୯୧୦୦ କୋଟିର ନିବେଶ ଯୋଜନା, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଦେଲା ଅନୁମୋଦନ

୬୫୨୫ ନିଯୁକ୍ତି ସୃଷ୍ଟି ହେବ
ଢେଙ୍କାନାଳରେ ରୁଙ୍ଗ୍‌ଟା ମାଇନ୍ସ ଖଟାଇବ ୭୮୩୬ କୋଟି
ଶିଳ୍ପ, ଏମ୍ଏସ୍‌ଏମ୍ଇ ପାଇଁ ଆନ୍ତଃ-ମନ୍ତ୍ରୀ କମିଟି ଗଠିତ

ଭୁବନେଶ୍ବର : କରୋନା ଭୂତାଣୁ ବିରୋଧରେ ଜୋରଦାର ଲଢ଼େଇ ଜାରି ରଖିଥିବା ରାଜ୍ୟ ସରକାର ଶିଳ୍ପାୟନ ଓ ନିଯୁକ୍ତିକୁ ଯଥା ସମ୍ଭବ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ତାହା ଆଜି ମଞ୍ଜୁର କରାଯାଇଥିବା ଛଅଟି ନିବେଶ ପ୍ରସ୍ତାବରୁ ସ୍ପଷ୍ଟ ଜଣାପଡ଼ୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ୨୨ତମ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ୮୮୫୦.୧୯ କୋଟି ଟଙ୍କାର ଦୁଇଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତ‌ାରେ ଅନୁଷ୍ଠିତ ୯୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଡବ୍ଳୁସିଏ) ବୈଠକରେ ୨୫୧.୦୯ କୋଟି ଟଙ୍କାର ଚାରିଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ମୋଟ ଉପରେ ଆଜି ୯୧୦୦ କୋଟି ଟଙ୍କାର ଛଅଟି ପ୍ରକଳ୍ପ ଅନୁମୋଦନ କରାଯାଇଛି। ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ମୋଟ ୬୫୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କରୋନା ଭୂତାଣୁ ଲଢ଼େଇ ପ୍ରଭାବରେ ପ୍ରଭାବିତ ଶିଳ୍ପ ସଂସ୍ଥା ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)ଗୁଡ଼ିକୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏକ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ମଧ୍ୟ ଗଠନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କମିଟିର ସଦସ୍ୟ କରାଯାଇଛି। ଏହି ସମସ୍ତ ମନ୍ତ୍ରୀ ଆଜିର ବୈଠକରେ ଯୋଗ ଦେଇଥିଲେ।

ଏଚ୍‌ସିଏଲ୍‌ଏ ବୈଠକରେ ଧୁନସେରି ଭେଞ୍ଚର୍ସ ଲିମିଟେଡ୍‌ର ୧୦୧୩.୨୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି କଂପାନି ପାରାଦୀପରେ ୬୦,୦୦୦ ଟନ୍‌ ବାର୍ଷିକ କ୍ଷମତାର ଏକ ମାଲେଇକ୍ ଆନହାଇଡ୍ରାଇଡ୍‌ ଉତ୍ପାଦନ କାରଖାନା ସ୍ଥାପନ କରିବ। କଂପାନିର ପ୍ରକଳ୍ପରେ ୩୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ବୈଠକରେ ଢେଙ୍କାନାଳର ଝାରବନ୍ଧ ଠାରେ ଥିବା ରୁଙ୍ଗ୍‌ଟା ମାଇନ୍ସର ଇସ୍ପାତ କାରଖାନାର ସଂପ୍ରସାରଣ ପ୍ରକଳ୍ପକୁ ମଧ୍ୟ ମଞ୍ଜୁର କରାଯାଇଛି। କଂପାନି ଏହାର ୦.୯ ଏମ୍‌ଟିପିଏ କାରଖାନାର କ୍ଷମତାକୁ ୨.୮୫ ଏମ୍‌ଟିପିଏକୁ ବଢ଼ାଇବ। ଏଥିରେ ୩୮୫ ମେଗାୱାଟ୍‌ର ଏକ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ ଓ ୧.୬୯ ଏମ୍‌ଟିପିଏର ଏକ ସିମେଣ୍ଟ୍‌ କାରଖାନା ମଧ୍ୟ ରହିଛି। ସିମେଣ୍ଟ୍‌ କାରଖାନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ଶେଷ ହେବ। ଏହି ସମସ୍ତ କାର୍ଯ୍ୟରେ ରୁଙ୍ଗ୍‌ଟା ମାଇନ୍ସ ୭୮୩୬.୯୦ କୋଟି ଟଙ୍କା ନିବେଶ କରିବ, ଯଦ୍ବାରା ୪୯୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ।

ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ନିରେନ୍ କୁମାର ଆନନ୍ଦ, କାସ୍‌ଭି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ପୁରୋଷ୍ଟିଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଓ ଓଡ଼ିଶା କ୍ୟାରିଅର୍ସ ଆଣ୍ଡ୍‌ ଟ୍ରେଡ୍‌ର ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ନିରେନ୍‌ କୁମାର ଆନନ୍ଦ ୧ ନିୟୁତ ୟୁନିଟ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଜୋତା କାରଖାନା ସ୍ଥାପନ କରିବା ଲାଗି ୬୨.୪୪ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପରେ ୬୨୦ ଲୋକଙ୍କୁ ନିଯୁକ୍ତି ମିଳିବ। କାସ୍‌ଭି ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ ୫୫.୨୩ କୋଟି ଟଙ୍କା ବିନିଯୋଗରେ ଏକ ୧.୨ ଏମ୍‌ଟିପିଏ ଆଇରନ୍ ଓର୍‌ ବେନିଫିକେସନ ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ପୂର୍ବରୁ କଂପାନିର ୦.୬ ଏମ୍‌ଟିପିଏ କ୍ଷମତାର ଏକ ଲୁହା ପଥର ପେଲେଟାଇଜେସନ୍ କାରଖାନା ଅଛି। କଂପାନିର ନୂଆ ପ୍ରକଳ୍ପରେ ୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଟ୍ୟୁବସ୍‌ ଆଣ୍ଡ ପାଇପସ୍‌ ପିଭିଡି କୋଟିଂ, ଫର୍ଣ୍ଣିଂଚର ଫେବ୍ରିକେସନ ଆଦି କାର୍ଯ୍ୟ ପାଇଁ ପୁରୋଷ୍ଟିଲ୍‌ ୫୫.୪୨ କୋଟି ଟଙ୍କା ବିନିଯୋଗରେ ଏକ କାରଖାନା ସ୍ଥାପନ କରିବ ଓ ସେଥିରେ ୨୦୦ ଲୋକଙ୍କୁ ନିଯୁକ୍ତି ଦେବ। ଓଡ଼ିଶା କ୍ୟାରିଅର୍ସ ଆଣ୍ଡ୍ ଟ୍ରେଡ୍‌ ପକ୍ଷରୁ ୮୦ କୋଟି ଟଙ୍କା ବିନିଯୋଗରେ ତିନିଟି ଲଜିଷ୍ଟିକ୍ସ ପାର୍କ ତଥା ଫୁଲ୍‌ଫିଲ୍‌ମେଣ୍ଟ୍‌ ସେଣ୍ଟର୍‌ ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର