ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ହୋଇପାରିଛି : ଡବ୍ଲୁଏଫପି

ଭୁବନେଶ୍ବର : ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଛି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ।

କ୍ଷୁଧାମୁକ୍ତ ବିଶ୍ବ ପରି ଏକ ସାଧାରଣ ଲକ୍ଷ୍ୟ ହାସଲ ଲାଗି ଡବ୍ଲୁଏଫପି ଓ ଓଡ଼ିଶା ସରକାର ମିଳିତ ଭାବରେ କାର୍ଯ୍ୟକରିବାକୁ ସହମତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରୋମସ୍ଥିତ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟ ପରିଦର୍ଶନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଓଡ଼ିଶା ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରି ଏବଂ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ଧୀରେ ଧୀରେ ନିରନ୍ତର ଓ ସମନ୍ବିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି ବୋଲି ସେ କହିଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡେଭିଡ୍ ବିସଲେ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର କରିଥିବା କାର୍ଯ୍ୟକୁ ଆମେ ସ୍ବୀକାର କରୁଛୁ । ଓଡ଼ିଶାର ସଫଳତା କାହାଣୀକୁ ଉପଯୋଗ କରି ବିଶ୍ବର ଅନ୍ୟ ଦେଶରେ ଏହାକୁ ବ୍ୟବହାର କରି ସଫଳତା ମିଳିପାରିବ । ଓଡ଼ିଶାର ଏହି ଅଭିଜ୍ଞତାକୁ ବିଶ୍ବ ସ୍ତରରେ ଉପଯୋଗ କରିବା ଓ ଏକ ତାଲିମ କାର୍ଯ୍ୟକ୍ରମ ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ଓ ଡବ୍ଲୁଏଫପି ମଧ୍ୟରେ ଏକ ସହଯୋଗ ପାଇଁ ଆଲୋଚନା କରାଯାଇଛି ।

 

ସମ୍ବନ୍ଧିତ ଖବର