ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ : ଜଣେ ଓହରିଲେ, ଆଉ ଜଣଙ୍କୁ ଆକ୍ରମଣ

ଜିଲ୍ଲା ପ୍ରଶାସନର ସ୍ଥିତି ଅନୁଧ୍ୟାନ, ସୁରକ୍ଷା ପ୍ରତିଶ୍ରୁତି

ପାରଳାଖେମୁଣ୍ତି : ଆନ୍ଧ୍ର ପଞ୍ଚାୟତ ନିର୍ବାଚନ‌ରେ ସୀମାନ୍ତ ଓଡ଼ିଶାର ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗ୍ରାମର ଦୁଇଜଣ ୱାର୍ଡ଼ ସଭ୍ୟ ଭାବେ ମଇଦାନକୁ ଓହ୍ଲାଇଥିଲେ। ଗଜପତି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଏବଂ ପଞ୍ଚାୟତବାସୀଙ୍କ ବୁଝାସୁଝା ପରେ ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଛନ୍ତି। ତେବେ ତାଙ୍କ ବିପକ୍ଷରେ ଥିବା ପ୍ରାର୍ଥୀ ଏବେ ବି ନିର୍ବାଚନ ମଇଦାନରେ। ଜଣେ ପ୍ରାର୍ଥୀ ନିର୍ବାଚନରୁ ଓହରିଯିବା ପରେ ସମସ୍ୟାର ସମଧାନ ହୋଇଗଲା ବୋଲି ପ୍ରଶାସନ ଭାବି ନେଇଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବ ବୋଲି ସୂଚନା ଦେଇଛି। ତେବେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନଥିବାରୁ ତାଙ୍କ ଉପରେ ଆକ୍ରମଣ ଓ ଗାଡ଼ି ନେଇଯିବା ଘଟଣା ଆଜି ଉତ୍ତେଜନା ପରସ୍ଥିତି ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରାଁଥୀପତ୍ର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି।

ସୂଚନା ମୁତାବକ, ମାଣିକପାଟଣା ଗ୍ରାମର ଲକ୍ଷ୍ମୀ ଶବର ଓ୍ୱାଏସ୍‌ଆର୍‌ସିପି ସମର୍ଥିତ ଓ୍ୱାର୍ଡ଼ ସଭ୍ୟା ପଦରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଶୁକୁଲା ଶବରଙ୍କ ପତ୍ନୀ ଦ୍ରୌପଦୀ ଶବରଙ୍କୁ ଟିଡିପି ସମର୍ଥନ କରୁଛି। ଗଜପତି ଜିଲ୍ଲା ପ୍ରଶାସନ ଯଦିବା ଭାବିଥିଲା ଜଣେ ପ୍ରାର୍ଥିନୀ ଓହରିଗଲେ ସମସ୍ୟାର ସମାଧାନ ହୋଇଗଲା, ଦ୍ବିତୀୟ ପ୍ରାର୍ଥିନୀଙ୍କ ବିଷୟରେ ପ୍ରଶାସନ ନିକଟରେ କୌଣସି ଖବର ନଥିଲା। ଲକ୍ଷ୍ମୀ ଶବରଙ୍କ ସ୍ବାମୀ ବାଲାୟା ଶବର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଆଉ ଲଢ଼ିବେ ନାହିଁ ଏବ˚ ଓ୍ୱାର୍ଡମେମ୍ବର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ବୋଲି ପ୍ରେସ୍‌ ବିବୃତ୍ତି ଦେଇଥିଲେ। ହେଲେ ଦ୍ରୌପଦୀ ଶବରଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଗଙ୍ଗାବାଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚ ସୁନିତା କିଙ୍ଗଲ୍‌ଙ୍କ ଦେଡ଼ଶୁର ହରିବନ୍ଧୁ କାର୍ଯୀଙ୍କ କହିବା ଅନୁସାରେ, ଯଦି ଲକ୍ଷ୍ମୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେଲା ଦ୍ରୌପଦୀ ଶବର ନିର୍ବାଚନ ପ୍ରାଙ୍ଗଣରେ ଓ୍ୱାର୍ଡ଼ ସଭ୍ୟା ପଦରେ ନିର୍ବାଚନ କିପରି ଲଢୁଛନ୍ତି। ସେ ଟିଡିପି ସମର୍ଥିତ ହୋଇଥିବାରୁ ଏ ଘଟଣାରେ ଆନ୍ଧ୍ର ଶାସକ ଦଳର ସ୍ଥାନୀୟ ନେତୃବୃନ୍ଦ ତାଙ୍କୁ ଘେରାଉ କରି ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ତାଙ୍କର ମୋଟର ସାଇକେଲ ମଧ୍ୟ ଛଡ଼ାଇ ନେଇଥିଲେ। ମଞ୍ଜୁଷା ମଣ୍ତଳର ସାବା ପଞ୍ଚାୟତର ମାଦିଲି ତିରୁପତି ଓ ତାଙ୍କ ସମର୍ଥକ ମାନେ ଏହି ଆକ୍ରମଣ କରିଛନ୍ତି ବୋଲି ସେ କହିଛନ୍ତି। ତେବେ ହରିବନ୍ଧୁ କାର୍ଯୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ଏବ˚ ପ୍ରାର୍ଥିନୀ ଦ୍ରୌପଦୀ ଶବରଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସ˚ଗ୍ରାମ ପଣ୍ତା କହିଛନ୍ତି। ପଡ଼ୋଶୀ ରାଜ୍ୟର ଦାଦାଗିରି ଗଙ୍ଗାବାଡ଼ ପଞ୍ଚାୟତରେ ବରଦାସ୍ତ କରାଯିବ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଉପଜିଲ୍ଲାପାଳ, ରାୟଗଡ଼ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଗଙ୍ଗାବାଡ଼ରେ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଭବିଷ୍ୟତରେ ଏପରି ତ୍ରୁଟିପୂର୍ଣ କାର୍ଯ୍ୟକଳାପରେ ସେମାନେ ନିଜକୁ ସମ୍ପୃକ୍ତ ରଖିବେ ନାହିଁ ବୋଲି ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀ ପ୍ରତିଶ୍ରୁତି ଦେଇଛନ୍ତି। ମୋହନା ବିଧାୟକ ତଥା କ˚ଗ୍ରେସ ଜିଲ୍ଲା ସଭାପତି ଦାଶରଥି ଗମାଙ୍ଗ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଗଙ୍ଗାବାଡ଼ ପଞ୍ଚାୟତ ଯିବେ ଓ ସ୍ଥିତି ଅନୁଧ୍ୟାନ କରିବେ। ଦୁଇଟି ରାଜ୍ୟର ସରକାରୀ ଯୋଜନା ହାତେଇବା ଏକ ଅପରାଧ। ରାୟଗଡ଼ ପଞ୍ଚାୟତର ପୂର୍ବତନ ସମିତି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ କହିବା ପ୍ରକାରେ, ପ୍ରଶାସନର ଆନ୍ତରିକତାର ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ସୀମାନ୍ତ ଅଞ୍ଚଳରେ ନିର୍ଦ୍ଧିଷ୍ଟ ଭାବେ କିଛି ଲୋକେ ଏପରି ଭୁଲ କରୁଛନ୍ତି। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଭବିଷ୍ୟତରେ ସମସ୍ତଙ୍କ ପାଇଁ ଏହା ଏକ ଉଦାହରଣ ହେବ। ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ କହିଛନ୍ତି, ଏ ସମ୍ପର୍କରେ ଉଭୟ ରାଜ୍ୟ ସରକାର ସଠିକ ତଥ୍ୟ ସ˚ଗ୍ରହ କରି ସ୍ଥାୟୀ ପଦକ୍ଷେପ ନେଲେ ଭବିଷ୍ୟତରେ ଏପରି ଭୁଲ ହେବନାହିଁ।

ସମ୍ବନ୍ଧିତ ଖବର