୧.୪୬ ଲକ୍ଷ କୋଟି ମୂଲ୍ୟର ୫ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଂଜୁରୀ

ଭୁବନେଶ୍ବର :  ଓଡ଼ିଶା ସରକାର ଆଜି ୧.୪୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫ଟି ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି ।  ଏସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଭୂଷଣ ପାଓ୍ବାର ଏଣ୍ଡ ଷ୍ଟିଲ, ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାଓ୍ବାର, ଟାଟା ଷ୍ଟିଲ୍ ଏବଂ ରୁଙ୍ଗଟା ମାଇନ୍ସର ୨ଟି ଇସ୍ପାତ ପ୍ରକଳ୍ପର ସଂପ୍ରସାରଣ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୬ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଂଜୁରୀ ଦିଆଯାଇଛି ।  ଏସବୁ ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବାପରେ ଅତିରିକ୍ତ ପ୍ରାୟ ୨୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସମ୍ବଲପୁର ଜିଲ୍ଲାରେ ଥିବା ଭୂଷଣ ପାଓ୍ବାର ଏଣ୍ଡ ଷ୍ଟିଲର ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ୧୫ ନିୟୁତ ଟନକୁ ବୃଦ୍ଧି କରାଯିବ ।  ଏହି ପ୍ରକଳ୍ପରେ ଅତିରିକ୍ତ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କଳିଙ୍ଗନଗରଠାରେ ଥିବା ଟାଟା ଷ୍ଟିଲ କାରଖାନାର କ୍ଷମତାକୁ  ବର୍ତ୍ତମାନର ବାର୍ଷିକ ୩ ନିୟୁତ ଟନରୁ ୭ ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ କମ୍ପାନି ୪୭,୫୯୯ କୋଟି ପୁଞ୍ଜିନିବେଶ କରିବ ଓ ଏହା ଦ୍ବାରା ୪୬୨୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଅନ୍ୟପକ୍ଷରେ ଅନୁଗୁଳଠାରେ ଥିବା ଜେଏସପିଏଲର ଇସ୍ପାତ କାରଖାନାର କ୍ଷମତାକୁ ବର୍ତ୍ତମାନର ୬ ନିୟୁତ ଟନରୁ ୧୮.୬ ନିୟୁତ ଟନ କରିବାକୁ କମ୍ପାନି ପୂର୍ବରୁ ପ୍ରସ୍ତାବ ଦେଇଥିବାବେଳେ ଏବେ ଏହାକୁ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । ଏହି ପ୍ରକଳ୍ପରେ କମ୍ପାନି ୨୪,୬୫୨ କୋଟି ପୁଞ୍ଜିନିବେଶ କରିବ ଓ ଏହା ଦ୍ବାରା ଅତିରିକ୍ତ ୧ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ସଂପ୍ରସାରଣ ପରେ ଜେଏସପିଏଲର ଅନୁଗୁଳ କାରଖାନା ବିଶ୍ବର ବୃହତ୍ତମ ଇସ୍ପାତ କାରଖାନାରେ ପରିଣତ ହେବ ।

ସମ୍ବନ୍ଧିତ ଖବର