କଟକ : ଓଡ଼ିଶା ଲୋକସେବା ଆୟୋଗର ବିଳମ୍ବିତ ପରୀକ୍ଷା ପରିଚାଳନାକୁ ନେଇ ଓସିଏସ୍‌ (ଓଡ଼ିଶା ସିଭିଲ ସର୍ଭିସ) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ହଜାରହଜାର ଆଶାୟୀ ଆଶାଆଶଙ୍କାରେ ଦିନ କାଟୁଛନ୍ତି। ୨୦୨୦ ବର୍ଷର ଓସିଏସ୍ ପରୀକ୍ଷାର ମୁଖ୍ୟ ଲିଖିତ ପରୀକ୍ଷାଫଳ ବାହାରି ନଥିବାବେଳେ ଏବେ ୨୦୨୧-୨୨ ବର୍ଷର ପ୍ରିଲିମ୍ ପରୀକ୍ଷା ଅକ୍ଟୋବର ୧୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୦ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିବା ୪୭୫୪ ଜଣ ଆଶାୟୀ ଏଭଳି ସ୍ଥିତିରେ ଆଶଙ୍କାରେ ଅଛନ୍ତି।

Advertisment

୨୦୨୦-୨୧ ବର୍ଷରେ ଓସିଏସ୍ ପରୀକ୍ଷା ପାଇଁ ଜାନୁଆରି ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ୪୩୩ ଗ୍ରୁପ ଏ ଓ ବି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରୁ ୧୪୨ଟି ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ଗ୍ରୁପ୍ ଏ ପାଇଁ ଓଏଏସ ପାଇଁ, ଗ୍ରୁପ ଏ ଓଏଫ୍‌ଏସ୍‌ ପାଇଁ ୯୭, ଓପିଏସ୍ ଗ୍ରୁପ ଏ ୬ଟି ପବବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିଭଳି ଗ୍ରୁପ୍ ବି ଓସିଏସ୍‌ ( ଏଆରସିଏସ) ପାଇଁ ୨ଟି, ଓଏଲ୍‌ଏସ ପାଇଁ ୧୫୦, ଓଆରଏସ୍‌ ପାଇଁ ୪୦, ଓଇଏସ୍ ପାଇଁ ୧୦, ଓଡବ୍ଲୁଏସ୍‌ ୪୨, ଓଟି ଆଣ୍ଡ୍ ଏସ୍ ପାଇଁ ୮ଟି, ଓଡ଼ିଶା ଏକ୍ସାଇଜ୍ ସର୍ଭିସ୍‌ ୨୮ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଅକ୍ଟୋବର ୧୬ରେ ପ୍ରିଲିମ୍ ପରୀକ୍ଷା ହେବାକୁ ଯାଉଛି। ଅନ୍ୟପକ୍ଷ‌ରେ ୨୦୨୦ ଓସିଏସ୍ ପରୀକ୍ଷାର ୩୯୨ଟି ପଦବି ପୂରଣ ପାଇଁ ୨୦୨୧, ଅଗଷ୍ଟ ୨୭ରେ ପ୍ରିଲିମ୍ ପରୀକ୍ଷାଫଳ ପ୍ରକ‌ାଶ ପାଇଥିଲା। ମୋଟ ୪୭୫୪ଜଣ ପରୀକ୍ଷାର୍ଥୀ ଗଲା ଜାନୁଆରି ମାସରେ ମୁଖ୍ୟ ଲିଖିତ ପରୀକ୍ଷା ଦେଇ ପରୀକ୍ଷାଫଳକୁ ଅପେକ୍ଷା କରିଛନ୍ତି।