ଅନୁଗୁଳ: ‘ତୁମେ ବଡ଼ ହେ​ଲେ ନିଶ୍ଚିତ ପ୍ରଶାସନିକ ଅଧିକାରୀ ହେବ।’ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏହି ଧାଡ଼ିଏ କଥା ମୋ ଜୀବନର ମୋଡ଼ ବଦଳାଇଦେଲା। ଆଉ ସେହି ଦିନଠାରୁ ଆରମ୍ଭ ହେଲା ପ୍ରସ୍ତୁତି। ଆଜି ଏହାର ଫଳ ମିଳିଛି ବୋଲି କହିଛନ୍ତି ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌) ପରୀକ୍ଷାରେ ୬୨ ତମ ରାଙ୍କ ରଖିଥିବା ଅନୁଗୁଳ ସହର ଶିମିଳିପଡ଼ାର ଆଶାଜ୍ୟୋତି ସାହୁ। ଆଶାଜ୍ୟୋତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅନୁଗଳ ପିଟିସି ହାଇସ୍କୁଲରୁ ୨୦୧୪ରେ ଦଶମ ଶ୍ରେଣୀ ପାସ୍‌ କରିଥିଲେ। ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାରୁ ‘ସମ୍ବାଦ’ ତରଫରୁ ତାଙ୍କୁ ମାଟ୍ରିକ୍‌ ଚାମ୍ପ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରି କହିଥିଲେ ଯେ ‘ତୁମେ ବଡ଼ ହେଲେ ନିଶ୍ଚିତ ଜଣେ ପ୍ରଶାସନିକ ଅଧିକାରୀ ହେବ। ତୁମ ପାଖରେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷଣ ମୁଁ ଦେଖି ପାରୁଛି। ମନ ଦେଇ ପାଠ ପଢ଼। ଆଉ ଲକ୍ଷ୍ୟ ସ୍ଥାନରେ ପହଞ୍ଚ।’ ଦଶମ ​ପାସ୍‌ କରିଥିବା ଆଶାଜ୍ୟୋତି ​ସେତେବେଳକୁ ପ୍ରଶାସନିକ ସେବା ସଂପର୍କରେ ବିଶେଷ କିଛି ଜାଣି ନଥିଲେ। କିନ୍ତୁ ଏହା ପରେ ପ୍ରଶାସନିକ ଅଧିକାରୀ ହେବା ଲକ୍ଷ୍ୟ ନେଇ ଆଗକୁ ବଢ଼ିଲେ। ରାଉରକେଲାରେ ଯୁକ୍ତ ଦୁଇ ପଢ଼ିବା ପରେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ପାସ୍‌ କରିଥିଲେ। ଏହା ପରେ ଓସିଏସ୍‌ ପାଇଁ ପ୍ରସ୍ତୁତି କରିଥିଲେ। ପ୍ରଥମ ପ୍ର‌ଚେଷ୍ଟାରେ ବିଫଳ ହୋଇଥିଲେ ମଧ୍ୟ ମନୋବଳ ହରାଇ ନଥିଲେ। ଅଧିକ ପ୍ରସ୍ତୁତି କରି ଏବେ ସଫଳ ହୋଇଛନ୍ତି।

Advertisment

ଅନୁଗୁଳ ଶିମିଳିପଡ଼ା ବାସିନ୍ଦା ବ୍ୟବସାୟୀ ଦିବାକର ସାହୁ ଓ ଶିକ୍ଷୟିତ୍ରୀ ସୁଜାତାରାଣୀ ପାଣିଗ୍ରାହୀଙ୍କ କନ୍ୟା ଆଶାଜ୍ୟୋତି ଆଗକୁ ଜଣେ ଆଇଏଏସ୍‌ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସିଭିଲ ସର୍ଭିସ୍‌ ପରୀକ୍ଷାରେ ସଫଳତା ପାଇଁ ସିଲାବସ୍‌କୁ ଭଲ ଭାବେ ପଢ଼ିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ ଦେଇ ସେ କାମ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।