ଆସିଲାନି ଚିଠି, ଆଶଙ୍କାରେ ତଦନ୍ତର ଭବିଷ୍ୟତ

ଦୁଇ ଦିନ ପରେ ସରିବ ଚିଟ୍‌ଫଣ୍ଡ୍‌ କମିସନଙ୍କ କାର୍ଯ୍ୟକାଳ

କଟକ : ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୮, ଫେବ୍ରୁଆରି ୪ରେ ସରିବାକୁ ଯାଉଛି। ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଗତ ମାସରେ ଚିଠି ଲେଖା ଯାଇଥିଲା। କିନ୍ତୁ କାର୍ଯ୍ୟକାଳ ସରିବାକୁ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ଏ ପର୍ଯ୍ୟନ୍ତ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ନିକଟରୁ କୌଣସି ଚିଠି ଆସି ନାହିଁ। ଏପରି ପରିସ୍ଥିତିରେ ଚିଟ୍‌ ଫଣ୍ଡ ତଦନ୍ତ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଚିଟ୍‌ଫଣ୍ଡ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର୍‌.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ଵ ଅର୍ପଣ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସଂଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସଂକ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଥିଲା। କ୍ଷତିପୂରଣ ପାଇଁ ଯୋଗ୍ୟ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ଓ କ୍ଷତିପୂରଣ ପ୍ରକ୍ରିୟା ଉପରେ କମିସନ୍‌ ତଦନ୍ତ କରି ପରାମର୍ଶ ପ୍ରଦାନ କରିବେ ବୋଲି ଫେବ୍ରୁଆରି ୨୦ର ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅଗଷ୍ଟ ୨୧ ମଧ୍ୟରେ ଦାଖଲ କରାଯାଇଥିବା ସତ୍ୟପାଠ ମଧ୍ୟରୁ ୨୬ ହଜାର ୯୭୬ଟି ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍‌ କରି କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ୨୦୧୮, ଜାନୁଆରି ୧୮ରେ କମିସନ୍‌ ପ୍ରଦାନ କରିଥିବା ଚତୁର୍ଥ ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସଂସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପରାମର୍ଶ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ କମିସନ୍‌ ଚାରିଟି ପର୍ଯ୍ୟାୟରେ ୩ ଲକ୍ଷ ୪୧ ହଜାର ସତ୍ୟପାଠ ଯାଞ୍ଜ କରି କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସାରିଥିବା ବେଳେ ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରି ଚିଟଫଣ୍ଡ ସଂସ୍ଥା ଗୁଡିକୁ ନୋଟିସ୍‌ ଜାରି ପ୍ରକ୍ରିୟା ଆରମ୍ଭ କରିଛନ୍ତି। କମିସନଙ୍କ ନିକଟରେ ମୋଟ୍‌ ୮ ଲକ୍ଷ ୧୭ ହଜାର ୨ଶହ ୫୩ ସତ୍ୟପାଠ ଦାଖଲ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟର ଯାଞ୍ଚ ପରେ ଅବଶିଷ୍ଟ ୨ ଲକ୍ଷ ୨୪ ହଜାର ୫୩ ସତ୍ୟପାଠ ଯାଞ୍ଜ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ଯୋଜନା ରହିଥିବା ସୂଚନା ମିଳିଛି।

ବିଭିନ୍ନ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ସମସ୍ତଙ୍କ ମୁହଁ ଚୁୁପ କରିବା ପାଇଁ ଉଦ୍ୟମ କରୁଥିବାର ନଜିର ରହିଛି। କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତ ପ୍ରକ୍ରିୟା ପ୍ରତି ସରକାରଙ୍କ ଆନ୍ତରିକତା ନଥିବା ଭଳି ମନେ ହୁଏ। କୋଟି କୋଟି ଟଙ୍କା ଖର୍ଚ୍ଚରେ ମିଳୁଥିବା ତଦନ୍ତ କମିସନ ରିପୋର୍ଟ ଅନେକ ସମୟରେ ନାଲି ଫିତା ତଳେ ରହି ଯାଉଛି। ଅନ୍ୟ କେତେକ କ୍ଷେତ୍ରରେ ତଦନ୍ତ କମିସନ ପ୍ରଦାନ କରିଥିବା ପରାମର୍ଶ ସରକାର କାର୍ଯ୍ୟକାରୀ କରିବାରେ ଆନ୍ତରିକତା ଦେଖାଉ ନାହାନ୍ତି।

ସମ୍ବନ୍ଧିତ ଖବର