କଟକ: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ରାଜ୍ୟର ୪ର୍ଥ ସ୍ଥାନରେ ରହିଛନ୍ତି ସିଡିଏ ସେକ୍ଟର-୧୦ର ବୈଶାଖୀ ଲେଙ୍କା। ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ (ଓୟୁଏଟି)ରୁ ନାଚୁରାଲ ରିସୋର୍ସ ମ୍ୟାନେଜ୍‌ମେଣ୍ଟରେ ସେ ଚଳିତ ବ‌ର୍ଷ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ୨୦୨୦ରେ ବୈଶାଖୀ ପ୍ରଥମଥର ଓପିଏସ୍‌ସି ପରୀକ୍ଷା ଦେଇ ସାକ୍ଷାତକାର ପରୀକ୍ଷା ପର୍ଯ୍ୟନ୍ତ ଯାଇଥିବା ବେଳେ ଏଥର ଦ୍ବିତୀୟ ପ୍ରଚେଷ୍ଟାରେ ରାଜ୍ୟରେ ୪ର୍ଥ ସ୍ଥାନରେ ଅଛନ୍ତି। ବୈଶାଖୀଙ୍କ ବାପା ଚିତ୍ତରଞ୍ଜନ ଲେଙ୍କା ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଓ ମା’ ସମିତା ଜେନା ଅଢ଼ାଳିଆ ସରକାରୀ ହାଇସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ। ସିଡିଏ ଡିଏଭିରୁ ଦ୍ବାଦଶ ଶ୍ରେଣୀ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ବୈଶାଖୀ ଓୟୁଏଟିରେ ପଢ଼ୁଥିଲେ। ଆଗକୁ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହିତ ଓଡ଼ିଶାରେ ରହି କାମ କରିବାକୁ ସେ ସଂକଳ୍ପ ‌ନେଇଛନ୍ତି।

Advertisment

publive-image

ଦଶମ ସ୍ଥାନରେ କଟକର ସୌମ୍ୟ

କଟକ: ରାଜ୍ୟରେ ୧୦ମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି କଟକ ଅଲିସାବଜାର ଦକ୍ଷିଣୀସାହିର ସୌମ୍ୟରଞ୍ଜନ ମହାପାତ୍ର। ସୌମ୍ୟରଞ୍ଜନ ୨୦୧୭ ମସିହାରେ ଓଆର୍‌ଏସ୍‌ ପାଇ ୪ମାସ ଚାକିରି କରି ଛାଡ଼ି ଦେଇଥିଲେ। ୨୦୨୦ ସମିହାରେ ସେ ଓଏଫ୍‌ଏସ୍ ପାଇ ଏବେ ତାଲିମରେ ରହିଥିବା ବେଳେ ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ମହାପାତ୍ରଙ୍କ ବାପା ଅମୀୟ କୁମାର ମହାପାତ୍ର ରାଣୀହାଟ ହାଇସ୍କୁଲରେ ଓ ମା’ କିରଣବାଳା ମିଶ୍ର ଦୀନବନ୍ଧୁ ଦାସ ହାଇସ୍କୁଲ, ଭିରୁଡା (ତିଗିରିଆ)ରେ ଶିକ୍ଷକତା କରୁଛନ୍ତି। ଶ୍ରୀ ମହାପାତ୍ର ଏହି ସଫଳତାର ଶ୍ରେୟ ନିଜ ବାପା, ମା, ଭଉଣୀ ଡକ୍ଟର ସୌଭାଗ୍ୟଲକ୍ଷ୍ମୀ ମହାପାତ୍ର, ଭିଣୋଇ ଡକ୍ଟର ନିଶାନ୍ତ ଦାଶଙ୍କ ସମେତ ସମସ୍ତ ଗୁରୁଜନଙ୍କୁ ଅର୍ପଣ କରିଛନ୍ତି।

publive-image

ପଞ୍ଚମ ସ୍ଥାନରେ ରହ‌ିବା ଆଶା ନଥିଲା: ଶ୍ବେତାଲିନା
ସମ୍ବଲପୁର/ ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ଧାରିପାଲି ଗାଁର ଶ୍ବେତାଲିନା ମହାନା(୨୫) ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଗୋବିନ୍ଦଚନ୍ଦ୍ର ମହାଣା ଓ ଅରୁନ୍ଧତୀ ମହାଣାଙ୍କ ଝିଅ ଶ୍ବେତାଲିନା ଦ୍ବିତୀୟ ପ୍ରଚେଷ୍ଟାରେ ଏହି ସଫଳତା ପାଇଛନ୍ତି। ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ଗତ ୨୬ ତାରିଖ ଦିନ ସେ ସହକାରୀ କୃଷି ଅଧିକାରୀ (ଏଏଓ) ଭାବେ ବିନିକା ବ୍ଲକ୍‌ରେ ଯୋଗ ଦେଇଥିଲେ। ଚିପିଲିମାରେ ଓଏୟୁଟିରେ ବିଏସ୍‌ସି (କୃଷି) ଡିଗ୍ରି ହାସଲ ପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଏଗ୍ରୋନୋମିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ(ଆଇଏଆର୍‌ଆଇ)ରେ ପିଏଚ୍‌ଡି କରିବା ସହିତ ଓପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଏହି ପରୀକ୍ଷା ପାଇଁ ସେ କୌଣସି ପ୍ରକାର କୋଚିଂ ନେଇ ନଥିଲେ। ପରୀକ୍ଷାରେ ସଫଳତା ମିଳିବ ବୋଲି ଆଶା ରଖିଥିଲେ, ମାତ୍ର ପଞ୍ଚମ ସ୍ଥାନ ହାସଲ କରିବେ ବୋଲି ତାଙ୍କର ଆଶା ନଥିଲା ବୋଲି ସେ କହିଛନ୍ତି। ସେ ମହିଳା, ଶିକ୍ଷା, କୃଷି ସହିତ ସାମଗ୍ରିକ ବିକାଶ ପ୍ରତି ଗୁରୁତ୍ବ ଦେବେ ବୋଲି କହିଛନ୍ତି। ଆଜି ନିଜେ ଘରେ ଥିଲେ। ତାଙ୍କର ଜଣେ ସିନିୟରଙ୍କଠାରୁ ଏହି ଖବର ଜାଣିବାକୁ ପାଇଥିଲେ ବୋଲି ‌ସେ କହିଛନ୍ତି।

ପ୍ରଥମ ସୁଯୋଗରେ ବାଜି ମାରିଲେ ପ୍ରଣବ
ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ୍‌ର ପ୍ରଣବ ରଞ୍ଜନ ସାହୁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ପରୀକ୍ଷାରେ ୩ ନମ୍ବର ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଲକୋଇ ବ୍ଲକ୍‌ ହାଲପୋଡ଼ି ଗ୍ରାମର ବାସିନ୍ଦା ତଥା ଚାରିଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଗୋବିନ୍ଦ ସାହୁ ଓ ବୀଣାପାଣି ସାହୁଙ୍କ ଏକମାତ୍ର ପୁଅ ପ୍ରଣବ ପିଲାଟି ବେଳରୁ ଅତ୍ୟନ୍ତ ମେଧାବୀ ଥିଲେ। ଦଶମ ପର୍ଯ୍ୟନ୍ତ ସେ ଦେବଗଡ଼ ଜବାହର ନବୋଦୟ ବିଦ୍ୟାଳୟରେ ପଢ଼ିଥିଲେ। ଝାରସୁଗୁଡ଼ା ଜବାହର ନ ବୋଦୟ ବିଦ୍ୟାଳୟରୁ ଯୁକ୍ତ ୨ ପାସ୍‌ କରିବା ପରେ ଭୁବନେଶ୍ବର ଓୟୁଏଟିରେ ବିଏସ୍‌ସି ଏଗ୍ରିକଲଚର ପାଠ ପଢ଼ିଥିଲେ। ପରେ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାରେ ଏମ୍‌ଏସି ଏଗ୍ରିକଲଚର୍‌ ପାଠ ପଢ଼ିଥିଲେ। ସ୍ନାତକ ପଢ଼ିବା ବେଳୁ ସେ ପ୍ରଶାସନିକ ସେବାରେ ଯୋଗ ଦେବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ପ୍ରସ୍ତୁତି ଜାରି ରଖିଥିଲେ। ପ୍ରଥମ ସୁଯୋଗରେ ସେ ଓସିଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ପରିବାରରେ ଖୁସିର ଲହରି ଖେଳିଯାଇଛି। ପ୍ରଣବ କହିଛନ୍ତି, ସେ କଠିନ ପରିଶ୍ରମ କରୁଥିଲେ। ନିଜେ ପ୍ରଶ୍ନ ପ୍ରସ୍ତୁତ କରି ତା’ର ଉତ୍ତର ଲେଖୁଥିଲେ। ଉପର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରାମର୍ଶ ନେଉଥିଲେ। ୩ ନମ୍ବର ସ୍ଥାନରେ ରହିବେ ବୋଲି ଆଶା ନଥିଲା। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ ସେ କହିଛନ୍ତି। ଗତ ୨୧ ତାରିଖରେ ପ୍ରଣବ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବି: ସୁଚିସ୍ମିତା
ଫୁଲବାଣୀ: ରାଜ୍ୟରେ ଦ୍ୱିତୀୟ  ସ୍ଥାନରେ ଅଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ଆଖଣ୍ଡଳମଣି ସାହିର ସୁଚିସ୍ମିତା ପାଣିଗ୍ରାହୀ। ଦେଢ଼ମାସ ତ‌ଳେ ସେ ଓଇଏସ୍‌ ପାଇ ବର୍ତ୍ତମାନ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ବାପା ପ୍ରଫୁଲ୍ଲ ପାଣିଗ୍ରାହୀ ଓ ମାଆ ସୁପ୍ରଭା ପାତ୍ର ପାଣିଗ୍ରାହୀଙ୍କ ଝିଅ ସୁଚିସ୍ମିତା ଟିକାବାଲି ଶିଶୁ ମନ୍ଦିରରେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଫୁଲବାଣୀ ନବୋଦୟ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ଭୁବନେଶ୍ୱର ‌ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ ଇଣ୍ଟିଗ୍ରେଟେଡ୍‌ ବିଏସ୍‌ସି, ବିଇଡି ପାଠ୍ୟକ୍ରମ କରିଥିଲେ। ଏହା ପରେ କର୍ଣ୍ଣାଟକ ସେଣ୍ଟ୍ରାଲ ୟୁନିଭସିଟିରେ ୨୦୨୧ରେ ଏମ୍‌ଏସ୍‌ସି ଶିକ୍ଷା ସମାପ୍ତ କରି ଓଇଏସ୍‌ ପରୀକ୍ଷା ଦେଇ ସେଥିରେ ଦୁଇ ନମ୍ବର ସ୍ଥାନରେ ରହିଥିଲେ। ଏହି ସଫଳତାକୁ ନେଇ ସେ ଖୁସିବ୍ୟକ୍ତ କରିଛନ୍ତି। ଆପ୍ଟିପ୍ଲସରେ ସେ ମକ୍‌ ଇଣ୍ଟରଭ୍ୟୁ ଦେଇଥିଲେ ବୋଲି କହିଛନ୍ତି। ଆଗକୁ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ସେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ସେ ନାରୀ ସଶକ୍ତୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ପ୍ରଧାନ୍ୟ ଦେବେ। ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱରରେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ଓଏଏସ୍‌ ପରୀକ୍ଷା ସାକ୍ଷାତକାର ପାଇଁ ସେ ହ୍ବିଲଚେୟାରରେ ବସି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ।