କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ପଲ୍ଲୀରୁ ସହର

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଓଡ଼ିଶା। ପଲ୍ଲୀରୁ ସହର ଯାଏ ସବୁଆଡେ ସଞ୍ଚରି ଯାଇଛି ଏକ ଆଧ୍ୟାତ୍ମିକ ପରିବେଶ। ବିଭିନ୍ନ ଦେବାଳୟ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିବା ବେଳେ ଭୋରରୁ ବିଭିନ୍ନ ନଦୀଘାଟ, ବଡ଼ ପୁଷ୍କରଣୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବୋଇତବନ୍ଦାଣ ଉତ୍ସବ ଭାବେ ଅନୁଷ୍ଠିତ ହୋଇଛି।


ଆଜି ବଡ଼ି ସକାଳୁ ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ବିନ୍ଦୁସାଗର କୂଳରେ ପ୍ରବଳ ଭିଡ଼ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ବିନ୍ଦିସାଗରରେ ସ୍ନାନ କରି ଡଙ୍ଗା ଭସାଇବା ସହିତ ମହାପ୍ରଭୂ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ସେହିପରି କୁଆଖାଇ ନଦୀ ଘାଟରେ ମଧ୍ୟ ବହୁ ଲୋକ ସକାଳୁ ସକାଳୁ ଡଙ୍ଗା ଭସାଇଛନ୍ତି। ଏକାମ୍ର କ୍ଷେତ୍ରର ପ୍ରତ୍ୟେକ ଶିବ ବନ୍ଦିରରେ ଆଜି ସକାଳୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଛି। ଏଥିପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି।


ସେହିପରି ପୁରୀରେ ଆଜି ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଆଜି ପ୍ରତ୍ୟୁଷରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇ ଶ୍ରୀଜୀଉମାନଙ୍କ ପୂଜାର୍ଚ୍ଚନା ପରେ ଭକ୍ତମାନଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଭୋର ୪ଟାରୁ ହଜାର ହଜାର ଶ୍ରଦ୍ଧାଳୁ, ପର୍ଯ୍ୟଟକ ମହୋଦଧୀର ପବିତ୍ର ଜଳରେ ସ୍ନାନ କରି ବଡ଼ଦେଉଳରେ ବଡ଼ଠାକୁରଙ୍କୁ ଦର୍ଶନ କରିଛନ୍ତି। ଏଠାରେ ଶାନ୍ତିଶ୍ୟଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସେହିପରି ଆଜି ସକାଳୁ, କଟକର ଗଡ଼ଗଡ଼ିଅ ଘାଟ, ଯୋବ୍ରା ଘାଟ, କାଠଯୋଡ଼ି ନଦୀଘାଟରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ କାର୍ତ୍ତକ ପୂର୍ଣ୍ଣିକା ଅବସରରେ ଡଙ୍ଗା ଭସାଇ ବିଭିନ୍ନ ମନ୍ଦିରେ ଦେବଦର୍ଶନ କରିଛନ୍ତି।
ଏତଦ୍‌ବ୍ୟତୀତ, ଚିଲିକା( ବାଲୁଗାଁ) , ଢେଙ୍କାନାଳ, ଚାନ୍ଦବାଲି, ପାରଦୀପ, ବାଲେଶ୍ୱର ଆଦି ସ୍ଥାନରେ ସ୍ୱତନ୍ତ୍ର ବୋଇତ ବନ୍ଦାଣ ଉତ୍ସବ ର ଆୟୋଜନ କରାଯାଇଛି। ଛୋଟଛୋଟ ପିଲାମାନେ ସାଧବ ବେଶ ହୋଇଥିବା ଦେଖିବାକୁ ମିଳିଛି।।

 

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଟ୍ଵିଟ୍‌ କରି କହିଛନ୍ତି ଆଜିର ଦିନରେ ଆମେ ସାଦବ ପୁଅର ନୌବାଣିଜ୍ୟ ଗାଥାକୁ ସ୍ମରଣ କରି ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ ସଭିଏଁ ଆଗଭରା ହେବା।

ସମ୍ବନ୍ଧିତ ଖବର