ଭୁବନେଶ୍ବର : ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ୍ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଗୁରୁବାର ବାମଦଳଗୁଡ଼ିକ ପକ୍ଷରୁ ଡକାଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ତୁରନ୍ତ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇ, ସିପିଏମ୍, ସିପିଆଇ(ଏମ୍ଏଲ୍) ଲିବରେସନ୍, ଏସ୍ୟୁସିଆଇ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଡକାଯାଇଥିବା ଏହି ବନ୍ଦକୁ କଂଗ୍ରେସ ମଧ୍ୟ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲା।
ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ସମର୍ଥକମାନେ ବିଭିନ୍ନ ଛକ, ରେଳ ଷ୍ଟେସନ୍ ଓ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ପିକେଟିଂ କରିଥିଲେ। ଫଳରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ଓ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କେତେକ ସ୍ଥାନରେ ପେଟ୍ରୋଲ ଟାଙ୍କି କିଛି ସମୟ ବନ୍ଦ ହୋଇଥିଲା। ସକାଳୁ ଜାତୀୟ ରାଜପଥଗୁଡ଼ିକର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯିବାରୁ ସାଧାରଣ ଜୀବନଯାତ୍ରା କିଛି ସମୟ ପାଇଁ ବ୍ୟାହତ ହୋଇଥିଲା। ବିଭିନ୍ନ ଦଳର ରାଜ୍ୟ ନେତୃମଣ୍ଡଳୀ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚନ୍ଦ୍ରଶେଖରପୁରରେ ଥିବା ଇଣ୍ଡିଆନ ଅଏଲ୍ ଅଫିସ୍ ଓ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭକାରୀମାନେ ବସିରହିବାରୁ ଏହା କିଛି ସମୟ ପାଇଁ ବନ୍ଦ ରହିଥିଲା। ସେହିପରି ଭୁବନେଶ୍ବର ରେଳ ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। କିନ୍ତୁ ବାକି ସବୁ ସ୍ବାଭାବିକ ଥିଲା। ବାମଦଳଗୁଡ଼ିକ ପକ୍ଷରୁ କୁହାଯାଇଥିଲା ଯେ ବର୍ଷକ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୫୦ରୁ ଅଧିକ ଥର ବଢ଼ିଛି।
ରନ୍ଧନ ଗ୍ୟାସର ଦର ମଧ୍ୟ ୨୬୦ଟଙ୍କା ବଢ଼ିଲାଣି। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଦର ବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ।
ଗୁରୁବାର ସକାଳ ୬ଟାରୁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ପିକେଟିଂ କରି ରେଳ ବନ୍ଦ କରାଯାଇଥିଲା। ପରେ ବିଭିନ୍ନ ବାମଦଳ ଓ ଗଣସଙ୍ଗଠନଗୁଡ଼ିକର ପ୍ରତିବାଦ ଶୋଭାଯାତ୍ରା ବିଭିନ୍ନ ସ୍ଥାନରୁ ବାହାରି ପିକେଟିଂ କରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ବିଭିନ୍ନ ଦଳର ରାଜ୍ୟ ନେତୃତ୍ବମାନେ ଓଡ଼ିଶା ବନ୍ଦକୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ। ଏଥିରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ୍ କାନୁନ୍ଗୋ, ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା. ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମ୍ଏଲ୍) ଲିବରେସନର ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ରଙ୍କ ସମେତ ବିଭିନ୍ନ ବାମ ଦଳରୁ ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ ଦାସ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ନାରାୟଣ ଡାଳୁଆ, ବିଜୟ ସାହୁ ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଶା ବନ୍ଦକୁ ରାଜ୍ୟବାସୀ ଅକୁଣ୍ଠ ସମର୍ଥନ କରିଛନ୍ତି ବୋଲି ବାମଦଳଗୁଡ଼ିକ ପକ୍ଷରୁ କୁହାଯାଇଛି।
ସେହିପରି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ ରାଜ୍ୟ କଂଗ୍ରେସ ସାମିଲ୍ ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ବାହାରି ଲୋୟର୍ ପିଏମଜି, ମାଷ୍ଟରକ୍ୟାଣ୍ଟିନ୍ ଛକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବନ୍ଦକୁ ସଫଳ କରିଥିବାରୁ ଶ୍ରୀ ପଟ୍ଟନାୟକ କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଜିର ବିକ୍ଷୋଭରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ସୁରେଶ ରାଉତରାୟ, ପଦ୍ମାକର ଗୁରୁ, ଅମିୟ ପାଣ୍ଡବ, ସୁଦର୍ଶନ ଦାସ, ମନୋରଞ୍ଜନ ଦାସ, ଦୀପକ ମହାପାତ୍ର, ବିଶ୍ବଭୂଷଣ ମହାପାତ୍ର, କାର୍ତ୍ତିକ କାଣ୍ଡି, ଶଙ୍କୁନା କହଁର, ସାଗର ପରିଡ଼ା, ଲିଙ୍ଗରାଜ ସାହୁଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ସେହିପରି ସାମଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ବାମଦଳ ପକ୍ଷରୁ ଡକାଯାଇଥିବା ବନ୍ଦରେ ସାମିଲ୍ ହୋଇଥିଲେ।