ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଓ ପ୍ରଭାବିତ ରାଜ୍ୟର ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେତେକ ପ୍ରସ୍ତାବ ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ପ୍ରଥମତଃ ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଏନଏଚ୍-୩୨୬ ର ଚାରି ଲେନ୍ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହା ପୂର୍ବ ଭାରତ, ଛତିଶଗଡ଼ ଏବଂ ଝାରଖଣ୍ଡ ରାଜ୍ୟରୁ ଦକ୍ଷିଣକୁ ବିଶେଷ କରି ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଯାତାୟାତ ପାଇଁ ସମାନ୍ତରାଳ ରାସ୍ତା ଯୋଗାଇବ। ଏହା ଯାତ୍ରା ସମୟକୁ ହ୍ରାସ କରିବା ସହିତ ଏହି ଅଞ୍ଚଳକୁ ବିପୁଳ ଆର୍ଥିକ ସହାୟତା ଯୋଗାଇବ।

ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକ ରେଳ ନେଟୱାର୍କର ଅଂଶ ନୁହଁନ୍ତି। ରେଳ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାର ମିଳିତ ସହଯୋଗରେ ଜୟପୁରରୁ ନବରଙ୍ଗପୁର ଏବଂ ଜୟପୁରରୁ ମାଲକାନଗିରି ପର୍ଯ୍ୟନ୍ତ ଦୁଇ ଥାକିଆ ରେଳପଥ ନିର୍ମାଣ ହୋଇସାରିଛି। ମାଲକାନଗିରିରୁ ଭଦ୍ରାଚାଲମ୍ ୧୫୩ କିମି ଦୈ ର୍ଘ୍ୟ ଏବଂ ନବରଙ୍ଗପୁରରୁ ଜୁନାଗଡ ୧୧୮ କିଲୋମିଟର ମଧ୍ୟରେ ରେଳପଥ ନିର୍ମାଣ କରାଯାଉ। ଏହାଦ୍ୱାରା ଏହି କ୍ଷେତ୍ରଗୁଡିକର ଅର୍ଥନୈତିକ ଅଭିବୃଦ୍ଧି ଘଟିବ।

ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଦୁର୍ଗମ ଅଞ୍ଚଳଗୁଡିକ ପାଇଁ ମୋବାଇଲ୍ ସଂଯୋଗ ଯୋଗାଇବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୬୨୭୮ଟି ଗ୍ରାମ ଅଛି, ଯେଉଁଠାରେ ମୋବାଇଲ୍ ସଂଯୋଗ ସୁଯୋଗ ନାହିଁ। ଏଠାରେ ମୋବାଇଲ୍ ଟାୱାର ବ୍ୟବସ୍ଥା ଲାଗି ସେ ଅନୁରୋଧ କରିଛନ୍ତି। ।  ନିକଟରେ ଓଡ଼ିଶା ପାଇଁ ୪୮୮ଟି ମୋବାଇଲ୍ ଟାୱାର ମଞ୍ଜୁର କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ସୃଷ୍ଟି କରିବାରେ ଆମେ ସଫଳ ହୋଇ ନାହୁଁ। ବିନା ମୂଲ୍ୟରେ ବ୍ୟାଙ୍କ ଶାଖା ସ୍ଥାପନ ପାଇଁ ରାଜ୍ୟ ସରକାର ଜମି, ନିର୍ମାଣ ଇତ୍ୟାଦି ଯୋଗାଇ ଦେବେ। ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ମଧ୍ୟରେ ବ୍ୟାଙ୍କ ଗଠନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଦେଶର ଏହି ମାଓ ପ୍ରଭାବିତ ଅଞ୍ଚଳରୁ କେତେ ପିଲା ନିଟ୍, ଆଇଆଇଟି ଓ ଜେଇଇ ଇତ୍ୟାଦି ଜାତୀୟ ସ୍ତରର ପରୀକ୍ଷାରେ ସଫଳ ହୋଇଛନ୍ତି ସେନେଇ କେନ୍ଦ୍ର ସରକାର ଏକ ଅଧ୍ୟୟନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର