୫ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଂକେତ

୩୫,୭୬୦ କୋଟିର ପୁଞ୍ଜିନିବେଶ, ସୃଷ୍ଟି ହେବ ୩୮,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ବର : ଗତ ବର୍ଷ ଅନୁଷ୍ଠିତ ମେକ୍ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଆସିଥିବା ୫ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଂଜୁରୀ କର୍ତ୍ତୃପକ୍ଷ (ଏଚଏଲସିଏ) ସବୁଜ ସଂକେତ ଦେଇଛି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏଚଏଲସିଏ ବୈଠକରେ ଏସବୁ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

ଏହି ୫ଟି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ମୋଟ ୩୫,୭୬୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଓ ଏଗୁଡ଼ିକରେ ପ୍ରାୟ ୩୮,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ୫ଟି ପ୍ରକଳ୍ପ ମଧ୍ୟରେ ରହିଛି ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଓ୍ବାରି ଏନର୍ଜି ପକ୍ଷରୁ ପ୍ରସ୍ତାବିତ ସୋଲାର ଉପକରଣ ଉତ୍ପାଦନ କାରଖାନା । ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କାର ନିବେଶ କରାଯିବ ଓ ଏଥିରେ ୧୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ସେହିପରି ଭଦ୍ରକ ଜିଲ୍ଲାରେ ଏମସିପିଆଇ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଏଚଏମଏଲଏସ ପଲିଷ୍ଟର କାରଖାନା ସ୍ଥାପନ କରାଯିବ । ଏହି ପ୍ରକଳ୍ପରେ ୨୨୨୩ କୋଟିର ପୁଞ୍ଜି ବିନିଯୋଗ କରାଯିବ ।

ଇସ୍ପାତ କ୍ଷେତ୍ରରେ ୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । କାସଭି ପାଓ୍ବାର ଏଣ୍ଡ ଷ୍ଟିଲ ପକ୍ଷରୁ କେନ୍ଦୁଝର ଜିଲ୍ଲାର କାଳିଆପାଳଠାରେ ୧୬ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିରେ ୩୫୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ସେହିପରି ସୁପର ସ୍ମେଲଟର୍ସ ପକ୍ଷରୁ ୫୪୩୬ କୋଟି ଟଙ୍କା ବିନିଯୋଗରେ କେନ୍ଦୁଝରଠାରେ ଏକ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିରେ ୧୯୦୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଅନ୍ୟପକ୍ଷରେ ଧନୁସେରି ପେଟ୍ରୋକେମିକାଲ୍ସ କମ୍ପାନି ପକ୍ଷରୁ ପାରାଦୀପଠାରେ ଏକ ୧୫୦୦ କୋଟି ଟଙ୍କାର ଏକ ବଟଲ ଗ୍ରେଡ୍ ପେଟ୍ ରେଜିନ କାରଖାନା ପ୍ରତିଷ୍ଠା କରାଯିବ ।

 

ସମ୍ବନ୍ଧିତ ଖବର