ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨ଟି ଶିଳ୍ପ ପ୍ରକଳ୍ପ ଉଦଘାଟିତ, ୧୧ଟିର ଶିଳାନ୍ୟାସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ମୋଟ ୨୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ୩୨୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଉଦଘାଟିତ ହୋଇଥିବା ୨ଟି ଶିଳ୍ପ ପ୍ରକଳ୍ପ ହେଲା ଯାଜପୁର କଳିଙ୍ଗନଗରସ୍ଥିତ ୧.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରିଣ୍ଡିଂ ୟୁନିଟ ଓ ବଲାଙ୍ଗୀରଠାରେ ସ୍ବସ୍ତି ଇକୋଓ୍ବେୟାରପକ୍ଷରୁ ନିର୍ମିତ ବାୟୋଡିଗ୍ରେଡେବଲ ଟେବୁଲଓ୍ବେୟାର କାରଖାନା ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଗୁଡ଼ିକରେ ମୋଟ ୧୯୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ।

ମୋଟ ୧୩ ଟି ଶିଳ୍ପ ପ୍ରକଳ୍ପ ମଧ୍ୟରେ ରହିଛି ଗୋଟିଏ ଲଜିଷ୍ଟିକ୍ ପାର୍କ, ୩ଟି ଇଥାନଲ୍ ପ୍ଲାଣ୍ଟ, ଗୋଟିଏ ଇସ୍ପାତ ପ୍ରକଳ୍ପର ସଂପ୍ରସାରଣ, ଏକ ସିମେଣ୍ଟ ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟମାନଙ୍କ ମଧ୍ୟରେ ଏକ ୫-ତାରକା ରିସର୍ଟ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡିକରେ ନିବେଶ କରୁଥିବା କେତେକ ଅଗ୍ରଣୀ କମ୍ପାନୀ ମଧ୍ୟରେ ଟାଟା ଷ୍ଟିଲ୍, ସ୍ବସ୍ତି ପ୍ରିମିୟମ୍, ଗ୍ରିଣ୍ଟେକ୍ ବାୟୋଏନର୍ଜି ଏବଂ କୋଷ୍ଟାଲ୍ ବାୟୋଟେକ୍ ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ ଯୋଡ଼ାଠାରେ ଥିବା ଟାଟା ଷ୍ଟିଲର ଲୁହାପଥର ବେନିଫିସିଏସନ ପ୍ଲାଣ୍ଟର କ୍ଷମତାକୁ ୧୨ ନିୟୁତ ଟନରୁ ୧୭.୬ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହି ପ୍ରକଳ୍ପରେ ଟାଟା ୯୪୬ କୋଟି ନିବେଶ କରିବ ଓ ଏଥିରେ ୮୦୩ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 

ସମ୍ବନ୍ଧିତ ଖବର