ଆରମ୍ଭ ହେଲା ଓଡ଼ିଶା କ୍ୟାରିଅର୍ ପୋର୍ଟାଲ: ବିଭିନ୍ନ ବୃତ୍ତି ଓ ଶିକ୍ଷାନୁଷ୍ଠାନ ସଂପର୍କରେ ଜାଣି ପାରିବେ ଛାତ୍ରଛାତ୍ରୀ

ଶିକ୍ଷକଙ୍କ ସହିତ କଥାବାର୍ତ୍ତା ବି ହୋଇପାରିବେ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଅର୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ପୋର୍ଟାଲ ଶୁଭାରମ୍ଭ ଅବସରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଅଦ୍ୱିତୀୟ ଏବଂ ସମୟୋପଯୋଗୀ।

ଶିକ୍ଷାର୍ଥୀମାନେ ଆବଶ୍ୟକ କରୁଥିବା ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ ଏହି କ୍ୟାରିଅର୍ ପୋର୍ଟାଲ । ଏହି ପୋର୍ଟାଲରେ ସର୍ବାଧିକ ଚିତ୍ତାକର୍ଷକକାରୀ ଦିଗଟି ହେଲା, ଏହାର ସମସ୍ତ ପାଠ୍ୟ ବିଷୟଗୁଡ଼ିକରେ ଆଞ୍ଚଳିକ ଭାବାପନ୍ନତା ଏବଂ ସାଂପ୍ରତିକତା ବଜାୟ ରହିଛିା ଶିକ୍ଷାର୍ଥୀମାନେ ଏହାର ଡ୍ୟାସବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ଇନ୍ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇ ପାରିବେ । ଏଥିସହିତ ନିଜର ସନ୍ଦେହ ମୋଚନ କରିପାରିବେ ଏବଂ ସଠିକ୍ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ନିମନ୍ତେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ୟୁନିସେଫ୍ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା କ୍ୟାରିଅର୍ ପୋର୍ଟାଲର ଶୁଭାରମ୍ଭ ହୋଇଛିା ଯଦ୍ବାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବୋ ନିଜର ଲଗ୍ଇନ୍ ଆଇଡି ଏବଂ ପାସ୍ଓ୍ୱାର୍ଡ ମାଧ୍ୟମରେ www.odishacareerportal.com କୁ ଲଗ୍ଇନ୍ କରି ଏହି ସହାୟତା ପାଇପାରିବେ।

Odisha Career Portal Launch | www.odishacareerportal.com - YouTube

ଏହି ପୋର୍ଟାଲ ଦ୍ୱାରା ଶିକ୍ଷାର୍ଥୀମାନେ ବିଭିନ୍ନ ବୃତ୍ତି ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ଜାଣିବେ ଏବଂ ଶିକ୍ଷକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ମଧ୍ୟ କରିପାରିବ। ଏହି ପୋର୍ଟାଲ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୋବାଇଲ୍ ଉପଯୋଗୀ ଆପକୁ ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରୁ ଉପକୃତ ହୋଇପାରିବେ।

ଏହି ଓଡ଼ିଶା କ୍ୟାରିଅର୍ ଗାଇଡାନ୍ସ ପୋର୍ଟାଲ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଅଛିା ଏହି ଅନନ୍ୟ ପୋର୍ଟାଲ ବିଭିନ୍ନ ବୃତ୍ତି ଓ ସେଗୁଡ଼ିକ ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଅନୁଷ୍ଠାନ ଏବଂ ସେଥିପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତିଗୁଡ଼ିକ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବେ ସୂଚନା ପ୍ରଦାନ କରିଥାଏ। ଏହି ପୋର୍ଟାଲରେ ୫୫୦ରୁ ଊର୍ଧ ବୃତ୍ତି ବା ଧନ୍ଦା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ରହିଛି ଏବଂ ଏହାର ଉପଯୋଗ କରି ଶିକ୍ଷାର୍ଥୀମାନେ ୨,୬୨,୨୦୦ରୁ ଊର୍ଧ ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ଜାଣିବା ସହିତ ରାଜ୍ୟ ଏବଂ ଦେଶରେ ଥିବା ୧୭୦୦ରୁ ଊର୍ଧ ନିମ୍ନସ୍ନାତକ ଏବଂ ସ୍ନାତକୋତ୍ତର ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ସବିଶେଷ ତଥ୍ୟ ପାଇପାରିବ। ଏତଦ ବ୍ୟତୀତ ଏଥିପାଇଁ ଥିବା ୧୧୫୦ଟି ପ୍ରବେଶିକା ପରୀକ୍ଷା ଏବଂ ସେମାନଙ୍କର ଆବେଦନ ପ୍ରଣାଳୀ ବିଷୟରେ ମଧ୍ୟ ଜାଣିପାରିବୋ

ପ୍ରଦତ୍ତ ଧନ୍ଦାଗୁଡ଼ିକ ସଂଲଗ୍ନ ୧୧୨୦ଟି ଛାତ୍ରବୃତ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଭାରତ ତଥା ଭାରତ ବାହାରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଫେଲୋସିପଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରାପ୍ତ ହୋଇପାରିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ରାଜ୍ୟର ସମସ୍ତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ଯେପରି ନିଜ ପାଇଁ ଉପଯୁକ୍ତ ବୃତ୍ତିର ଚୟନ କରିପାରିବେ, ସେଥିପାଇଁ ଓଡ଼ିଶା କ୍ୟାରିଅର୍ ପୋର୍ଟାଲର ଆକାଂକ୍ଷା ରହିଛିା ଅତିଥିମାନଙ୍କୁ ସ୍ବାଗତ କରିବାବେଳେ ଭୂପିନ୍ଦର ସିଂ ପୁନିଆ ଆଲୋକପାତ କରିଥିଲେ ଯେ ଆଗାମୀ ବର୍ଷରେ ଓଡ଼ିଶାର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଜୀବନରେ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇବା ସହିତ ବିଶ୍ୱବ୍ୟାପୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ କିଶୋରକିଶୋରୀ ଛାତ୍ରମାନଙ୍କ ବିକାଶର ଆବଶ୍ୟକତା ଏବଂ ବୃତ୍ତିଗତ ଚିନ୍ତାଧାରାକୁ ସମାଧାନ କରିବ।

ୟୁନିସେଫ୍ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନେଲ୍ସନ୍ କହିଛନ୍ତି ଯେ ଓଡ଼ିଶା କ୍ୟାରିଅର ପୋର୍ଟାଲ, ରାଜ୍ୟର ମାଧ୍ୟମିକ ସ୍ତରର କିଶୋର ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରୁ ବାହାରି କର୍ମଜଗତରେ ପ୍ରବେଶ କରିବା ପାଇଁ ଉଚ୍ଚତର ଅଧ୍ୟୟନ କରିବା ନିମନ୍ତେ ଏକ ଉଲ୍ଲେଖନୀୟ ମାଧ୍ୟମ ରୂପେ କାର୍ଯ୍ୟ କରିବ। ଏଥି ନିମନ୍ତେ ଆବଶ୍ୟକୀୟ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ୟୁନିସେଫ୍ ସଂକଳ୍ପବଦ୍ଧ ଅଟେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର,  ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ଓସେପା ଯୁଗ୍ମ ନିର୍ଦ୍ଦେଶକ ଆରତୀ ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର