ଓଡ଼ିଶା କୋଇଲା ଓ ଛତିଶଗଡ଼ ଇସ୍ପାତ  ଗିଳିବ ଗର୍ଜନପାହାଡ଼

ଖଣିରେ ଲୀନ ହେବ ୩୧୦୦.୩୦୭ ହେକ୍ଟର ଜଙ୍ଗଲ, ଲୋପ ପାଇବ ବିରଳ ବନ୍ୟଜନ୍ତୁ, ଜୈବ ବିବିଧତା 

ସୁନ୍ଦରଗଡ଼: ଆଧୁନିକ ସଭ୍ୟତାର ବିକାଶ ନାଁରେ ଅବିଚାରିତ ଭାବେ ଖଣି ଖନନ ଓ ମାଳମାଳ କଳକାରଖାନା ଜୀବଜଗତ ପାଇଁ ବିପଦ। ସମ୍ପ୍ରତି ବଦଳୁଥିବା ପାଣିପାଗର ଉଦବେଗଜନକ ଚିତ୍ର ଏହାର ସତର୍କ ଘଣ୍ଟି। କିନ୍ତୁ ବିଡ଼ମ୍ବନା, ଏଥିପ୍ରତି ପ୍ରାୟ ସମସ୍ତେ ନିରୁଦବିଗ୍ନ। ଏହିକ୍ରମରେ ଖଣି ଜିଲ୍ଲା  ସୁନ୍ଦରଗଡ଼ର ଚିତ୍ର ଅଧିକ ଚିନ୍ତାଜନକ।  ବ୍ୟାପକ ଖଣି ଖନନ ଯୋଗୁଁ ଜିଲ୍ଲାର ସବୁଜ ବଳୟ ଧ୍ବଂସାଭିମୁଖୀ। ଏକ ଉଦାହରଣ ଭାବେ ହେମଗିର ଅଞ୍ଚଳକୁ ନିଆଯାଇପାରେ। ଏଠାରେ ଖୋଲାଯାଉଥିବା ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ କୋଇଲା ଖଣି ଓ ସୀମାନ୍ତ ରାଜ୍ୟ ଛତିଶଗଡ଼ର ଇସ୍ପାତ କାରଖାନା ଯୋଗୁଁ ବିଶାଳ ସବୁଜ ସଂରକ୍ଷିତ ଜଙ୍ଗଲ ଗର୍ଜନପାହାଡ଼ ଓ ଧନୁବାଉଁଶ ଆଗକୁ ସମ୍ପୂର୍ଣ୍ଣ ଧ୍ବଂସ ପାଇଯିବ ବୋଲି ପରିବେଶପ୍ରେମୀମାନେ ଆଶଙ୍କା ପ୍ରକାଶ କରି ଆସୁଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ  ଥିବା ସୁନ୍ଦରଗଡ଼ ବନଖଣ୍ଡର ହେମଗିର ଓ ଗୋପାଳପୁର ବନାଞ୍ଚଳରେ ଆସୁଥିବା  ଏହି ସଂରକ୍ଷିତ ଜଙ୍ଗଲ ବହୁ ଜୈବ ବିବିଧତାରେ ପରିପୂର୍ଣ୍ଣ। ୧୨୧୭୮.୯୪୨ ହେକ୍ଟର ପରିମିତ ଜଙ୍ଗଲ ମଧ୍ୟରୁ  ୬୨୩ ବର୍ଗ କିଲୋମିଟର କେବଳ ଘଞ୍ଚ ଜଙ୍ଗଲ। ଏଠାରେ  ୩୧ଟି ଶ୍ରେଣୀର ୫୭ ପ୍ରଜାତିର ଜୀବଜନ୍ତୁ, ୨୭ ଟି ଶ୍ରେଣୀର ୯୩ ପ୍ରଜାତିର ଉଦ୍ଭିଦ  ତଥା ୩୫ ଟି ଶ୍ରେଣୀର ୬୮ ପ୍ରଜାତିର ପକ୍ଷୀ ଓ ୪୦ ପ୍ରଜାତିର ପ୍ରଜାପତି ଆଦି ବସବାସ କରୁଥିବା ରିପୋର୍ଟ ରହିଛି।  ତନ୍ମଧ୍ୟରେ  ୪୯ ପ୍ରତିଶତ ପକ୍ଷୀ, ୨୮ ପ୍ରତିଶତ ପ୍ରଜାପତି, ୧୪ ପ୍ରତିଶତ ସ୍ତନ୍ୟପାୟୀ ଓ ୧୧ ପ୍ରତିଶତ ସରୀସୃପ ରହିଥିବା ବନ୍ୟପ୍ରାଣୀ ଗବେଷକଙ୍କ ସୂତ୍ରରୁ ପ୍ରକାଶ। ଏହା ବ୍ୟତୀତ ଏହି ଦୁଇ ଜଙ୍ଗଲରେ  ଅନେକ ଚିରସ୍ରୋତା ନାଳ, ଝରଣା ରହିଛି।

ତେଣୁ ଏହା ଉଭୟ ମାଂସାସୀ ଓ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ସୁରକ୍ଷିତ ଓ  ସ୍ଥାୟୀ ବାସସ୍ଥଳୀରେ ପରିଣତ ହୋଇଛି। ଏଠାରେ ସରୀସୃପ, ଠେକୁଆ ଠାରୁ ଆରମ୍ଭ କରି କୁଟୁରା, ହରିଣ, ବାରହା, ନୀଳଗାଈ, ଭାଲୁ, ବିଲୁଆ, ହେଟାବାଘ, ଚିତାବାଘ (କଲରାପତରିଆ), ଧୂସର ଗଧିଆ, ହାତୀ ସହ କେବେ କେମିତି ମହାବଳ ବାଘ ବି ଦୃଷ୍ଟିଗୋଚର ହେଉଥିବା ପ୍ରକାଶ ପାଇଛି। ଏପରିକି ଓଡ଼ିଶାର ଅନ୍ୟ କୌଣସି ଜଙ୍ଗଲରେ ଦୃଷ୍ଟିଗୋଚର ହେଉ ନଥିବା ଅନ୍ୟ କିଛି ବିରଳ ପ୍ରଜାତିର ବନ୍ୟଜନ୍ତୁ ମଧ୍ୟ ଥିବା ସୂଚନା ମିଳିଛି। ତେବେ ୨୦୧୯ରେ  ଗର୍ଜନପାହାଡ଼ରେ ବିରଳ କଳାବାଘ (ବ୍ଲକ୍ ପନ୍ଥର) ଦୃଶ୍ୟମାନ ହେବା ଜଙ୍ଗଲର ଆକର୍ଷଣକୁ ବଢ଼ାଇ ଦେଇଥିଲା। ପରବର୍ତ୍ତୀ ସମୟରେ ଜଙ୍ଗଲରେ ୨ଟି କଳାବାଘ ଛୁଆ ବୁଲୁଥିବା ଚର୍ଚ୍ଚା ହୋଇଥିଲା।

ଓଡ଼ିଶା ଜଙ୍ଗଲରେ ପ୍ରଥମ କରି କଳାବାଘ ପରିଦୃଷ୍ଟ ହୋଇଥିବାରୁ ଗର୍ଜନପାହାଡ଼  ଜାତୀୟସ୍ତରରେ ପରିଚୟ ପାଇଥିଲା। ରାଜ୍ୟ ବନବିଭାଗର ତୀକ୍ଷଣ ଦୃଷ୍ଟିରେ ରହିଲା ଗର୍ଜନପାହାଡ଼। ବିରଳ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ୨୦୦୦ ହେକ୍ଟର ପରିମିତ ଜଙ୍ଗଲକୁ ବନ୍ୟପ୍ରାଣୀ ଅଭୟାରଣ୍ୟ କରାଯିବାକୁ ବିଭାଗୀୟ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ତାହା ଏବେ ଶୀତଳଭଣ୍ଡାରରେ। ଏପଟେ ଜଙ୍ଗଲ ଚାରିପାଖେ ବ୍ୟାପକ କୋଇଲା ଖଣି, ଶିଳ୍ପ ପ୍ରତିଷ୍ଠା ସହ ବିକାଶ ନାମରେ ଅବାଧ ଗଛକଟା ଉଭୟ ବନ୍ୟଜନ୍ତୁ ଓ ଜଙ୍ଗଲ ପ୍ରତି ବିପଦ ଡାକି ଆଣିଛି।  ଏଯାଏ ଏମସିଏଲ କୋଇଲା ଖଣି ବସୁନ୍ଧରା ପୂର୍ବ, ପଶ୍ଚିମ ସମ୍ପ୍ରସାରଣ ପ୍ରକଳ୍ପରେ ୨୨୭.୬୨ ହେକ୍ଟର, କୁଲଡା ପ୍ରକଳ୍ପରେ ୨୭୯.୨୦ ହେକ୍ଟର  ଜଙ୍ଗଲ ଧ୍ବଂସ ହୋଇଥିବା ବେଳେ   ଗର୍ଜନବାହାଲ ପ୍ରକଳ୍ପରେ ୮୮.୯୦ ହେକ୍ଟର ଜଙ୍ଗଲ ନଷ୍ଟ ହେବ। ଆଗକୁ ଅଞ୍ଚଳରେ ପ୍ରସ୍ତାବିତ ୧୮ଟି ଖଣି ଖୋଲିଲା ପରେ  ଜଙ୍ଗଲ ନଷ୍ଟ ବହୁଗୁଣ ବଢ଼ିଯିବ।

ଏକ ରିପୋର୍ଟ ଅନୁସାରେ, ସିଆରମାଲ ପ୍ରକଳ୍ପ ୩୪୯.୭୦୯ ହେକ୍ଟର ଜଙ୍ଗଲ ନଷ୍ଟ ହେବାକୁ ଥିବା ବେଳେ  ୟୁଏମପିପି ମୀନାକ୍ଷୀ ଏ, ମୀନାକ୍ଷୀ ବି, ମୀନାକ୍ଷୀ ପଶ୍ଚିମ ଓ ଡିପସାଇଡ୍ ମୀନାକ୍ଷୀ ପ୍ରକଳ୍ପ ୪ ଶହ ହେକ୍ଟର,  ବେଦାନ୍ତ ଷ୍ଟେରେଲାଇଟ୍ ବିଜାହାନ ପ୍ରକଳ୍ପ ୬୦୮.୬୪ ହେକ୍ଟର ଓ ଜାମକାନି ପ୍ରକଳ୍ପ ୨୧୨ ହେକ୍ଟର ଜଙ୍ଗଲ ମୋଟ ୩୧୦୦.୩୦୭ ହେକ୍ଟର ଜଙ୍ଗଲ ଖଣି ଗର୍ଭରେ ଲୀନ ହୋଇଯିବ। ସେହିପରି ପ୍ରସ୍ତାବିତ  କୋଇଲା ଖଣି ପ୍ରକଳ୍ପ ମଧ୍ୟରେ ବନପତ୍ରା ପ୍ରକଳ୍ପରେ  ୮.୩୬ ବର୍ଗ କିଲୋମିଟର,  ବୁଡ଼ାଝରିଆ ପ୍ରକଳ୍ପରେ  ୭.୪୯ ବର୍ଗ କିମି,  ବୁଡ଼ାପାହାଡ଼ ପ୍ରକଳ୍ପରେ  ୬.୦୭ ବର୍ଗ କିମି, ଚତୁର୍ଦ୍ଦାରା ପ୍ରକଳ୍ପରେ  ୩.୮୮ ବର୍ଗକିମି, ଛତାବର ପ୍ରକଳ୍ପରେ  ୧୧.୩୨ ବର୍ଗକିମି, ଡିପସାଇଡ୍ ଛତାବର ପ୍ରକଳ୍ପରେ  ୨୨.୬୯ ବର୍ଗ କିମି, ରାମ୍ଫିଆ ପ୍ରକଳ୍ପରେ  ୭.୫୧ ବର୍ଗକିମି, ଡିପସାଇଡ୍ ରାମ୍ଫିଆ ପ୍ରକଳ୍ପରେ ୫.୨୨ ବର୍ଗ କିମି, ଘୋଘରପାଲି ଓ ଡିପସାଇଡ୍ ପ୍ରକଳ୍ପରେ ୧୪.୩୯ ବର୍ଗ କିମି, ହେମଗିର-୧ ପ୍ରକଳ୍ପରେ ୨୫.୫୧ ବର୍ଗ କିମି, ହେମଗିର-୨ରେ ୨୨.୯୮ ବର୍ଗ କିମି, ପ୍ରଜାପରା ପ୍ରକଳ୍ପରେ ୫.୮୨ ବର୍ଗକିମି, ଡିପସାଇଡ୍ ପ୍ରଜାପରା ପ୍ରକଳ୍ପରେ ୫.୮୨ ବର୍ଗ କିମି, ରୋହିଣୀ ପ୍ରକଳ୍ପରେ ୩୫.୬୩ ବର୍ଗକିମି, ଟାଙ୍ଗରଡିହି ପ୍ରକଳ୍ପରେ ୧୯.୪୫ ବର୍ଗ କିମି, ଟାଙ୍ଗରଡିହି ପୂର୍ବ ପ୍ରକଳ୍ପରେ  ୨୫.୯୬ ବର୍ଗ କିମି,   ଉସ୍ତାଲି ପ୍ରକଳ୍ପରେ ୨୭.୧୫ ବର୍ଗକିଲୋମିଟର ଜଙ୍ଗଲ ଧ୍ବଂସ ହେବ ବୋଲି କୁହାଯାଉଛି।

The Indian Express

ଅନ୍ୟପଟେ ସୀମାନ୍ତ ରାଜ୍ୟ ଛତିଶଗଡ଼ର ରାଏଗଡ ଜିଲ୍ଲା  ଜାମଗାଁସ୍ଥିତ ଏମଏସପି ଷ୍ଟିଲ ଓ ପାୱାର ପ୍ଳାଣ୍ଟର ସମ୍ପ୍ରସାରଣ ଓ ନୂତନ ନିର୍ମାଣ ଗର୍ଜନପାହାଡ଼ର ଜୈବ ବିବିଧତା ଉପରେ ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇବ। କିନ୍ତୁ କମ୍ପାନି ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଏହି ଜଙ୍ଗଲକୁ ବାଦ ଦେଇଥିଲା। ଯାହାକୁ ହେମଗିରର ଜଣାଶୁଣା ପରିବେଶକର୍ମୀ ରାଜେନ୍ଦ୍ର ନାଏକ ଓ ସୁକଦେବ ପଧାନ ବିରୋଧ କରି ଓଡ଼ିଶାର ପ୍ରଭାବିତ ଗାଁ ଏବଂ ବିରଳ କଳାବାଘ ତଥା  ଗର୍ଜନପାହାଡ, ଧନୁବାଉଁଶ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ। କିନ୍ତୁ ଏଥିପ୍ରତି ଓଡ଼ିଶା ସରକାର ଉଦାସୀନ ଥିବା ବେଳେ ବହୁ ଜୈବ ବିବିଧତାରେ ପରିପୂର୍ଣ୍ଣ ସୁନ୍ଦରଗଡ଼ର ଏହି ସଂରକ୍ଷିତ ଜଙ୍ଗଲ ଆଗକୁ ଧ୍ବଂସ ହେବା ନିଶ୍ଚିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର