ଭୁବନେଶ୍ବର : ଓଡ଼ିଶାର ୪୮୦ କି.ମି. ବ୍ୟାପୀ ଉପକୂଳ ମୁକୁଳା। ଆବଶ୍ୟକତା ଅନୁଯାୟୀ ହେନ୍ତାଳବଣ ହେଉ ବା ଝାଉଁବଣ ନାହିଁ। ହେନ୍ତାଳବଣ କି ଝାଉଁବଣ ବାତ୍ୟା ଭଳି ବିପର୍ଯ୍ୟୟକୁ ପିଠି କରି ମୁକାବିଲା କରିବାରେ ଅନେକାଂଶରେ ସମର୍ଥ। କିନ୍ତୁ ବେଳାଭୂମିରେ ସବୁଜ ବଳୟ ଅଭାବରୁ ବାତ୍ୟା, ସୁନାମୀର ଭୟ ରହିଛି। ଏହାର ଦୃଷ୍ଟାନ୍ତ ହେଉଛି ଗତ ୨୦ ବର୍ଷରେ ସଂଘଟିତ ମହାବାତ୍ୟା, ଫାଇଲିନ୍‌, ହୁଡ୍‌ହୁଡ୍‌, ତିତିଲି ଓ ସଦ୍ୟତମ ଅତି ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ‘ଫନି’। ଉପକୂଳ ମୁକୁଳା ଥିବାରୁ ବାତ୍ୟା ରୂପୀ ବିପର୍ଯ୍ୟୟ ଅବାଧରେ ଉପକୂଳ ଲଂଘି ତଟବର୍ତୀ ଅଞ୍ଚଳ ଏପରି କି ରାଜ୍ୟ ଭିତରକୁ ମାଡ଼ିଆସୁଛି। ଏବେକାର ଫନି ତ ସବୁ ସୀମା ଟପି ପୁରୀରୁ ଭୁବନେଶ୍ବର, କଟକ ପର୍ଯ୍ୟନ୍ତ ମାଡ଼ିଆସିଲା।

Advertisment

ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିବାନୁସାରେ ସମନ୍ବିତ ଉପକୂଳ ଅଞ୍ଚଳ ପରିଚାଳନା ପ୍ରକଳ୍ପ(ଆଇସି‌େଜଡ୍‌ଏମ୍‌ପି) ଅଧୀନରେ ଉପକୂଳ ବନୀକରଣ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ। ବାତ୍ୟା ଫନି ପରିପ୍ରେକ୍ଷୀରେ ଉପକୂଳରେ ଅଧିକ ବନୀକରଣ ପାଇଁ ଗତ ୧୫ ତାରିଖରେ ପରିବେଶ ନିର୍ଦେଶକ ଡ. କେ. ମୁରୁଗେସନ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି।

ଏ ସଂପର୍କରେ ରାଜ୍ୟ ଆଇସି‌େଜଡ୍‌ଏମ୍‌ପି ନିର୍ଦେଶକ ସୁଶାନ୍ତ ନନ୍ଦଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଉପକୂଳରେ ବନୀକରଣ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟକୁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁଯାୟୀ ଉପକୂଳର ପ୍ରାୟ ୨ ହଜାର ହେକ୍ଟର ଅଞ୍ଚଳରେ ବନୀକରଣ କରାଯିବ। ତେବେ ଫନି ବାତ୍ୟା ପରେ ଏହି ଉପକୂଳରେ ବ୍ୟାପକ ସୁରକ୍ଷା ବନୀକରଣ ବଳୟ ପ୍ରକଳ୍ପକୁ ଦୁଇଗୁଣା ଅଧିକ କରି ପରିବର୍ଧିତ ପ୍ରସ୍ତାବ ଦିଆଯିବ। ଏ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନେବା ପରେ ପ୍ରାରମ୍ଭିକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରଦାନ କରାଯିବ। ଏଥିପାଇଁ ବିଶ୍ବବ୍ୟାଙ୍କ ସହାୟତା ଦେବ ବୋଲି ଶ୍ରୀ ନନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ‌େବଳାଭୂମିର ବିଭିନ୍ନ ସ୍ଥାନରେ ଝାଉଁବଣ, କାଜୁ ଜଙ୍ଗଲ, ହେନ୍ତାଳବଣ, ଆକାଶିଆ ଗଛ ଆଦି ରୋପଣ କରିବା ପାଇଁ ବିଚାର କରାଯାଉଛି। ପରିବେଶବିତ୍‌ ତଥା ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସଙ୍କ କହିବାନୁସାରେ ଉପକୂଳବାସୀଙ୍କ ଧନଜୀବନ ରକ୍ଷା ନିମନ୍ତେ ହେନ୍ତାଳ ଜଙ୍ଗଲ ସୃଷ୍ଟି ହୋଇଥିଲା। କିନ୍ତୁ ଜନବସତି, ଚିଙ୍ଗୁଡ଼ି ଚାଷ, ହୋଟେଲ୍‌, ଉଚ୍ଚ ଅଟ୍ଟାଳିକା ଓ ଉପକୂଳଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ ସେହି ଜଙ୍ଗଲକୁ ଅବିଚାରିତ ଭାବେ ଧ୍ବଂସ କରାଯାଇଛି। ସେ ପୁରୀ ହେଉ କି ପାରାଦୀପ, ଧାମରା, ବାଲେଶ୍ବର ଆଦି ଉପକୂଳ ଅଞ୍ଚଳରେ ବ୍ୟାପକ ଜଙ୍ଗଲ ଲୋପ ପାଇଛି।