ପୁରୀ: ଶ୍ରୀମନ୍ଦିର ପରିଦର୍ଶନ ସହ ନିର୍ମାଣାଧୀନ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରି ଡିସେମ୍ବର ୧୫ ସୁଦ୍ଧା ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ପାଣ୍ଡିଆନ ଆଜି ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରକଳ୍ପର ସମୀକ୍ଷା କରିବା ସହ ଦର୍ଶନ ବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭକ୍ତଙ୍କ ଲାଗି ବ୍ୟବସ୍ଥିତ ଦର୍ଶନ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାୱାର ପଏଣ୍ଟ୍‌ ଉପସ୍ଥାପନ କରାଯାଇଥିଲା। ଦକ୍ଷତାର ସହ ଭିଡ଼ ପରିଚାଳନା ଓ ସହଜରେ ଭକ୍ତମାନେ ଦର୍ଶନ ପାଇବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ବାରୋପ କରିଥିଲେ।

Advertisment

ଡିସେମ୍ବର ୧୫ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଏହାବ୍ୟତୀତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସହ ମଠ ପୁନଃନିର୍ମାଣ ପାଇଁ ଦକ୍ଷ କାରିଗରଙ୍କୁ ନିଯୁକ୍ତି ଦେବାକୁ ପରାମର୍ଶ ଦେଇଛନ୍ତି। ସେବାୟତମାନଙ୍କ ସୁବିଧା ଯାତାୟାତ ପାଇଁ ଦୁଇଚକିଆ ଗାଡ଼ିର ପାର୍କିଂର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ପରିକ୍ରମା ପ୍ରକଳ୍ପର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପାର୍ଶ୍ବରେ ହୋଇଥିବା ଲାଣ୍ଡସ୍କେପିଂ କାର୍ଯ୍ୟ ପରିଦର୍ଶନ କରି ଏହାକୁ ତୁରନ୍ତ ସାରିବା, ମେଘନାଦ ପାଚେରି ନିକଟରେ ସମସ୍ତ ବିଦ୍ୟୁତ୍‌ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା, ସେଠାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ, ତାରକୁ ସ୍ଥାନାନ୍ତର କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ ଛୋଟଛୋଟ ମନ୍ଦିର ଓ କାରୁକାର୍ଯ୍ୟକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିରରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତାକୁ ଅବରୋଧମୁକ୍ତ ରଖିବା ପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବର୍ଜ୍ୟ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌, ପରିମଳକୁ ସୁବ୍ୟବସ୍ଥିତ କରିବା ଦିଗରେ ଗୁରୁତ୍ବାରୋପ କରିଥିଲେ। ପରିଦର୍ଶନ ସମୟରେ ବିଧାୟକ ପ୍ରଣବ ପ୍ରକାଶ ଦାଶ, ଜିଲ୍ଲାପାଳ ସମର୍ଥ ବର୍ମା, ଆଇଜି ଆଶିଷ ସିଂହ, ଏସ୍‌ପି କନୱର ବିଶାଳ ସିଂହ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଓ କାମ କରୁଥିବା ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ।