ଶିକାରୀଙ୍କ କବ୍‌ଜାରେ ଓଡ଼ିଶା-ଛତିଶଗଡ଼ ଅଭୟାରଣ୍ୟ

ଲୋପ ପାଇବାକୁ ଯାଉଛି ଜାତୀୟ ପଶୁ, ଅଧୁରା ରହିବ ବ୍ୟାଘ୍ର ପ୍ରକଳ୍ପ ସ୍ବପ୍ନ

ନୂଆପଡ଼ା : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ୨ଟି ଅଭୟାରଣ୍ୟକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାଘ୍ର ପ୍ରକଳ୍ପ କରାଯିବା ନେଇ ଯୋଜନା କରୁଛନ୍ତି। ହେଲେ ଯେଉଁ ବାଘଙ୍କ ପାଇଁ ପ୍ରକଳ୍ପ ଯୋଜନା କରାଯାଉଛି, ‌େସଠାରେ ସେମାନେ ସୁରକ୍ଷିତ ନୁହନ୍ତି। ଶିକାରୀଙ୍କ କବ୍‌ଜାରେ ରହିଛି ଅଭୟାରଣ୍ୟ। ଏଠାରେ ବାଘ ଶିକାର ବୃଦ୍ଧି ପାଇଥିବାବେଳେ ସୁରକ୍ଷାକୁ ନେଇ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। କିଛି ଦିନ ପୂର୍ବରୁ ଚିକିତ୍ସାରେ ଅବହେଳା ଯୋଗୁଁ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୩ ଦିନ ପୂର୍ବରୁ ଶିକାରୀମାନେ ଏକ ମହାବଳ ବାଘକୁ ମାରିଥିବା ଘଟଣା ସାମ୍ନାକୁ ଆସିଛି।

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଉଦନ୍ତୀ ଓ ସୁନାବେଡ଼ା ଅଭୟାରଣ୍ୟ ଲାଗି ରହିଛି। ଏହି ୨ଟି ଅଭୟାରଣ୍ୟରେ ମହାବଳ ବାଘର ବିଭିନ୍ନ ସମୟରେ ଚଳପ୍ରଚଳ ଦେଖା ଦେଇଥାଏ। ଗତ ବର୍ଷ ଡିସେମ୍ବର ମାସରେ ସୁନାବେଡ଼ା ଅଭୟାରଣ୍ୟରେ ମହାବଳ ବାଘର ପାଦଚିହ୍ନ ରହିଥିବା ବନ ବିଭାଗ ଠାବ କରିଥିଲା। ସେହିପରି ଏହି ଅଭୟାରଣ୍ୟରେ କଲରାପତରିଆ ବାଘ ବହୁ ସଂଖ୍ୟାରେ ରହିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ହେଲେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏହି ଅଭୟାରଣ୍ୟ ପଦା ହେବାକୁ ବସିଛି। ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବିଗତ ୧୦ ବର୍ଷରେ ୨ଟି ମହାବଳ ବାଘର ମୃ୍ତ୍ୟୁ ହୋଇଥିବା ବେଳେ ୨ଟି କଲରାପତରିଆ ବାଘର ଜୀବନ ଯାଇଛି। ୨୦୧୫ରେ ନୂଆପଡ଼ା-ବଲାଙ୍ଗୀର ସୀମାନ୍ତ ଡେଡେଙ୍ଗା ଜଙ୍ଗଲରେ ଏକ ମହାବଳ ବାଘର ମୃତ୍ୟୁ ହୋଇଥିଲା। ସେହିପରି ନୂଆପଡ଼ା ରେଞ୍ଜ ଟିପାଝର ଗ୍ରାମରେ ୧୧ ଜଣ ଶିକାରୀ ଏକ କଲରାପତରିଆ ବାଘକୁ ଶିକାର କରିଥିବା ବେଳେ ନୂଆପଡ଼ା ବନ ବିଭାଗ ଚଢ଼ଉ କରି ବାଘଛାଳ, ନଖ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା।

Nature Safari India

ଚଳିତ ମାସ ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଉଦନ୍ତୀ ଅଭୟାରଣ୍ୟରେ ପୁଣି ଏକ ମହାବଳ ବାଘକୁ ଶିକାରୀମାନେ ମାରିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଉଭୟ ରାଜ୍ୟର ବନ ବିଭାଗ ନୂଆପଡ଼ା ଜିଲ୍ଲାର ୫ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷରେ ଗତ ବର୍ଷ ଜୁନ ୭ ତାରିଖ ଗରିଆବନ୍ଧ ଜିଲ୍ଲା ଉଦନ୍ତୀ ଅଭୟାରଣ୍ୟ ଅଧୀନ  କୁଲିହାଡିହି ଧେଲେନ ନାଳା ନିକଟରୁ ଏକ କଲରାପତରିଆ ବାଘର ଶବ ଦରପୋଡ଼ା ଅବସ୍ଥାରେ ଛତିଶଗଡ଼ ବନ ବିଭାଗ ଜବତ କରିଥିଲା। ବିଗତ ବର୍ଷରେ ସୀମାନ୍ତ ଅଞ୍ଚଳରେ ଗରିଆବନ୍ଧ ଜିଲ୍ଲା ବନ ବିଭାଗ ଏବଂ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଘଛାଲ, ନଖ, ଜୀବନ୍ତ ବଜ୍ରାକାପ୍ତା କାତି ଭଳି ବହୁ ବନ୍ୟଜନ୍ତୁ ଦେହାବଶେଷ ଜବତ କରିଛି। ସେହିପରି ବିଗତ କିଛି ବର୍ଷ ହେଲା ସୁନାବେଡ଼ା ଅଭୟାରଣ୍ୟ ମାଓପ୍ରବଣ ଅଞ୍ଚଳ କହି ବନ ବିଭାଗ ଚୁପ୍‌ ରହିଥିବାରୁ ସୀମାନ୍ତରେ ଅନ୍ତଃରାଜ୍ୟ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସୀମାନ୍ତରେ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଥିବା ବେଳେ ଅଭୟାରଣ୍ୟରେ ବନ୍ୟଜନ୍ତୁ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।

କେନ୍ଦ୍ର ସରକାର ଛତିଶଗଡ଼ ଉଦନ୍ତୀ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ଦେଇଥିବା ବେଳେ ଓଡ଼ିଶାର ସୁନାବେଡ଼ାକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି। ତେବେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରିବାକୁ ମଞ୍ଜୁରି ଦେଇ ସାରିଥିବା ବେଳେ ରାଜ୍ୟ ସରକାରଙ୍କଠାରେ ଅଟକି ରହିଛି। ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାନଗଲେ ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର