ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଆଲୋଚନା ପରେ ବାତ୍ୟା ‘ଫନି’ ଦ୍ୱାରା କ୍ଷତିଗ୍ରସ୍ତ ଓଡ଼ିଶାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା

ଭୁବନେଶ୍ୱର : ଯମଦୂତ ହୋଇ ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚିଲା ଆଉ ଗଲାପରେ ଏବେ ଚାରିଆଡ଼େ ହାହାକାର ଶୁଭୁଛି । ଏଭଳି ବିପତ୍ତି ସମୟରେ କିଭଳି ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଥଇଥାନ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯିବ ସେନେଇ ରାଜ୍ୟ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଛି । ତେଣୁ କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ରାଜ୍ୟରେ କରାଳରୂପ ଦେଖାଇ ଧନଜୀବନ ନଷ୍ଟ କରିଥିବା ବାତ୍ୟା ‘ଫୋନି’ ବିଷୟରେ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ବାତ୍ୟା ‘ଫନି’ରେ ମୋବାଇଲ୍ ସେବା ଏବଂ ବିଦ୍ୟୁତ୍ ସରବରାହ ଅଧିକମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଭଳି ସହରରେ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ଟେଲିକମ୍ କିମ୍ବା ବିଦ୍ୟୁତ୍ ସେବା ନୁହେଁ ବରଂ ଗମନାଗମନ ସହ ଯାତାୟତ ଓ ପାନୀୟ ଜଳ ସମସ୍ୟାରେ ଆଉଟୁ ପାଉଟୁ ହେଉଛନ୍ତି ବାତ୍ୟା ପ୍ରପୀଡ଼ିତ । ତେଣୁ ରାଜ୍ୟ ସରକାର ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ୫୦ କିଲୋ ଚାଉଳ ସହ ୨ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ଅନ୍ୟପଟେ କ୍ୟାବିନେଟ୍ ସଚିବ ସିହ୍ନା ଏସବୁ ସ୍ଥିତି ବିଷୟରେ ଅବଗତ ହେବା ପରେ ତୁରନ୍ତ ଶକ୍ତି ବିଭାଗ ସହ ଟେଲି କମ୍ୟୁନିକେସନ ମନ୍ତ୍ରଣାଳୟକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଯେଉଁଠାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି ସେଠାରେ ତୁରନ୍ତ ବିଦ୍ୟୁତ୍ ଖୁଣ୍ଟି ଯୋଗାଇଦେବା ସହ ପୁନଃରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ।

ସେହିଭଳି ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ଯେଉଁଭଳି ରିଲିଫ୍ ପ୍ରଦାନ କରୁଛନ୍ତି ସେନେଇ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଏଜେନ୍ସିଜ୍ ମାନଙ୍କୁ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ରହିଛି ଏବଂ ସମସ୍ତ ପ୍ରକାର ସହାୟତ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବାକୁ ମଧ୍ୟ ତ୍ୱରିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ।

ସମ୍ବନ୍ଧିତ ଖବର