ଓଏଏସ୍‌ ପରୀକ୍ଷାଫଳ ପ୍ରକାଶ : ୧୪୫ ଜଣ କୃତକାର୍ଯ୍ୟ; ଚିନ୍ମୟୀ ଚେତନା ଦାଶ ଟପର୍‌

କଟକ : ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା-୨୦୧୬ର ଚୂଡ଼ାନ୍ତ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୧୪୫ ଜଣ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ଓଏଏସ୍‌, ଓଏଫ୍‌ଏସ୍‌ ଏବଂ ଓପିଏସ୍‌ ପଦରେ ର‍୍ୟାଙ୍କ ଅନୁଯାୟୀ ଏହି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏହି ପରୀକ୍ଷାରେ ଚିନ୍ମୟୀ ଚେତନା ଦାଶ ଟପର୍‌ ହୋଇଥିବା ବେଳେ ସଂକଳ୍ପ ସ୍ୱସ୍ତିକ ସାହୁ ଦ୍ୱିତୀୟ ଏବଂ ଜ୍ଞାନରଂଜନ ବିଶ୍ୱାଳ ତୃତୀୟ ସ୍ଥାନରେ ରହିଛନ୍ତି। ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ୧୪୫ ଜଣଙ୍କ ମଧ୍ୟରେ ଅଛନ୍ତି ଅଣସଂରକ୍ଷିତ ବର୍ଗରୁ ୭୫ ଜଣ, ଏସଇବିସି ବର୍ଗରୁ ୧୬ ଜଣ, ୨୨ ଜଣ ଏସ୍‌ସି ଏବଂ ୩୨ ଜଣ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀ। ସୂଚନାଯୋଗ୍ୟ ଯେ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ପ୍ରିଲିମନାରୀ, ମୁଖ୍ୟ (ଲିଖିତ) ଏବଂ ମୌଖିକ ପରୀକ୍ଷା ଜରିଆରେ ଏହି ପ୍ରାର୍ଥୀମାନଙ୍କୁ ଚୟନ କରାଯାଇଛି। ଫେବ୍ରୁଆରି ୧୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟରେ ମୌଖିକ ପରୀକ୍ଷା ଦେଇଥିଲେ।

ମହିଳାଙ୍କ ବିକାଶକୁ ପ୍ରାଥମିକତା ଦେବି:ଚିନ୍ମୟୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଟପ୍‌ର ହୋଇଥିବା ଚିନ୍ମୟୀ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଡା. ଅରୁଣ ରଞ୍ଜନ ଦାଶ ଓ ଡା. ମାନସୀ ଦାଶଙ୍କ ସୁକନ୍ୟା। କିଛି ମାସ ତଳେ କିଟ୍‌ ବିଶ୍ୱବିଦ୍ୟାଳୟରୁ ଏମ୍‌.ଟେକ୍‌ ପାସ୍‌ କରିବା ପରେ ଏବେ ସେଠାରେ ଚାକିରୀ କରୁଛନ୍ତି। ପ୍ରଥମ ପ୍ରୟାସରେ ପାଇଛନ୍ତି ସଫଳତା ପାଇଥିବା ଚିନ୍ମୟୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର।
ସମ୍ବାଦ: ଟପର୍‌ ହେବାର ଶ୍ରେୟ କାହାକୁ ଦେବେ?
-ଶ୍ରେୟ ବାପା, ମା’ଙ୍କୁ ହିଁ ଦେବି। ସେମାନଙ୍କ ଆଶୀର୍ବାଦ, ପ୍ରେରଣା ଲାଗି ଏଭଳି ସଫଳତା ପାଇପାରିଛି। ଏଥିସହ ସ୍କୁଲରୁ ଆରମ୍ଭ କରି କିଟ୍‌ ଶିକ୍ଷକଙ୍କ ଉପଦେଶ ଓ ଆରୋହଣ କ୍ଲାସେସ୍‌ ଶିକ୍ଷକଙ୍କ ଟିପ୍‌ସ ମୋ ପାଇଁ ଫଳପ୍ରଦ ହୋଇଛି।
ଓଏଏସ୍‌ ପରୀକ୍ଷା ଦେବା ପାଇଁ କିଭଳି ଉତ୍ସାହିତ ହେଲେ?
-କଲେଜରେ ପଢ଼ିବା ସମୟରେ ଅଧିକାଂଶ ସାଙ୍ଗ ଓଏଏସ୍‌ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଥିଲେ। ସେମାନଙ୍କ ଉତ୍ସାହ ଦେଖି ମୁଁ ବି ପ୍ରସ୍ତୁତ ହେଲି। ବାପା, ମା’ ଓ ପରିବାର ମଧ୍ୟ ଆଗକୁ ଯିବାରେ ସହଯୋଗ କରିଥିଲେ। ପରୀକ୍ଷା ଦେବାକୁ କହିଥିଲେ।
ପରୀକ୍ଷା ଲାଗି ପ୍ରସ୍ତୁତି କିଭଳି ରହିଥିଲା?
-୨୦୧୫ରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲି। ପଢ଼ିବାରେ ବେଶି ସମୟ ଦେଉ ନ ଥିଲି। କିନ୍ତୁ ସଙ୍ଗଠିତ ଉପାୟରେ ପରୀକ୍ଷା ଲାଗି ପ୍ର୍ରସ୍ତୁତ କରୁଥିଲି। ପ୍ରଥମ ଥରରେ ସଫଳତା ମିଳିବ ବୋଲି ଆଶା କରିଥିଲି। କିନ୍ତୁ ପ୍ରଥମ ହେବି ବୋଲି ଭାବି ନ ଥିଲି।
ସାଲେପୁରରୁ ଓଏଏସ୍‌ ଟପ୍‌ର; କିଭଳି ଥିଲା ଶିକ୍ଷାର ଯାତ୍ରା?
-ତାଳଚେରର ସେଣ୍ଟ୍‌ ଲରେନ୍ସ ସ୍କୁଲରୁ ଦଶମରେ କୃତକାର୍ଯ୍ୟ ହେବା ପରେ ରାଜସ୍ଥାନରେ ଯୁକ୍ତ୨ ପଢ଼ିିଲି। ପରେ କିଟ୍‌ ବିଶ୍ୱବିଦ୍ୟାଳୟରୁ ବି.ଟେକ୍‌, ଏମ୍‌.ଟେକ୍‌ରେ ଶିକ୍ଷା ଗ୍ରହଣ କଲି।
ନିଯୁକ୍ତି ପାଇବା ପରେ କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦେବେ?
-ବିକାଶ କ୍ଷେତ୍ରରେ ଓଡ଼ିଶା କିଛି ପରିମାଣରେ ପଛରେ ପଡ଼ିଛି। ଯେଉଁଠି ବି ନିଯୁକ୍ତ ପାଏ ଓଡ଼ିଶାକୁ ଆଗକୁ ନେବା କ୍ଷେତ୍ରରେ କାର୍ଯ୍ୟ କରିବି। ବିଶେଷକରି ମହିଳାଙ୍କ ବିକାଶ ଲାଗି କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଦୁର୍ବଳ ଶ୍ରେଣୀଙ୍କ ଉନ୍ନତିକୁ ବି ପ୍ରାଥମିକତା ଦେବି।
ଆଗକୁ ଆଇଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ କି?
-ହଁ। ନିଶ୍ଚିତ ଉଦ୍ୟମ କରିବି। ପ୍ରଥମ ଥରରେ ଓଏଏସ୍‌ ଟପ୍‌ର ହୋଇଥିବାରୁ ମନୋବଳ ଦୃଢ଼ ହୋଇଛି। କୌଣସି ପରିସ୍ଥିତିରେ ପଛକୁ ଫେରିବି ନାହିଁ କି ଏଠାରେ ରହିଯିବିନି।
ସାକ୍ଷାତକାର-କେଶବ ପାଣି

ସମ୍ବନ୍ଧିତ ଖବର