ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଶ୍ବ କ୍ରୀଡ଼ା ଦିବସରେ  ୮ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହାସିକତା ଓ ସମାଜ ସେବା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ନାଁ କରୁଛନ୍ତି । କ୍ରୀଡ଼ା ପ୍ରତି ସେମାନଙ୍କ ଅବଦାନ ଓ ସେମାନଙ୍କ ସଫଳତା ଯୁବପିଢ଼ିଙ୍କୁ ନିଶ୍ଚିତ ଅନୁପ୍ରାଣିତ କରିବ ।

ଏହି ୮ଜଣ ପୁରସ୍କାରପ୍ରାପ୍ତଙ୍କ  ମଧ୍ୟରେ ରହିଛନ୍ତି  ବିଶ୍ବ ଚାମ୍ପିୟନ୍ ପାରା ସଟ୍‌ଲର ପ୍ରମୋଦ ଭଗତ୍‌ । କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ଓ ବିଶ୍ୱ କ୍ରୀଡ଼ା ଜଗତରେ ସେ ହାସଲ କରିଥିବା ସଫଳତାକୁ ଦେଖି ତାଙ୍କୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।

ସେହିଭଳି ଭାବେ ୩୦ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୦୦ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ୬.୬୭ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଏ ମଧ୍ୟରେ ରହିଛନ୍ତି ୩ ଜଣ ଭାରଉତ୍ତୋଳନକାରୀ ଭକ୍ତ ରାମ ଦେସ୍ତି, ଝିଲ୍ଲୀ ଦଳବେହେରା ଏବଂ ସ୍ନେହା ସୋରେନ୍‌ । ଅନ୍ତଃରାଷ୍ଟ୍ରୀୟ କ୍ରୀଡ଼ାରେ ଏହି ୩ଜଣଙ୍କ ପ୍ରଶଂସନୀୟ ଅବଦାନ ପାଇଁ ସେମାନଙ୍କୁ ଯଥାକ୍ରମେ ୧.୩୩ଲକ୍ଷ, ୪ଲକ୍ଷ ଓ ୮୩,୦୦୦ଟଙ୍କା ଲେଖାଏଁ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ।

Image result for odisha-cm-gives-away-biju-patnaik-bravery-sports-awards
KalingaTV

ଜୁନିୟନ ଏସିଆନ୍‌ ଉଶୁ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରିଥିବାରୁ କ୍ରୀଡ଼ାବିତ୍‌ ବବୁଲ ମୁଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୨,୦୦୦ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । କ୍ରୀଡ଼ାବିତ୍‌ମାନଙ୍କୁ ସମ୍ମାନିତ କରିବା ସହ ଅନୁଗୁଳ ଘଣ୍ଟପଡ଼ାରେ ରହୁଥିବା ଶ୍ରୀମତି ଭଦ୍ରାଙ୍କୁ ତାଙ୍କ ସାହସିକତା ପାଇଁ ୧ଲକ୍ଷ ଟଙ୍କାର ପରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଘରୋଇ ସଂସ୍ଥା କିଟ୍‌କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିବା ଜଣା ପଡ଼ିଛି । କ୍ରୀଡ଼ାର ପ୍ରଚାର ପ୍ରସାର କରିବା ଦିଗରେ କିଟ୍‌ର ଉଲ୍ଲେଖନୀୟ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଇଛି।

ଏହା ବ୍ୟତୀତ ରାଧାକାନ୍ତ ତ୍ରିପାଠୀ, ବଦ୍ରି ମିଶ୍ର, ମହେନ୍ଦ୍ର କୁମାର ଯୋଶୀ, କାମାକ୍ଷା ପ୍ରସାଦ ମାଝି, ରାମ ନାରାୟଣ ଦାସ୍‌ ଓ ଅବ୍‌ଦୁଲ ରେହମାନ ଖାନ୍‌ଙ୍କୁ ସମାଜ ସେବା ପାଇଁ  ୨୫,୦୦୦ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ସେମାନଙ୍କୁ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର