ହିନ୍ଦୁ ମୁସଲମାନ ଏକାଠି ବୁଲିବେ ତୀର୍ଥ

ଆଜମେର୍‌ ଗଲା ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍‌

ପତାକା ହଲାଇ ଟ୍ରେନ୍‌ ଛାଡ଼ିବାର ସଂକେତ ଦେଲେ ମୁଖ୍ୟମନ୍ତ୍ରୀ
ବରିଷ୍ଠ ନାଗରିକଙ୍କ ସହ ଗପସପ ହେଲେ

ଭୁବନେଶ୍ୱର : ମଦୁରାଇ, ରାମେଶ୍ୱରମ୍‌, ଆହ୍ଲାବାଦ, ବାରଣାସୀ, ଋଷିକେଶ, ହରିଦ୍ୱାର ପରେ ଏଥର ଆଜମେର ଓ ପୁଷ୍କର ଅଭିମୁଖେ ଯାତ୍ରା କରିଛି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଗାଡ଼ି’। ବୟୋଜ୍ୟେଷ୍ଠ ନାଗରିକଙ୍କୁ ତୀର୍ଥ ବୁଲାଇବାର ମହତ ଯୋଜନାର ଦ୍ୱିତୀୟ ପର୍ବରେ ସାମିଲ୍‌ ହୋଇଛନ୍ତି ୯୯୯ ଜଣ ତୀର୍ଥଯାତ୍ରୀ ଏବଂ ତାଙ୍କ ସହ ୧୨୪ ଜଣ ସରକାରୀ ଅଧିକାରୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଯୋଜନାରେ ଭୁବନେଶ୍ୱର ଷ୍ଟେସନରୁ ବାହାରିଥିବା ଏହି ତୀର୍ଥଯାତ୍ରୀ ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣ ୫ଟା ୪୨ ମିନିଟ୍‌ରେ ପତାକା ଦେଖାଇ ଗାଡ଼ି ଗଡ଼ିବାର ସଙ୍କେତ ଦେଇଥିଲେ। କେବଳ ସେତିକି ନୁହେଁ, ଟ୍ରେନ୍‌ ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଟ୍ରେନ୍‌ ଭିତରକୁ ଯାଇ କିଛି ବରିଷ୍ଠ ନାଗରିକଙ୍କ ସହ ଗପସପ କରିବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ।

ଏହି ଟ୍ରେନ୍‌ର ରାଜ୍ୟର ୧୦ଟି ଜିଲ୍ଲା ସମେତ ଭୁବନେଶ୍ୱରରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନେ ସାମିଲ୍‌ ହୋଇ ତୀର୍ଥଯାତ୍ରା କରିଛନ୍ତି। ତେବେ ଏଥରର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏଥର ହିନ୍ଦୁ ଓ ମୁସଲମାନ୍‌ ଉଭୟ ଏକାଠି ହୋଇ ଯାତ୍ରାରେ ସାମିଲ୍‌ ହୋଇ ତୀର୍ଥ ବୁଲିବାର ସୁଯୋଗ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡ.ମୋନା ଶର୍ମା ଏବଂ ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଆଇଆର୍‌ସିଟିସି ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇଥିବା ବେଳେ ଏହି ୬ଦିନିଆ ଯାତ୍ରା ୩୦ ତାରିଖରେ ଶେଷ ହେବ।

କ’ଣ ଦେଖିବେ ତୀର୍ଥଯାତ୍ରୀ

ଏଥର ତୀର୍ଥଯାତ୍ରୀ ଭାରତର ଏକମାତ୍ର ରାଜସ୍ଥାନରେ ଅବସ୍ଥିତ ୧୪ଶହ ଖ୍ରୀଷ୍ଟାବ୍ଦର ଜଗତପିତା ବ୍ରହ୍ମା ମନ୍ଦିରରେ ବ୍ରହ୍ମାଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ପୁଷ୍କରରେ ଗୋଟେ ଦିନର ରହଣି ପରେ ଆଜ୍‌ମେର ନଗରରେ ଥିବା ଖ୍ଵାଜା ମୋଇନୁଦ୍ଦିନ୍‌ ଚିସ୍ତିଙ୍କର ଦର୍‌ଗାହ ତଥା ଆଜମେର୍‌ ସରିଫ୍‌ ଦର୍‌ଗାହକୁ ତୀର୍ଥଯାତ୍ରୀମାନେ ଯାତ୍ରା କରିବେ। ଏଥିସହିତ ନସିୟାନ ଦିଗମ୍ବର ଜୈନ ମନ୍ଦିର ମଧ୍ୟ ବୁଲିବାର ସୁଯୋଗ ପାଇବେ ତୀର୍ଥଯାତ୍ରୀ। ଏରସମାରୁ ଆସିଥିବା ବାବା ପଞ୍ଚଦେବ ତୀର୍ଥଯାତ୍ରା ପୂର୍ବରୁ ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ, ମୁଁ କେବେ ବି ବାହାରକୁ କୌଣସି ଜାଗା ବୁଲିବାକୁ ଯାଇନାହିଁ। ମାତ୍ର ଏହି ଯୋଜନା ମତେ ବୁଲାଇବାକୁ ସୁଯୋଗ ଦେଇଥିବାରୁ ମୁଁ ମୋ ପତ୍ନୀକୁ ନେଇ ତୀର୍ଥ ବୁଲିବା ସ୍ୱପ୍ନ ସାକାର ହୋଇଛି ।

କ’ଣ ସୁବିଧା ମିଳିବ

ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ କଥା ବୁଝିବା ପାଇଁ ପର୍ଯ୍ୟଟନ ବିଭାଗ ସମେତ ଆଆର୍‌ସିଟିସିର ୧୨୪ ଜଣ କର୍ମକର୍ତା ନିୟୋଜିତ ହୋଇଛନ୍ତି। ଏଥିସହିତ କିଛି ପର୍ଯ୍ୟଟକ ଗାଇଡ୍‌ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଦଳଦଳ କରି ବୁଲାଇବାର ସୁଯୋଗ ରହିଛି। ଏଥିସହିତ ଏକ ୫ ଜଣିଆ ଡାକ୍ତରୀଦଳ ମଧ୍ୟ ସାଙ୍ଗରେ ଯାଇଛନ୍ତି। ଉତ୍ତମ ଖାଦ୍ୟ ପରସିବା ସହ ରାତ୍ରୀଯାପନ ପାଇଁ ସୁବିଧା ଯୋଗାଇ ଦେବାକୁ ଆଇଆର୍‌ସିଟିସି ପକ୍ଷରୁ ବ୍ୟବସ୍ଥା ହୋଇଛି। ଏଥିସହିତ କିଛି ଏସ୍‌କର୍ଟ ଅଫିସରଙ୍କ ସମେତ ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ ହୋଇଥିବା ସୂଚନା ମିଳିଛି।

ଡିସେମ୍ବରରେ ସମ୍ବଲପୁର, ଜାନୁଆରିରେ ବ୍ରହ୍ମପୁରରୁ ଯାତ୍ରା

ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ଆସନ୍ତା ଡିସେମ୍ବର ମାସ ମଧ୍ୟ ଭାଗରେ ସମ୍ବଲପୁରରୁ ବାହାରିବ। ସମ୍ବଲପୁରରୁ ଏହା ଶିରିଡ଼ି ତ୍ରୟମ୍ବକେଶ୍ୱର ଯାତ୍ରା କରିବ। ସେହିପରି ସମ୍ଭବତଃ ଜାନୁଆରି ମାସରେ ବ୍ରହ୍ମପୁରରୁ ତୃତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ସାମିଲ୍‌ ହେବାକୁ ଥିବା ଯାତ୍ରୀମାନେ ତିରୁପତି ଓ ଭେଲୋର ବୁଲିବାର ସୁଯୋଗ ପାଇପାରିବେ ବୋଲି ବିଭାଗୀୟ ନିର୍ଦେଶକ ନିତିନ୍‌ ଜଓ୍ଵାଲେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର