ଭୁବନେଶ୍ବର : ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୦ (ଓସିଏସ୍)ରେ ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟଙ୍କ ସଫଳତା ଅନେକ ଦିବ୍ୟାଙ୍କ, ଦୃଷ୍ଟିବାଧିତ ଯୁବକ/ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛି। ତେବେ ଏନେଇ ଖୁସିବ୍ୟକ୍ତ କରିଛନ୍ତି ଉତ୍କଳ ଦୃଷ୍ଟିହୀନ ସଂଘର ସଭାପତି ତଥା ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ଓଡ଼ିଶା ପ୍ରଶାସନିକ ଅଧିକାରୀ ସନ୍ନ୍ୟାସୀ କୁମାର ବେହେରା। ତାଙ୍କ ପରେ ସୁକାନ୍ତି ଦାସ, ସସ୍ମିତା ଜେନା, ଲେଖାରାମ ଭୁଏ, ତପସ୍ବିନୀ ଦାସ ଓ ଅନନ୍ତ ନାୟକ ପ୍ରମୁଖ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ଗୌରବ ଆଣିଛନ୍ତି। ତେବେ ପ୍ରସନ୍ନ ଓ ପ୍ରାଚୁର୍ଯ୍ୟ ଏହି ଧାରାକୁ ବଜାୟ ରଖିଛନ୍ତି। ଏନେଇ ଶ୍ରୀ ବେହେରା ଉଭୟଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରାଚୁର୍ଯ୍ୟ ଓ ପ୍ରସନ୍ନ ଜୀବନରେ ଅନେକ ସଂଘର୍ଷ କରି ସଫଳତା ପାଇଛନ୍ତି। ଏବେ ସଫଳତା ପାଇବା ପରେ ସେମାନେ ସମାଜର ସବୁଠାରୁ ଅବହେଳିତ ବର୍ଗଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ନିଜକୁ ସମର୍ପିତ କରିବା ଉଚିତ୍‌। ଏଥିସହ ପୂର୍ବ ଅପେକ୍ଷା ଦୃଷ୍ଟିବାଧିତ ମାନଙ୍କ ପାଇଁ ଅନେକ ସୁବିଧା ହୋଇଗଲାଣି। ପରୀକ୍ଷା ଦେବାରେ ପ୍ରତିବନ୍ଧକ ବି ନାହିଁ। ତେଣୁ ଅଧିକରୁ ଅଧିକ ପିଲାମାନେ ପରିଶ୍ରମ କରି ନିଜର ଭାଗ୍ୟ ବଦଳାଇବା ସହ ସମାଜକୁ ନୂଆ ରାହା ଦେଖାଇବାକୁ ଶ୍ରୀ ବେହେରା ଆହ୍ବାନ ଦେଇଛନ୍ତି।

Advertisment

ଯେଉଁ ଦାୟିତ୍ବ ମିଳିବ ତାକୁ ସଫଳତାର ସହ ପାଳନ କରିବି: ପ୍ରାଚୁର୍ଯ୍ୟ
କଠିନ ପରିଶ୍ରମ, ଦୃଢ଼ ମନବଳ ଥିଲେ ଯେ କୌଣସି ଅସାଧ୍ୟ କାର୍ଯ୍ୟକୁ ହାସଲ କରିହୁଏ। ଯାହା ଦୃଷ୍ଟିବାଧିତ ପ୍ରାଚୁର୍ଯ୍ୟ ପ୍ରଧାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଅନେକ ପ୍ରତିକୂଳ ପରିସ୍ଥିତି ଥାଇ ବି ସେ ଓସିଏସ ପରୀକ୍ଷା ୨୯୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୫ ବର୍ଷୀୟ ପ୍ରାଚୁର୍ଯ୍ୟଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଡେନ୍‌। ବାପା ରବି ରଂଜନ ପ୍ରଧାନ ଅଧ୍ୟାପକ ଏବଂ ବୋଉ ଜୟନ୍ତୀ ପ୍ରଧାନ ଗୃହିଣୀ। ଜନ୍ମରୁ ପ୍ରାଚୁର୍ଯ୍ୟ ନିଜର ଦୁଇ ଆଖି ହରାଇଛନ୍ତି। କିନ୍ତୁ ଜୀବନ ଯାତ୍ରାରେ କେବେ ବି ହାର୍‌ ମାନିନାହାନ୍ତି। ଭୁବନେଶ୍ବର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ସେ ପ୍ରଥମରୁ ଅଷ୍ଟମ ଯାଏ ପାଠ ପଢ଼ିଥିଲେ। ଏହାପରେ କେରାପଦର ଉଚ୍ଚ ବିଦ୍ୟାଳୟ ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ିଥିଲେ। ସିନାପାଲି କଲେଜରେ ବାଣିଜ୍ୟ ବିଭାଗରେ ଯୁକ୍ତ ଦୁଇ ପରେ ନୂ୍ଆପଡ଼ା କଲେଜରେ ଯୁକ୍ତ ତିନି ଶେଷ କରିଥିଲେ। ଅର୍ଥନୀତିରେ ସ୍ନାତକୋତ୍ତର ପରେ ରେଭେନ୍‌ସା ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି। ଏହି ସମୟରେ ଓଏମ୍‌ସିରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ପ୍ରାଚୁର୍ଯ୍ୟ କହିଛନ୍ତି ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ପିଲାବେଳୁ ଇଚ୍ଛାଥିଲା। ଲୋକଙ୍କ ସେବା କରିବାକୁ ଏହା ଏକ ବଡ଼ ସୁଯୋଗ। ଯେଉଁ ଦାୟିତ୍ବ ମିଳିବ ତାକୁ ସଫଳତାର ସହ ପାଳନ କରିବାକୁ ଚେଷ୍ଟା କରିବି।

ସ୍କୁଲ୍‌ ଦିନରୁ ସିଭିଲ୍‌ ସର୍ଭିସରେ ଯୋଗଦେବା ପାଇଁ ମନସ୍ଥ କରିଥିଲି: ପ୍ରସନ୍ନ
ଓସିଏସ୍ ପରୀକ୍ଷାରେ ଦୃଷ୍ଟିବାଧିତ ପ୍ରସନ୍ନ ପଣ୍ଡା ୨୬୨ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅଲାଇଡିହ ଗାଁର ପ୍ରକାଶ ଚନ୍ଦ୍ର ପଣ୍ଡା ଓ ମିନତି ପଣ୍ଡାଙ୍କ ସାନ ପୁଅ ପ୍ରସନ୍ନ ଜନ୍ମରୁ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ। ବାପା ସରକାରୀ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ସ୍ବଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଥିଲା। ସେଥିରେ ପ୍ରସନ୍ନ ଦୃଷ୍ଟିବାଧିତ ହୋଇଥିବାରୁ ପରିବାରରେ ଚିନ୍ତା ବଢ଼ି ଯାଇଥିଲା। କିନ୍ତୁ ଦୃଢ଼ମନା ପ୍ରସନ୍ନ ଜୀବନରେ କିଛି କରି ଦେଖାଇବା ପାଇଁ ପଣ କରିଥିଲେ। ସେ ପ୍ରଥମେ କଳାହାଣ୍ଡି ଭବାନୀପାଟଣାର ରେଡକ୍ରସ୍‌ ଦୃଷ୍ଟିହୀନ ବିଦ୍ୟାଳୟରେ ୭ମ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ବିଜେବି ଜୁନିୟର୍‌ କଲେଜରେ ଯୁକ୍ତ ଦୁଇ ଏବଂ ବିଜେବି ସ୍ବୟଂଶାସିତ କଲେଜରେ ଅର୍ଥନୀତି ବିଭାଗରେ ଯୁକ୍ତ ତିନି ଶେଷ କରିଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରେ ଦିଲ୍ଲୀ ଜେଏନୟୁରେ ଅନ୍ତର୍ଜାତୀୟ ସଂପର୍କ ବିଷୟରେ ପିଏଚ୍‌ଡି କରୁଛନ୍ତି। ଏହି ସମୟରେ ସେ ବ୍ରହ୍ମପୁର ମହାମୟୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଛନ୍ତି। ପ୍ରସନ୍ନ କୁହନ୍ତି ଭବାନୀପାଟଣାରେ ପଢ଼ିବା ବେଳେ ବିଦ୍ୟାଳୟକୁ ଜିଲ୍ଲାପାଳ ଆସି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଥିଲେ। ଯାହା ମୋତେ ବେଶ୍‌ ଖୁସି ଦେଉଥିଲା। ସେବେଠାରୁ ସିଭିଲ୍‌ ସର୍ଭିସରେ ଯୋଗଦେବା ପାଇଁ ମନସ୍ଥ କରିଥିଲି।