ବନ୍ୟା ପରିଚାଳନାକୁ ନେଇ ଓଡ଼ିଶା-ଛତିଶଗଡ଼ ଦୋଷ ଠେଲାଠେଲି

ଭୁବନେଶ୍ବର : ବନ୍ୟା ପରିଚାଳନାକୁ ନେଇ ଓଡ଼ିଶା- ଛତିଶଗଡ଼ ମୁହାଁମୁହିଁ ହୋଇଛନ୍ତି। ଛତିଶଗଡ଼ ସରକାର ଆଲୋଚନାକୁ ଆସୁନାହାନ୍ତି ବୋଲି ଓଡ଼ିଶା ସରକାର ଅଭିଯୋଗ କରିଥିବା ବେଳେ ଛତିଶଗଡ଼ ସରକାର ଏହାକୁ ଖଣ୍ଡନ କରିଛନ୍ତି। ଓଡ଼ିଶା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି, ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ବେ ଛତିଶଗଡ଼ ସରକାର ଆଲୋଚନାକୁ ଆସୁନାହାନ୍ତି। ଦୁଇ ତିନି ବର୍ଷ କୋଭିଡ ପାଇଁ ସମନ୍ୱୟ ବୈଠକ ହୋଇପାରି ନଥିଲା। ଚଳିତ ବର୍ଷ ଓଡ଼ିଶା ଡାକିବା ସତ୍ତ୍ବେ ଛତିଶଗଡ଼ ବୈଠକକୁ ଆସୁନି।

ଅନ୍ୟପକ୍ଷରେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶା ସବୁବେଳେ ବିବାଦ ବଢାଉଛି। ୧୦ବର୍ଷ ଧରି ମହାନଦୀ ଉପରେ ସମସ୍ତ ପ୍ରକଳ୍ପ କାମ ଅଟକାଇ ରଖିଛି ଓଡ଼ିଶା। ମାମଲା ବିଚାରାଧୀନ ରହିଛି। ଛତିଶଗଡ଼ ଶୀଘ୍ର ସମସ୍ୟାର ସମାଧାନ ଚାହୁଁଛି। ଛତିଶଗଡ଼ରେ ବି ବନ୍ୟା ପରିସ୍ଥିତି ଗୁରୁତର ଆକାର ଧାରଣ କରିବାକୁ ଯାଉଛି। ଏଥିପାଇଁ ଓଡ଼ିଶାକୁ ଦୋଷ ଦେଇଛନ୍ତି ଛତିଶଗଡ଼ ମହାନଦୀ ରିଜର୍ଭର ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ରାକେଶ କୁମାର ନାଗରିଆ । ସେ କହିଛନ୍ତି, ହୀରାକୁଦ ଗେଟ୍ ନଖୋଲିବାରୁ ଛତିଶଗଡ଼ରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି। ହୀରାକୁଦର ଗେଟ୍ ଅପରେସନ୍ ହେଉନାହିଁ। ସେହି କାରଣରୁ ଆମର ଏଠି ବନ୍ୟା ହେଉଛି। ଗେଟ୍ ନଖୋଲିବାରୁ ଅନେକ କ୍ଷତି ହେଉଛି । ସବୁ ତଥ୍ୟ ଓଡ଼ିଶା ଅଫିସରଙ୍କୁ ଦିଆଯାଇଛି। ସେମାନେ ଜାଣିଛନ୍ତି, କେତେ ପାଣି ଆସୁଛି ଓ କେତେ ପାଣି ଛଡ଼ାଯାଉଛି।

ହୀରାକୁଦରେ ଅଧିକ ଗେଟ୍‌ ଖୋଲିବା ପାଇଁ ଛତିଶଗଡ଼ ପଟୁ ଚାପ ପଡ଼ୁଥିଲେ ବି ଓଡ଼ିଶା ସରକାର ରୋକ୍‌ଠୋକ ମନା କରିଦେଇଛନ୍ତି। ବର୍ତ୍ତମାନ ୩୪ ଗେଟ୍‌ ଖୋଲା ଅଛି ଓ ଅଧିକ ଗେଟ୍‌ ଖୋଲିବାର ଆବଶ୍ୟକ ନାହିଁ ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର