିକ ପାଇଁ ଇଣ୍ଟରନେଟ୍ ସଂଯୋଗ ସୁବିଧା ପ୍ରଦାନ କରାଯିବ । ଉତ୍କର୍ଷ କେନ୍ଦ୍ର ସ୍ଥାପନ, ଉଦୀୟମାନ ଟେକନଲୋଜୀ ପାଇଁ ପ୍ରେତ୍ସାହନ ଦିଆଯିବ ।  ସେହିପରି ମାନବ ସମ୍ବଳ କ୍ଷେତ୍ରରେ ନିବେଶ ପାଇଁ ସବସୀଡି ପ୍ରଦାନ କରାଯିବାକୁ ଏହି ନୀତିରେ ବ୍ୟବସ୍ଥା ରହିଛି ।

ମଙ୍ଗଳବାର ଦିନ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ପ୍ରସ୍ତାବ ମଧ୍ୟରେ ରହିଛି ରାୟଗଡ଼ା, କୋରାପୁଟ, ଜଗତସିଂହପୁର ଓ ଅନୁଗୁଳରେ ପାନୀୟ ଜଳ ପ୍ରକଳ୍ପ ଓ ପୁରୀର ବାସେଳି ସାହିରେ ଧର୍ମଶାଳା ସ୍ଥାପନ ।

 

 

 

ସମ୍ବନ୍ଧିତ ଖବର