ନୂଆପଡ଼ା/ସିନାପାଲି: ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ସ୍ଥାନକୁ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ଏବଂ ତହସିଲଦାର ଉପାଞ୍ଜଲି ମାଝି ପରିଦର୍ଶନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ କୁସୁମଯୋର ପଞ୍ଚାୟତର ଏକ ରାସ୍ତାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଦେଇଛି। ଓଡ଼ିଶା ରାଜ୍ୟ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ଚାଲିଥିବା ବେ​ଳେ ଛତିଶଗଡ଼ ଏହାକୁ ବିରୋଧ କରିଛି। ସିନାପାଲି ବ୍ଲକ୍ କୁସୁମଯୋର ପଞ୍ଚାୟତ ଜାମପଡ଼ାରେ ମନରେଗା ଯୋଜନାରୁ ୬ଲକ୍ଷ ଟଙ୍କା ଅଟକଳରେ ରାସ୍ତା କାମ ଚାଲିଛି। ହେଲେ ଏହାକୁ ଛତିଶଗଡ଼ ପ୍ରଶାସନ ନିଜର ବୋଲି ଦାବି କରୁଛି।

Advertisment

କେବେଳ ସେତିକି ନୁହେଁ, ଛତିଶଗଡ଼ର ସ୍ଥାନୀୟ ସରପଞ୍ଚ ତାଙ୍କ ପ୍ରଶାସନିକ ଅଧିକାରୀମାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଛତିଶଗଡ଼ ପ୍ରଶାସନିକ ଅଧିକାରୀ ମଧ୍ୟ ଉକ୍ତ ରାସ୍ତାକାମ ଚାଲିଥିବା ଜାଗାକୁ ତଦାରଖ ପାଇଁ ଆସିଥିଲେ। ଏଥିସହ ସ୍ଥାନ ଚିହ୍ନଟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାର ହେବାପରେ ସୋମବାର ସିନାପାଲି ବିଡିଓ ଏବଂ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାସ୍ତାର ସୀମା ମାପଚୁପ ହେବ ବୋଲି ଜଣାପଡ଼ିଛି।