କେନ୍ଦ୍ର ମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ମୁଖ୍ୟ ସଚିବ ଆସିଲେନି

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ଅତିଥି ଭବନରେ ଏକ ସମୀକ୍ଷା ବୈଠକ ଡାକିଥିଲେ। ରାଜ୍ୟରେ ଚାଲୁଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯିବାର ଯୋଜନା ଥିଲା। ମୁଖ୍ୟ ଶାସନ ସଚିବଙ୍କୁ ବୈଠକକୁ ଡକାଯାଇଥିଲା। କିନ୍ତୁ ବୈଠକକୁ ମୁଖ୍ୟ ସଚିବ କିମ୍ବା ତାଙ୍କ ପକ୍ଷରୁ କୌଣସି ଅଧିକାରୀ ବୈଠକକୁ ଆସି ନ ଥିଲେ। ଫଳରେ ବହୁ ସମୟ ଅପେକ୍ଷା କରି ଶ୍ରୀ ପ୍ରଧାନ ଫେରିଯାଇଥିଲେ। ଆଜି ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଅତିଥି ଭବନରୁ ବାହାରି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ, ଓଡ଼ିଶାର ବିକାଶ ଉପରେ ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉ ନାହାନ୍ତି। ରାଜ୍ୟର ପ୍ରଗତି ତାଙ୍କ ପାଇଁ ଗୁରୁତ୍ବହୀନ ହୋଇପଡ଼ିଛି। ଏଥି ପାଇଁ ରାଜ୍ୟ ସରକାରଙ୍କ କେହି ବି ପ୍ରତିନିଧି ସମୀକ୍ଷା ବୈଠକକୁ ଆସିଲେ ନାହିଁ।

ସେ ଆହୁରି କହିଥିଲେ, କଲ୍ୟାଣକାରୀ ଯୋଜନା ଓ ଭିତ୍ତିଭୂମି ପ୍ରକଳ୍ପର ବିଭିନ୍ନ ଦିଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନାର ଆବଶ୍ୟକତା ରହିଛି। ଏଥି ପାଇଁ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ବିଭାଗୀୟ କାର୍ଯ୍ୟାଳୟ ତରଫରୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। କିନ୍ତୁ ସେ ଆସିଲେ ନାହିଁ। ‌େବାଧହୁଏ ସେ ବଡ଼ କାମରେ ବ୍ୟସ୍ତ ଥିବେ, ତାଙ୍କୁ ସମୟ ହୋଇ ନ ଥିବ। ବିକାଶ କାର୍ଯ୍ୟରେ ଏସବୁ କାମଗୁଡ଼ିକର ଗୁରୁତ୍ବ ହୁଏତ ତାଙ୍କୁ, ରାଜ୍ୟ ସରକାରଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ବୁଝା ପଡ଼ୁ ନାହିଁ। କେନ୍ଦ୍ର ସରକାରଙ୍କ ବହୁତ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଓଡ଼ିଶାରେ ଅହେତୁକ ବିଳମ୍ବ ହେଉଛି। ପେଟ୍ରୋଲିୟମ୍ ବିଭାଗର ଅନେକ ପ୍ରକଳ୍ପ, ରେଳବାଇ, ଜାତୀୟ ରାଜପଥ, ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍ ପରି ଅନେକ ପ୍ରକଳ୍ପ ପାଇଁ ଟଙ୍କା ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅସହଯୋଗ ହେତୁ ଆଗେଇ ପାରୁ ନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର