କରୋନା ଲଢ଼େଇ : ରାଜ୍ୟବାସୀଙ୍କୁ ଘରୁ ନ ବାହାରିବା ଲାଗି ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ରାଜ୍ୟରେ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ଏଯାବତ୍‌ ମୁଁ ଆପଣମାନଙ୍କୁ ଯେଉଁସବୁ ପରାମର୍ଶ ଦେଇ ଆସିଛି, ସେସବୁକୁ ଆପଣମାନେ ପାଳନ କରି ଆସିଛନ୍ତି। ତେବେ, ଆଜି ମୁଁ ଆପଣମାନଙ୍କ ନିକଟରେ ଏକ ଜରୁରୀ ଘୋଷଣା କରିବାକୁ ଯାଉଛି’ ଏକ ଭିଡିଓ ବାର୍ତ୍ତାରେ ଏଭଳି କହି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କରିଛନ୍ତି।

ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ଆପଣମାନେ ଏବେ କରୋନା ଭାଇରସ୍‌ ସଂପର୍କରେ ଜାଣି ସାରିଲେଣି। ଏ ଭାଇରସ୍‌ଟି ପ୍ରଥମେ ଚୀନ୍‌ରୁ ଆତ୍ମପ୍ରକାଶ କରି ପରେ ୟୁରୋପ ଓ ଆମେରିକାରେ ପହଞ୍ଚିଥିଲା। ଏହା ଆମ ଠୁ ବହୁ ଦୂରରେ ଥିଲା; ମାତ୍ର ପରବର୍ତ୍ତୀ ସୟରେ ଏହା ଇରାନ୍‌ ଆସିଥିଲା ଓ ଦିଲ୍ଲୀରେ ପହଞ୍ଚିଥିଲା। ଏବେ ଏହି ଭାଇରସ୍‌ ଆସି ପହଞ୍ଚିଛି ଆମ ଘରପାଖେ। ତେବେ, ଆମ ଦାୟିତ୍ୱ ହେଉଛି ଏ ଭାଇରସ୍‌କୁ ଆମେ ଆମ ଘର ଭିତରକୁ ପଶିବାକୁ ଦେବା ନାହିଁ। ଏଥିପାଇଁ ଦୁଇଟି ଜିନିଷର ପାଳନ କରିବାକୁ ହେବ।

ପ୍ରଥମଟି ହେଉଛି ଆମେ ବ୍ୟକ୍ତିଗତ ସ୍ତରରେ ଆମ ପିଲା ଛୁଆ, ବାପ ମା’ଙ୍କ ନାମରେ ଶପଥ ନେବା ଯେ ଆମେ ଘରୁ ପଦାକୁ ବାହାରିବା ନାହିଁ। ଆମେ ଘରୁ ପଦାକୁ ବହାରିଲେ ଆମ ସହ କରୋନା ଭାଇରସ୍‌ ଆମ ଘର ଭିତରକୁ ଆସିପାରେ!

ଆଉ ଦ୍ୱିତୀୟଟି ହେଉଛି, ଆମେ ଯଦି କୌଣସି ଜରୁରୀ କାମରେ ବାହରକୁ ଯାଉଛେ, ତେବେ ଘରକୁ ଫେରିବା ପରେ ପ୍ରଥମେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଆମ ହାତକୁ ସାବୁନ୍‌ରେ ଭଲ ଭାବେ ଧୋଇବା’।

ଏଥିସହ କାର୍ଯ୍ୟକ୍ରମକୁ ନିଜ ନିଜ ସ୍ତରରେ ପ୍ରଚାର ପ୍ରସାର କରାଇବା ସହ ଏହାର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ସେୟାର କରିବାକୁ ପରାମର୍ଶ ଦେବା ସହ ରାଜ୍ୟବାସୀ ତାଙ୍କର ଏହି ପରାମର୍ଶକୁ ପାଳନ କଲେ ସେ ସେମାନଙ୍କ ଜନିକଟରେ ଋଣୀ ହୋଇ ରହିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର