ରାଜ୍ୟ କ୍ୟାବିନେଟ୍ ଦ୍ବାରା ୧୮ଟି ପ୍ରସ୍ତାବକୁ ସବୁଜ ସଂକେତ, ଖରିଫ ଧାନ ସଂଗ୍ରହ ନୀତିକୁ ମଂଜୁରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି ।

୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଂଜୁରୀ ଦିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଓ ମେରୁ ଜୁନ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ ।

ସେହିପରି ରାଜ୍ୟ କ୍ୟାବିନେଟ କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଂଜୁରୀ ଦେଇଛନ୍ତି । କୋଭିଡ ମହାମାରୀରେ ପ୍ରଭାବିତ କୃଷକମାନଙ୍କୁ ତୁରନ୍ତ ଲାଭ ପ୍ରଦାନ ପାଇଁ ଏହି ଅଧିନିୟମ ଅଣାଯିବ ।

ଅନ୍ୟପକ୍ଷରେ, ଗ୍ରୀଡକୋ ଋଣ କରିବାକୁ ୨୬ ଶହ କୋଟିର ଗ୍ୟାରେଣ୍ଟିକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି ।

ରାଜ୍ୟ କ୍ୟାବିନେଟରେ ପୁରୀ ପାଇଁ ମଧ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଓ ପୁରୀ ସହରର ବିକାଶ ଲାଗି ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ କଂପ୍ଲେକ୍ସ ଓ ଶ୍ରୀ ସେତୁ ପାଇଁ ବ୍ୟୟ ବରାଦ କରାଯାଇଛି । ଏ ସମସ୍ତ କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

 

ସମ୍ବନ୍ଧିତ ଖବର