ଭୁବନେଶ୍ବର: ଓଡ଼ିଶାର କୋଇଲାରେ ଦେଶର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦନ ହେଉଛି। କିନ୍ତୁ ଆମ ରାଜ୍ୟରେ ଦୀପ ତଳ ଅନ୍ଧାର ଭଳି ରାଜ୍ୟବାସୀ ଅନ୍ଧାରରେ ରହୁଛନ୍ତି। ରାଜ୍ୟରେ ଗତ କିଛି ଦିନ ହେଲା ଚାଲିଥିବା ଅଘୋଷିତ ବିଦ୍ୟୁତ କାଟ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହିଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ କିଛି ଦିନ ହେଲା ବିଚିତ୍ର କଥା ଦେଖିବାକୁ ମିଳୁଛି। ଶକ୍ତି ମନ୍ତ୍ରୀ, ମୁଖ୍ୟ ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ବକ୍ତବ୍ୟ ଶୁଣିବାକୁ ମିଳୁଛି। ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ। ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ ଓ ଲୋକମାନେ ଆଲୋକ ପାଆନ୍ତି । କିନ୍ତୁ ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେଉଛନ୍ତି। ଓଡ଼ିଶାରେ ଶାସନ ବିଫଳ ହୋଇଛି। ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନେ ତାଙ୍କ କାମରେ ନାହାନ୍ତି। ଯେଉଁମାନେ ସମ୍ଭାଳିବା କଥା ସେମାନେ ପ୍ରଚାର ଧର୍ମୀ କାମରେ ଲାଗିଛନ୍ତି।

ମୁଖ୍ୟ ସଚିବଙ୍କ ଟୁଇଟ୍ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯଦି ଶାସନ ମୁଖ୍ୟ ଶାସନ ବ୍ୟବସ୍ଥା ହୁଗୁଳି ଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ? ଶକ୍ତି ମନ୍ତ୍ରୀ ବିତଣ୍ଡା ତର୍କ ବାଢ଼ୁଛନ୍ତି। ମନ୍ତ୍ରୀ ଓ ସଚିବମାନଙ୍କ ବକ୍ତବ୍ୟରେ ତାଳମେଳ ନାହିଁ। ତେଣୁ ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡ଼କୁ ଯାଉଛି। ବୟାନବାଜି ଏବଂ ସାଙ୍କେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ଣ୍ଣାନ୍ସ କାମରେ ଲାଗନ୍ତୁ। ଯେଉଁ କମ୍ପାନିକୁ ବିଜୁଳି ବିତରଣ ଦାୟିତ୍ବ ଦେଇଛନ୍ତି, ତାଙ୍କ ସହ ଲୋକଙ୍କୁ ନିରନ୍ତର ବିଜୁଳି ବିତରଣ ହେବା ନେଇ ସରକାର ନିଶ୍ଚିତ ଭାବେ ଚୁକ୍ତି କରିଥିବେ। ତେଣୁ ଯେଉଁ ଚୁକ୍ତି କରିଯାଇଛି ତାକୁ କ୍ରିୟାନ୍ବୟନ କରାଯାଉ।