ଏମିତି ଚାଲିଛି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ: ୧୪ ବିଭାଗ ପାଇଁ ଅଛନ୍ତି ମାତ୍ର ୧୭ ଶିକ୍ଷକ

୮୯% ଶିକ୍ଷକ, ୮୦% ଅଣଶିକ୍ଷକ ପଦ ଖାଲି

ଭୁବନେଶ୍ବର : କୋରାପୁଟରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(ସିୟୁଓ)ରେ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ବିଶ୍ବବିଦ୍ୟାଳୟ ଲାଗି ଅନୁମୋଦିତ ୧୫୪ ନିୟମିତ ଶିକ୍ଷକ ପଦବି ମଧ୍ୟରୁ ୧୩୭ଟି ଖାଲି ପଡ଼ିଛି। ଅର୍ଥାତ୍‌ ମାତ୍ର ୧୧% ଶିକ୍ଷକରେ ଚାଲିଛି ରାଜ୍ୟର ଏହି ପ୍ରମୁଖ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ। ୧୪ଟି ବିଭାଗରେ ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କୁ ପଢ଼ାଇବା ଲାଗି ମାତ୍ର ୧୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି। ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରୁ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି।

ଏହି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ୧୧୫ଟି ଅଣଶିକ୍ଷକ ପଦ ମଞ୍ଜୁର ହୋଇଥିବା ବେଳେ ୯୩ଟି ଖାଲି ପଡ଼ିଛି। ଅର୍ଥାତ୍‌ ୮୦% କର୍ମଚାରୀ ନାହାନ୍ତି। ବର୍ତମାନ ସମୟରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ୩୨% ଶିକ୍ଷକ ଓ ୩୭% ଅଣଶିକ୍ଷକ ପଦ ଖାଲି ରହିଛି। ଯାହା ତୁଳନାରେ ସିୟୁଓର ସ୍ଥିତି ବହୁତ ଖରାପ।

୨୦୨୧ ଏପ୍ରିଲ ପହିଲା ସୁଦ୍ଧା ସୃଷ୍ଟି ହୋଇଥିବା ଦୁଇଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଯଥା ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ପାଇଁ ଏ ପର୍ଯ୍ୟନ୍ତ ପଦ ମଞ୍ଜୁର ହୋଇ ନାହିଁ। ବାକି ୪୪ଟି ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରୀପ୍ରାପ୍ତ ୧୮ ହଜାର ୯୧୧ ଶିକ୍ଷକ ପଦବି ମଧ୍ୟରୁ ୬୧୩୬ ଖାଲି ରହିଛି। ସେହିପରି ୩୬ ହଜାର ୩୫୧ ଅଣଶିକ୍ଷକ ପଦବି ମଧ୍ୟରୁ ୧୩ ହଜାର ୭୦୬ରେ କେହି ନାହାନ୍ତି। ୨୦୦୯ରେ ସିୟୁଓ ସମେତ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୁଜୁରାଟ, ହରିୟାଣା, କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ତାମିଲନାଡୁରେ ପ୍ରତିଷ୍ଠା ହୋଇଥିବା ଅନ୍ୟ ୯ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆବଶ୍ୟକତା ଅନୁସାରେ ଶିକ୍ଷକ ଓ ଅଣଶିକ୍ଷକ ରହିଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ୮୪୬, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ୪୨୨, ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ୫୯୮ ଶିକ୍ଷକ ନାହାନ୍ତି। ଦେଶର ୮ଟି ଆଇଆଇଟି ଓ ୨୧ଟି ଏନ୍‌ଆଇଟିରେ ଚେୟାନମ୍ୟାନ ପଦ ଖାଲି ପଡ଼ିଛି। ୫ଟି ଲେଖାଏଁ ଆଇଆଇଟି ଓ ଏନ୍‌ଆଇଟିରେ ନିର୍ଦେଶକ ପଦ ଖାଲି ପଡ଼ିଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ କିଭଳି ପାଠପଢ଼ା ହେଉଥିବ ତାହା ଅନୁମେୟ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ପଦ ପୂରଣ ନେଇ ଏକାଧିକ ଥର ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଆଗେଇ ପାରିନାହିଁ। ୨୦୧୯ରେ ୮୨ଟି ଶିକ୍ଷକ ପଦ ପୂରଣ ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା। ତେବେ କରୋନା ସଂକ୍ରମଣ ଯୋଗୁଁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି। ନିୟମିତ ଶିକ୍ଷକ ଅଭାବ ଥିବାରୁ ୬୫ରୁ ଅଧିକ ଚୁକ୍ତିଭିତ୍ତିକ ତଥା ଅତିଥି ଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି। ଶିକ୍ଷାଦାନ ବିଶେଷ ପ୍ରଭାବିତ ହୋଇ ନାହିଁ। ଖୁବ୍‌ଶୀଘ୍ର ପଦଗୁଡ଼ିକ ପୂରଣ ହୋଇଯିବ।

ସମ୍ବନ୍ଧିତ ଖବର