‘ଲୋକଙ୍କୁ ଗୁରୁତ୍ୱ ଦେଲେ ରାଜନୀତି ଜଟିଳ ନୁହେଁ’

ଛାତ୍ରଛାତ୍ରୀ ଏବଂ ଦର୍ଶକଙ୍କ ସାମ୍ନାରେ ନବୀନ ରଖିଲେ ରାଜନୈତିକ ଦର୍ଶନ

ଭୁବନେଶ୍ୱର : ରାଜନୀତି ଏତେ ଜଟିଳ ନୁହେଁ। ରାଜନୀତି ହେଉଛି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସବୁଠାରୁ ବଳିଷ୍ଠ ମାଧ୍ୟମ। ମନୋବୃତ୍ତି ଓ ଉଦ୍ୟମରେ ଯଦି ଜନସାଧାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରନ୍ତି, ତେବେ ଏଥିରେ ଜଟିଳତା ନାହିଁ।

ଭାରତୀୟ ଛାତ୍ର ସଂସଦ ଏବଂ ଏମଆଇଟି ସ୍କୁଲ୍‌ ଅଫ୍‌ ଗଭର୍ଣ୍ଣନାନ୍ସ ପକ୍ଷରୁ ପୁନେଠାରେ ଆଜି ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ସମ୍ମାନିତ ହେବା ପରେ ନିଜ ଅଭିଭାଷଣରେ ଏମିତି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଧା ସିଧା ଏକଥା ବି ଜଣାଇଥିଲେ ଯେ ଭଲ ନେତା ହେବା ପାଇଁ ହେଲେ ଲୋକଙ୍କୁ ଆନ୍ତରିକ ଭାବେ ଭଲପାଇବା ଦରକାର। ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଶାସନ, ବ୍ୟବସ୍ଥା ଏବଂ ରାଜନୀତିର ଭିନ୍ନ ଏକ ମନ୍ତ୍ର ଦେଇଥିଲେ ଛାତ୍ରଛାତ୍ରୀଙ୍କୁ।

କହିଥିଲେ, ସମୟର ଗତିପଥ ସହିତ ତାଳ ଦେଇ ସବୁ ଜିନିଷ ନିଜ ନିଜର ଉଚ୍ଚତର ସ୍ତରକୁ ଗତି କରିଥାଏ। ଏହା ହେଉଛି ପରିପୂର୍ଣ୍ଣତା ପାଇଁ ମଣିଷର ଅହରହ ଉଦ୍ୟମର ବୈଶିଷ୍ଟ୍ୟ। ଜୀବବିଜ୍ଞାନ, ଗଣିତ, ଭେଷଜ,ସୂଚନା ପ୍ରଯୁକ୍ତି ଯେ କୌଣସି କ୍ଷେତ୍ରକୁ ଦେଖିଲେ ଆମେ ଅପରିସୀମ ଅଗ୍ରଗତି କରିଛୁ। ଗତ ୨୦୦ ବର୍ଷ ମଧ୍ୟରେ ମାନବ ବିବର୍ତ୍ତନରେ ଅଭୂତପୂର୍ବ ପରିବର୍ତ୍ତନ ଆସିଛି। ଟୁଇଟର୍‌ ଓ ଫେସବୁକ୍‌ ଜୀବନ ଓ ସାମାଜିକ ସଂପର୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଛି। ବିଗ୍‌ ଡାଟା, ବ୍ଲକ ଚେନ୍‌ସ ଏବଂ ନାନୋ ଟେକ୍ନୋଲୋଜି ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ତେବେ ସମସ୍ତେ ଏକମତ ହେବେ ଯେ ପ୍ରଶାସନ ଓ ଜନସେବାରେ ଯେଉଁ ବିବର୍ତ୍ତନ ଆସିବା କଥା, ତାହା ଆଜି ପର୍ଯ୍ୟନ୍ତ ଆସିପାରିନାହିଁ।

ଉତ୍ତମ ପ୍ରଶାସନ ଓ ନିସ୍ୱାର୍ଥପର ଜନସେବା ଗଣତନ୍ତ୍ରର ଦୃଢ ସ୍ତମ୍ଭ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, କେମିତି ପ୍ରଶାସନ ଓ ଜନସେବାକୁ ସୁଦୃଢ କରାଯିବ, ତାହା ଆଜିର ଯୁବ ସମାଜ ପାଖରେ ସବୁଠାରୁ ବଡ଼ ଆହ୍ଵାନ।

ନବୀନ ଏହି ଅବସରରେ ସୂଚାଇଥିଲେ, ୨୦ବର୍ଷ ତଳେ ରାଜନୀତିରେ ସେ ନବାଗତ ଥିଲେ ଓ କେବେ ବି ଭାବିନଥିଲେ ଯେ ଦିନେ ଏଠାରେ ସବୁଠାରୁ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଥିବା ଜଣେ ବ୍ୟକ୍ତି ଭାବରେ ଉପସ୍ଥିତ ହେବେ।

ମହାତ୍ମାଗାନ୍ଧୀଙ୍କ ସ୍ପର୍ଶମଣିକୁ ଉଦ୍ଧାର କରି ନବୀନ କହିଥିଲେ, ମଣିଷ ନିଜ ଓଜନରେ ନିଜେ ଭାରାକ୍ରାନ୍ତ ହେବା ବେଳେ ସବୁଠାରୁ ଗରିବ ଓ ଦୁର୍ବଳ ଲୋକର ମୁହଁ ମନେପକାଇବା ଦରକାର। ସେ ନେଉଥିବା ପଦକ୍ଷେପ ଦ୍ୱାରା ତାହାର ଉନ୍ନତି ହେଉଛି କି ନାହିଁ, ତାହା ପରୀକ୍ଷା କରିବା ଦରକାର। ରାଜନୈତିକ ଜୀବନରେ ଜଣେ ବ୍ୟକ୍ତି ଏହିଭଳି ପରିସ୍ଥିତିକୁ ଦୈନନ୍ଦିନ ଅନୁଭବ କରେ। ଛଅମାସ ତଳେ ରାଜ୍ୟ ସରକାର ମଧ୍ୟ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଏମିତି ଏକ ନିଷ୍ପତ୍ତି ନେଇଥିଲେ।

ଯାହା ଗୋଟିଏ ଅତି ଜଟିଳ ପରିସ୍ଥିତି ବୋଲି ଲାଗୁଥାଏ, ତାହାର ଗୋଟିଏ ସରଳ ସମାଧାନ ଥାଏ ବୋଲି ସୂଚାଇ ନବୀନ କହିଥିଲେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ସଂପର୍କରେ ନିଷ୍ପତ୍ତି ନେବା ବେଳେ ସରକାରଙ୍କ ପାଖରେ ଦୁଇଟି ବାଟ ଥିଲା। ଗୋଟିଏ ହେଲା, ସେମାନଙ୍କୁ ଉଚ୍ଛେଦ କରିବାର ପ୍ରକ୍ରିୟା ଜାରି ରଖିବା, ଜବରଦଖଲକାରୀ ଭାବେ ପରିଗଣିତ କରିବା ଏବଂ ଲକ୍ଷ ଲକ୍ଷ ପରିବାରକୁ ଆଶଙ୍କା ଓ ଅସହାୟତାର ବାତାବରଣ ମଧ୍ୟରେ ରଖିବା। ଆଉ ଗୋଟିଏ ବାଟ ଥିଲା, ସହରର ଦୈନନ୍ଦିନ ଜୀବନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଗ୍ରହଣ କରିବା ଓ ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବା। ଓଡ଼ିଶା ସରକାର ଦ୍ୱିତୀୟ ପଥଟି ଅନୁସରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ଯେତେବେଳେ ଲୋକଙ୍କୁ ପ୍ରାଥମିକତା ଦିଆଯାଏ, ତାହା ଭଲ ରାଜନୀତି, ସରକାର ବିରୋଧୀ ହାଓ୍ଵା ନଥାଏ। ମାର୍ଟିନ ଲୁଥର କିଙ୍ଗ୍‌ କହିଛନ୍ତି, ତୁମେ ଯଦି ଲୋକଙ୍କୁ ଭଲ ନ ପାଇବ, ତେବେ ସେମାନଙ୍କ ନେତୃତ୍ୱ ନେଇପାରିବ ନାହିଁ। ତାଙ୍କ ରାଜନୈତିକ ଦର୍ଶନର ଏହା ଆଉ ଗୋଟିଏ ପଥ ପଦର୍ଶକ ବୋଲି ନବୀନ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଯଦି ଲୋକଙ୍କୁ ଭଲ ପାଅ, ତେବେ ରାଜନୀତିର ସବୁ ନକରାତ୍ମକ ବିଷୟ ଯଥା କ୍ଷମତା, ସଂପତ୍ତି, ପଦବି ମୂଲ୍ୟହୀନ।

ଫାଇଲିନ୍‌ ବାତ୍ୟାର ନା ନ ଧରି ନବୀନ କହିଥିଲେ, ଲୋକଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ କାମ କଲେ, ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଯେପରି ଗୋଟିଏ ଜୀବନ ନଷ୍ଟ ନ ହୁଏ, ସେଥିପାଇଁ ଉଦ୍ୟମ କରାଯିବା ଗୁରୁତ୍ୱପୂର୍ଣ୍ଣ ହୋଇପଡେ। ସରକାରଙ୍କ ସମସ୍ତଙ୍କୁ ବାସଗୃହ ଘୋଷଣା ସଂପର୍କରେ ଖୋଲାଖୋଲି ନ କହି ଏହା ପଛର ଉଦ୍ଦେଶ୍ୟ ସଂପର୍କରେ ସେ ଠାରିଥିଲେ। କହିଥିଲେ, ଲୋକଙ୍କୁ ଭଲ ପାଉଥିଲେ, କେବେ ବି କେହି ଚାହିଁବେ ନାହିଁ ଯେ ସେ ଖୋଲା ଆକାଶ ତଳେ ରହୁ। କେହି ଲୋକଙ୍କୁ ଭଲ ପାଉଥିଲେ, କେବେ ଚାହିଁବ ନାହିଁ ଯେ ସେମାନେ ରାତିରେ ଭୋକିଲା ରୁହନ୍ତୁ। ଏହାକୁ ଲକ୍ଷ୍ୟ କଲେ ରାଜ୍ୟ ଦେଶରେ ଗରିବି ହ୍ରାସ କ୍ଷେତ୍ରରେ ସବୁଠାରୁ ଭଲ ରାଜ୍ୟ ହୋଇପାରିବ।

ରାଜ୍ୟର ବିକାଶ କାହାଣୀରେ ସବୁଠାରୁ ଦୁର୍ବଳ ଓ ଅସୁରକ୍ଷିତ ଲୋକଙ୍କୁ ଭାଗୀଦାର ପାଇଁ ଆହୁରି ଅଧିକ ପଥ ଅତିକ୍ରମ କରିବାକୁ ଉଦ୍ୟମ କରିବା ଲାଗି ପ୍ରବର୍ତାଇଥିଲେ ମୁଖ୍ୟମନ୍ତ୍ରୀ।

ନିର୍ବାଚନରେ ଜିତିବା ନୁହେଁ, ବରଂ ସାମାଜିକ ପରିବର୍ତ୍ତନ ସଂଗ୍ରାମର ଲକ୍ଷ୍ୟ ହେବା ଉଚିତ୍‌ ବୋଲି ସୂଚନା ଦେଇ ନବୀନ କହିଥିଲେ, ଲୋକଙ୍କୁ ଏମିତି ଭଲ ପାଇବା ଦରକାର, ଯେମିତି ତୁମର ପ୍ରତ୍ୟେକ କାର୍ଯ୍ୟକ୍ରମ, ସ୍ୱାକ୍ଷର ଏବଂ ପ୍ରତିଟି ନିଶ୍ୱାସ ସେମାନଙ୍କ ପାଇଁ କାମ କରିବ। ଏହି ଅବସରରେ ସେ ମହାତ୍ମାଗାନ୍ଧୀ ଓ ବିଜୁ ବାବୁଙ୍କ ଉଦାହରଣ ଦେଇଥିଲେ ଓ ଆଜି ବି ରାଜନୀତିରେ ନିଜକୁ ନବାଗତ ବୋଲି ମନେ କରି ଏହି ଦୁଇ ନୀତିକୁ ଅନୁସରଣ କରୁଥିବା କହିଥିଲେ।

ନିଜକୁ ଚାରିକୋଟି ଓଡ଼ିଆଙ୍କ ଆଦରରେ ପରିପୁଷ୍ଟ ଏକ ପରିବାରର ଜଣେ ସଦସ୍ୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଅଧିକରୁ ଅଧିକ ଭଲ ଲୋକ ରାଜନୀତିରେ ଯୋଗଦେବା ଉଚିତ୍‌। ନିଜେ ଚାହୁଁଥିବା ପରିବର୍ତ୍ତନର ଅଂଶ ନେବା ଉଚିତ୍‌। ଯଦି କେହି ବି ଲୋକଙ୍କୁ ଆଗରେ ରଖିବ, ତେବେ ଏହା ଏକ ରାଜନୈତିକ ଯାତ୍ରା ନୁହେଁ, ବରଂ ଆଧ୍ୟାତ୍ମିକ ଅନୁଭୂତି ହେବ।

ସମ୍ବନ୍ଧିତ ଖବର