ତୃତୀୟ ଦିନରେ ୫ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ‘ଓଡ଼ିଶା କେବଳ ଧାନ ଚାଷରେ ସ୍ୱାବଲମ୍ବୀ’

ଅଣଧାନ ଚାଷ, ପ୍ରଣାଳୀରେ ପରିବର୍ତନ ଅପରିହାର୍ଯ୍ୟ, ୨୦୧୯-୨୦ରେ ଅଣ୍ଡା ଉତ୍ପାଦନରେ ସ୍ୱାବଲମ୍ବୀ

ଭୁବନେଶ୍ୱର : କେବଳ ଧାନ ଚାଷରେ ଓଡ଼ିଶା ସ୍ୱାବଲମ୍ବୀ। ରାଜ୍ୟର ଚାଉଳ ଉତ୍ପାଦନ ୯୭.୪୪ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ତେବେ ଚାଷୀମାନେ ଯେତେ ପରିମାଣରେ ଅଣଧାନ ଚାଷ କରିବେ ସେତେ ଲାଭବାନ ହେବେ। ଚାଷୀଙ୍କ ମଧ୍ୟରେ ଧାନ ଚାଷ ପାଇଁ ଅହେତୁକ ମମତା ରହିଛି। ଏ କ୍ଷେତ୍ରରେ ସେମାନଙ୍କ ଆଭିମୁଖ୍ୟ ସହିତ ମୃର୍ତ୍ତିିକା ପରୀକ୍ଷା କରି କୃଷି ପ୍ରଣାଳୀରେ ପରିବର୍ତନ ଅପରିହାର୍ଯ୍ୟ ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ବିଭାଗ, ମତ୍ସ୍ୟ, ପଶୁ ସଂପଦ ବିକାଶ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଉଚ୍ଚଶିକ୍ଷା ଏବଂ ଶିଳ୍ପ ବିଭାଗର ସମୀକ୍ଷା କରିଥିଲେ। ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ମହାରଥୀ ତାଙ୍କ ବିଭାଗର ସଫଳତା ବଖାଣିଥିଲେ। ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ କହିଲେ, ଭାଗଚାଷୀଙ୍କ ସୁରକ୍ଷା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ମନ୍ତ୍ରିସ୍ତରୀୟ କମିଟି ପକ୍ଷରୁ ଇତି ମଧ୍ୟରେ ୩/୪ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଏ ସଂକ୍ରାନ୍ତରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଆଳୁ ମିସନର କାର୍ଯ୍ୟକାରିତା ସଂପର୍କରେ ସେ କହିଲେ, ଏହି ମିସନ ଅଛି, ଏହାର କାର୍ଯ୍ୟକ୍ରମ କରାଯିବ। ଇତି ମଧ୍ୟରେ ୧୯ଟି ଶୀତଳ ଭଣ୍ଡାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଆଉ ୯ଟିର କାର୍ଯ୍ୟ ଆଗେଇ ଚାଲିଛି। ଉଦ୍ୟାନ ଫ୍ରେସ୍‌ରେ ଫାଷ୍ଟ ଫୁଡ୍‌, ଗୁଟ୍‌ଖା ବିକ୍ରି ହେଉଥିବା ପ୍ରଶ୍ନର ଉତ୍ତରରେ ସେ କହିଲେ, ଚିଲିକା ଫ୍ରେସ୍‌ ଭଳି ଉଦ୍ୟାନ ଫ୍ରେସ୍‌ଗୁଡ଼ିକ ଲୋକଙ୍କ ସେବାରେ ଲାଗିବ। ୨୦୧୯-୨୦ ସୁଦ୍ଧା ଅଣ୍ଡା ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ।

ଆରମ୍ଭରୁ ସେ ନିଜ ବିଭାଗଗୁଡ଼ିକର ସଫଳତାର ଚିତ୍ର ଦେଖାଇଥିଲେ। ତେବେ ଗତବର୍ଷ ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ଖାଦ୍ୟଶସ୍ୟ ଉତ୍ପାଦନ ୮୫ ଲକ୍ଷ ମେଟ୍ରିକ ଟନ୍‌କୁ ଖସିଥିବା ସେ ସ୍ୱୀକାର କରିଥିଲେ। ଆଗାମୀ ୫ ବର୍ଷରେ ଅନ୍ୟୂନ ୨୫ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଫସଲ ବୀମା ସହାୟତା ନାମକ ନୂଆ ଯୋଜନା କରାଯାଉଛି। ବିଜୁ କୃଷକ କଲ୍ୟାଣ ଯୋଜନାରେ ୫୭.୬୪ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଛି। କନ୍ଦମୂଳ ଉତ୍ପାଦନରେ ରାଜ୍ୟ ଦେଶରେ ପ୍ରଥମ, କାଜୁ ଉତ୍ପାଦନରେ ତୃତୀୟ ସ୍ଥାନ ଅଧିକାର କରିଛି। ୨୦୧୭-୧୮ରେ ରାଜ୍ୟର ମୋଟ ମତ୍ସ୍ୟ ଉତ୍ପାଦନ ୬.୮୫ ଲକ୍ଷ ମେଟ୍ରିକ ଟନ୍‌। ଏଥିମଧ୍ୟରୁ ଚିଙ୍ଗୁଡ଼ି, ସାମୁଦ୍ରିକ ମତ୍ସ୍ୟଜାତ ଦ୍ରବ୍ୟ ରପ୍ତାନୀ କରି ୩ ହଜାର କୋଟି ଅର୍ଜନ ହୋଇଛି। ଅଲିଭ୍‌ ରିଡ୍‌ଲେର ସୁରକ୍ଷା ପାଇଁ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀ ପରିବାରଙ୍କୁ ବାର୍ଷିକ ସହାୟତା ରାଶି ୫ ହଜାରରୁ ୭୫୦୦ ଟଙ୍କାକୁ ବୃଦ୍ଧି କରାଯିବ। ଦୁଗ୍ଧ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଥିବା ସେ ସୂଚନା ଦେଇଥିଲେ। ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର